ଦର୍ଶନ ପାଇଁ ଲିଙ୍ଗରାଜ ମନ୍ଦିର ଖୋଲିବା ସପକ୍ଷରେ ନାହିଁ ବଡୁ ନିଯୋଗ, ୟୁନିୟନ ଚର୍ଚ୍ଚ ମଧ୍ୟ କହିଲା ସମାନ କଥା

ଭୁବନେଶ୍ୱର: ରାଜ୍ୟରେ କିଛି ପ୍ରସିଦ୍ଧ ଉପାସନାସ୍ଥଳୀକୁ ଖୋଲିବା ପାଇଁ ସବୁଜ ସଙ୍କେତ ଦେଇଛନ୍ତି ରାଜ୍ୟ ସରକାର । ଦୀର୍ଘ ୭ ମାସ ଧରି ଉପାସନାସ୍ଥଳୀ ବନ୍ଦ ହେବା ପରେ ଆସିଛି ଏଭଳି ଖୁସି ଖବର । ଯାହା ଭକ୍ତ ମାନଙ୍କ ମନରେ ଏକ ପ୍ରକାରର ଖୁସି ଭରି ଦେଇଛି । ସେପଟେ କିନ୍ତୁ ଏହାକୁ ବିରୋଧ କରିଛନ୍ତି ଲିଙ୍ଗରାଜ ମନ୍ଦିରର ସେବାୟତ ମାନେ । କରୋନା ସମୟରେ ଏଭଳି ପଦକ୍ଷେପ ଠିକ୍‌ ନୁହେଁ ବୋଲି ସେମାନେ ନିଜର ମତ ରଖିଛନ୍ତି ।

ସେବାୟତ ମାନେ କହିଛନ୍ତି । ପୁରୁଣା ଭୁବନେଶ୍ୱରରେ ଘରେ ଘରେ ଏବେ କରୋନା । ଲୋକେ କରୋନାରେ ମରିଲେଣି । ମନ୍ଦିର କେମିତି ଖୋଲାଯିବ, କାରଣ ମନ୍ଦିରର ୮୦ ପ୍ରତିଶତ ସେବାୟତ ମଧ୍ୟ କରୋନାରେ ପୀଡ଼ିତ ରହିଛନ୍ତି । ଯଦି ମନ୍ଦିର ଖୋଲାଯିବ ତେବେ ଭକ୍ତ ମାନିବେନି । ବିନା କୌଣସି ସତର୍କତାର ସହ ମନ୍ଦିରରେ ପ୍ରବେଶ କରିବେ । ସେମାନେ ମନ୍ଦିର ଆସିଲେ ସଂକ୍ରମଣ ବଢିବାର ସମ୍ଭାବନା ବହୁତ ରହିଛି ବୋଲି କହିଛନ୍ତି ସେବାୟତ କମଳାକାନ୍ତ ବଡ଼ୁ ।

ସେବାୟତ ସଂକ୍ରମିତ ହେଲେ ନୀତିକାନ୍ତି ବାଧାପ୍ରାପ୍ତ ହେବ । ତେଣୁ ସ୍ଥିତି ସ୍ୱାଭାବିକ ନହେବା ଯାଏ ମନ୍ଦିରରେ ଭକ୍ତଙ୍କୁ ଦର୍ଶନ ଅନୁମତି ନମିଳୁ ବୋଲି ସେ କହିଛନ୍ତି । ଅନ୍ୟ ମନ୍ଦିରକୁ କମ ଭକ୍ତ ଆସିବେ । ହେଲେ ଲିଙ୍ଗରାଜ ଓ ପୁରୀ ମନ୍ଦିରରେ ଭକ୍ତଙ୍କୁ ସମ୍ଭାଳି ହେବ ନାହିଁ ବୋଲି ସେ କହିଛନ୍ତି । ୭ ମାସ ହେଲା ମନ୍ଦିର ନଖୋଲିବା କାରଣରୁ ଆମେ ଦୁଃଖରେ ଅଛୁ କାରଣ ଆମେ ଭକ୍ତଙ୍କ ଦକ୍ଷୀଣାରେ ଚଳୁ । କିନ୍ତୁ କରୋନା ସଂକ୍ରମଣ ନିୟନ୍ତ୍ରିତ ନହୋଇଥିବା ବେଳେ ଲିଙ୍ଗରାଜ ମନ୍ଦିର ଦର୍ଶନ ପାଇଁ ଖୋଲିଲେ ଅବସ୍ଥା ଅସମ୍ଭାଳ ହେବ ବୋଲି ସେ କହିଛନ୍ତି ।

ମନ୍ଦିର ଖୋଲିବା ନେଇ ମଧ୍ୟ ୟୁନିୟନ ଚର୍ଚ୍ଚ ମଧ୍ୟ ମତ ରଖିଛି । ଅଧିକ ଭକ୍ତ ଆସିଲେ ଆମେ ସମ୍ଭାଳି ପାରିବୁନି ବୋଲି ଚର୍ଚ୍ଚ ପକ୍ଷରୁ କୁହାଯାଇଛି । ଆମେ ସରକାରଙ୍କ ସହିତ ଅଛୁ । ହେଲେ ସରକାର କହିଲେବି ଅକ୍ଟୋବର ଶେଷ ଯାଏ ଆମେ ଚର୍ଚ୍ଚ ଖୋଲିବୁନି ବୋଲି ୟୁନିୟନ ଚର୍ଚ୍ଚ କହିଛି । ନଭେମ୍ବରରେ ସ୍ଥିତି ଦେଖି ଆମେ ନିଷ୍ପତ୍ତି ନେବୁ ବୋଲି କୁହାଯାଇଛି ।

ତେବେ ଉପାସନା ସ୍ଥଳି ଖୋଲାଯିବା ସପକ୍ଷରେ ମତ ଦେଇଛନ୍ତି ମୌଲବି ଫଜଲେ ଇଲାହି । ସେ କହିଛନ୍ତି ଯେ, ଅଳ୍ପ ଲୋକ ଆସିଲେ ମସଜିଦ ଖୋଲିବାରେ ଅସୁବିଧା ନାହିଁ । ଏହା ସହ ଗହଳି ରୋକିବା ପାଇଁ ପୋଲିସ ବ୍ୟବସ୍ଥା ହେବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।

ସେପଟେ ମନ୍ଦିର ଖୋଲିବା ନେଇ ମନ୍ଦିର ମାନଙ୍କରେ ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ୧୦ ଦିନ ମଧ୍ୟରେ ରିପୋର୍ଟ ଦେବା ପରେ ପରିସ୍ଥିତି ଦେଖି ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ।

Leave a Reply