ସ୍ତ୍ରୀଙ୍କ ରୋଜଗାର ଥିଲେ ସ୍ୱାମୀଙ୍କୁ ଦେବେ ଭରଣପୋଷଣ
ମୁମ୍ବାଇ: ଆପଣ ସବୁବେଳେ ଶୁଣିଥିବେ ଛାଡ଼ପତ୍ର ହେଲେ ପତି, ପତ୍ନୀଙ୍କୁ ଭରଣପୋଷଣ ଦିଅନ୍ତି । କିନ୍ତୁ ଏଥର ହାଇକୋର୍ଟ ସ୍ୱାମୀଙ୍କ ହକକୁ ନେଇ ଶୁଣାଇଛନ୍ତି ନିଷ୍ପତ୍ତି । ଛାଡ଼ପତ୍ର ପରେ ସ୍ୱାମୀଙ୍କୁ ମାସିକ ଖର୍ଚ୍ଚ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ମାମଲା କ’ଣ ?
- ବମ୍ବେ ହାଇକୋର୍ଟଙ୍କ ଔରଙ୍ଗାବାଦ ବେଞ୍ଚ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଛାଡ଼ପତ୍ର ପରେ ପତିଙ୍କୁ ଖର୍ଚ୍ଚ ଦେବା ଲାଗି ସ୍ତ୍ରୀଙ୍କୁ କହିଛନ୍ତି କୋର୍ଟ ।
- ୧୯୯୨ ଏପ୍ରିଲ୍ ୧୭ରେ ଉଭୟ ବାହା ହୋଇଥିଲେ । ପରେ ସ୍ୱାମୀଙ୍କ ନିଷ୍ଠୁରତାକୁ କାରଣ ଦର୍ଶାଇ ସ୍ତ୍ରୀ ଛାଡ଼ପତ୍ର ମାଗିଥିଲେ । ୨୦୧୫ରେ ନାନ୍ଦେଡ଼ ଅଦାଲତ ଛାଡ଼ପତ୍ରକୁ ମଞ୍ଜୁରୀ ଦେଇଥିଲେ ।
- ଏହାପରେ ସ୍ୱାମୀ ନିମ୍ନ ଅଦାଲତରେ ଭରଣପୋଷଣ ପାଇଁ ମାସିକ ୧୫ ହଜାର ଟଙ୍କା ଦେବାକୁ ଦାବି କରିଥିଲେ ।
- ସ୍ୱାମୀ ଦର୍ଶାଇଥିଲେ ତାଙ୍କର ରୋଜଗାର ପନ୍ଥା ନାହିଁ । ଯେତେବେଳେ କି ତାଙ୍କ ସ୍ତ୍ରୀ ଏମ୍ଏ ସହ ବିଏଡ୍ କରିଛନ୍ତି ଏବଂ ଶିକ୍ଷକ ଅଛନ୍ତି ।
ସ୍ୱାମୀଙ୍କ ଦାବି
- କୋର୍ଟରେ ସ୍ୱାମୀ ଦାବି କରିଥିଲେ ସେ ସ୍ତ୍ରୀଙ୍କୁ ପାଠ ପଢ଼ାଇଛନ୍ତି ।
- ସ୍ତ୍ରୀ ମାସିକ ୧୫ ହଜାର ଟଙ୍କା ଆୟ କରୁଛନ୍ତି ।
- ନିଜ ସ୍ୱାସ୍ଥ୍ୟ ଠିକ୍ ରହୁ ନାହିଁ ।
- ସେ କୌଣସି କାର୍ଯ୍ୟ କରିପାରିବେ ନାହିଁ ।
- ପତ୍ନୀଙ୍କ ପାଖରେ ଘରର ସମସ୍ତ ଜିନିଷ ଓ ସମ୍ପତ୍ତି ରହିଛି ।
ପତ୍ନୀଙ୍କ ଦାବି
- ସ୍ୱାମୀ ଏକ ତେଜରାତି ଦୋକାନ କରିଛନ୍ତି ।
- ସେ ଏକ ଅଟୋରିକ୍ସାର ମାଲିକ ।
- ରିକ୍ସାକୁ ଭଡ଼ାରେ ଦେଇ ଟଙ୍କା କମାନ୍ତି ।
- ଉଭୟଙ୍କର ଏକ ଝିଅ ଥିବାବେଳେ ମାଆ ଉପରେ ନିର୍ଭର କରେ ।
କ’ଣ କହିଲେ କୋର୍ଟ ?
ଉଭୟ ପକ୍ଷଙ୍କ ରୋଜଗାର ଓ ସମ୍ପତ୍ତି ଦେଖିବା ପରେ କୋର୍ଟ ସ୍ୱାମୀଙ୍କୁ ମାସିକ ୩ ହଜାର ଟଙ୍କା ଦେବା ପାଇଁ ସ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।