spot_img

Latest Posts

ଆଜି ବିଜୟା ଦଶମୀ, ସୁନାବେଶରେ ଆଭୂଷିତ ହେବେ ମହାବାହୁ

ପୁରୀ:  ଆଜି ପବିତ୍ର ଦଶହରା । ଅସତ୍ୟ ଉପରେ ସତ୍ୟର ବିଜୟ ପାଇଁ ଧରାବତରଣ କରିଛନ୍ତି ମା । ଆଜି ଶ୍ରୀମନ୍ଦିରରେ ମଧ୍ୟ ଜାରି ରହିଛି ସ୍ୱତନ୍ତ୍ର ରିତିନୀତି  ।  ସୁବର୍ଣ୍ଣ ବେଶରେ ଅଳଙ୍କୃତ ହୋଇଛନ୍ତି ମହାବାହୁ  ।  ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ବଡ଼ ଠାକୁର । ବର୍ଷକୁ  ପାଞ୍ଚ ଥର ସୁନାବେଶ ଅନୁଷ୍ଠିତ ହୋଇଥିବା ବେଳେ ଶ୍ରୀମନ୍ଦିର ମଧ୍ୟରେ ୪ଥର ଓ ଶ୍ରୀମନ୍ଦିର ବାହାରେ ଥରେ ଏହି ବେଶ ଅନୁଷ୍ଠିତ ହୋଇଥାଏ ।

ସୁନାବେଶକୁ ‘ବଡ଼ତଡ଼ାଉ’ ବେଶ ମଧ୍ୟ କୁହାଯାଇଥାଏ । ଇତିହାସ କହିଥାଏ, ସୂର୍ଯ୍ୟବଂଶୀ ଗଜପତି କପିଳେନ୍ଦ୍ର ଦେବଙ୍କ ଦ୍ୱାରା ପ୍ରଥମେ ଶ୍ରୀଜିଉମାନଙ୍କୁ ସୁନାବେଶ କରାଯାଇଥିଲା । ରଥ ଉପରେ ମଧ୍ୟାହ୍ନ ଧୂପପରେ ସୁନାବେଶ ହୋଇଥାଏ। ଏହି ଦିନ ଠାକୁରଙ୍କୁ ସନ୍ଧ୍ୟା ଆଳତୀ ଓ ସନ୍ଧ୍ୟାଧୂପ ରଥ ଉପରେ ଅନୁଷ୍ଠିତ ହୋଇଥାଏ। ଅତୀତରେ ସର୍ବାଧିକ ୧୩୮ ପ୍ରକାର ଅଳଙ୍କାରରେ ଶ୍ରୀଜିଉମାନଙ୍କୁ ସୁନାରେ ବେଶ କରାଯାଇଥିଲା।

ପାଳିଆ ପୁଷ୍ପାଳକ ଦଇତା ଖୁଣ୍ଟିଆ ତଳୁଚ୍ଛ ସେବାୟତମାନେ ସୁନାବେଶ କରିଥାନ୍ତି। ରତ୍ନ ଭଣ୍ଡାର ଘର ଭିତରୁ ପାଳିଆ ମେକାପ ଖୁଣ୍ଟିଆ ମାଜିଷ୍ଟ୍ରେଟଙ୍କ ଦ୍ୱାରା ସୁନାବେଶ ସାମଗ୍ରୀ ଆସିଥାଏ। ଶେଷରେ ମନ୍ଦିର ସେବାୟତମାନଙ୍କ ଦ୍ୱାରା ରଥ ଉପରକୁ ବେଶ ନିଆଯାଇଥାଏ । ଅଥି ମଧ୍ୟରୁ ଆଜି ମନ୍ଦିର ମଧ୍ୟରେ ମହାବାହୁଙ୍କ ସୁନାବେଶ ଅନୁଷ୍ଠିତ ହେବ  । ପବିତ୍ର ବିଜୟାଦଶମୀରେ ଶ୍ରୀମନ୍ଦିରରେ ତିନି ଠାକୁରଙ୍କ ବିଭିନ୍ନ ରିତିନୀତି ଅନୁଯାୟୀ ପୂଜାର୍ଚ୍ଚନା ମଧ୍ୟ କରାଯିବ  ।

Latest Posts

Don't Miss