କରୋନା କାଳରେ ଓଡ଼ିଶା ଅନ୍ୟ ରାଜ୍ୟଙ୍କ ତୁଳନାରେ ସୁରକ୍ଷିତ,ନଭେମ୍ବରରେ ସଂକ୍ରମଣ ହାର ମାତ୍ର ୨ ପ୍ରତିଶତ

ଭୁବନେଶ୍ୱର: ଦେଶର କିଛି ରାଜ୍ୟରେ କରୋନା ସଂକ୍ରମଣ ମାମଲାରେ ପୁଣି ବୃଦ୍ଧି ଆସିବା କେନ୍ଦ୍ର ସରକାରଙ୍କୁ ଚିନ୍ତିତ କରାଇ ଦେଇଛି । ଯେଉଁଥିପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୮ ଜଣ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରୁଛନ୍ତି । ଯେଉଁ ୮ ରାଜ୍ୟକୁ ନେଇ କେନ୍ଦ୍ର ସରକାର ଚିନ୍ତିତ ଅଛନ୍ତି ସେହି ରାଜ୍ୟ ଗୁଡିକ ହେଉଛନ୍ତି ଦିଲ୍ଲୀ,ଗୁଜୁରାଟ,ହରିୟାନା,କେରଳ,ମହାରାଷ୍ଟ୍ର,ପଶ୍ଚିମବଙ୍ଗ,ଛତିଶଗଡ,ହିମାଚଳ ପ୍ରଦେଶ, ରାଜସ୍ତାନ ଓ ଗୋଆ ।

ଏହି ରାଜ୍ୟ ଗୁଡିକରେ ସଂକ୍ରମଣ ହାର ନଭେମ୍ବର ମାସରେ ହଠାତ ବୃଦ୍ଧି ପାଇଛି । ତାଲିକାର ଶୀର୍ଷରେ ହିମାଚଳ ପ୍ରଦେଶ ରହିଛି । ହିମାଚଳ ପ୍ରଦେଶରେ ସଂକ୍ରମଣ ହାର ୧୫.୩ ପ୍ରତିଶତ ଥିବା ବେଳେ ତାଲିକାର ସଭା ତଳେ ରହିଛି ଆସାମ ।

ଓଡ଼ିଶା ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ରାଜ୍ୟ ସରକାରଙ୍କ ଉଦ୍ୟମ କାରଣରୁ ରାଜ୍ୟରେ ନଭେମ୍ବର ମାସରେ ସଂକ୍ରମିତଙ୍କ ସଂଖ୍ୟା ୨ ପ୍ରତିଶତରୁ କମ ରହିଛି । ନଭେମ୍ବର ୮ ତାରିଖରୁ ନଭେମ୍ବର ୨୧ ତାରିଖ ମଧ୍ୟରେ ହିମାଚଳ ପ୍ରଦେଶର ପ୍ରତି ୧୦୦ ଜଣରେ ୧୫ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ଓଡ଼ିଶାରେ ଏହି ସମୟର ମାତ୍ର ୨ ଜଣ ସଂକ୍ରମିତ ହୋଇଛନ୍ତି । ବିଶେଷଜ୍ଞଙ୍କ ଅନୁସାରେ ପ୍ରତି ୧୦୦ ଜଣରେ ସଂକ୍ରମିତଙ୍କ ସଂଖ୍ୟା ୫ରୁ କମ ରହିଲେ ଲକଡାଉନ୍ କିମ୍ବା ସଟଡାଉନ ଲଗାଇବାର ଆବଶ୍ୟକତା ନଥାଏ । ବିନା ଲକଡାଉନରେ ମଧ୍ୟ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇ ପାରିବ । କିମ୍ବା ଲକଡାଉନରେ ରିହାତି ଦିଆଯାଇ ପାରିବ ।

ଅକ୍ଟୋବର ୬ରୁ ନଭେମ୍ବର ୮ ମଧ୍ୟରେ ଓଡ଼ିଶାରେ ସଂକ୍ରମଣ ହାର ୩ ପ୍ରତିଶତ ଥିବା ବେଳେ ସେହି ସମୟରେ ହିମାଚଳରେ ୮,ଦିଲ୍ଲୀରେ ୧୧ ଓ ରାଜସ୍ଥାନରେ ୯ ଓ କେରଳରେ ୧୨ ପ୍ରତିଶତ ଥିଲା । ଏହି ସବୁ ରାଜ୍ୟରେ ପରେ ସଂକ୍ରମଣ ହାର ବୃଦ୍ଧି ପାଇଥିଲା କିନ୍ତୁ ଓଡ଼ିଶାରେ ସଂକ୍ରମଣ ହ୍ରାସ ପାଇଛି ।

ସୂଚନାଯୋଗ୍ୟ ଯେ, ନଭେମ୍ବର ଓ ଡିସେମ୍ବରରେ ସଂକ୍ରମଣ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଥିଲେ । ଏହି ଆଶଙ୍କାକୁ ଗୁରୁତ୍ୱର ସହ ନେଇ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଇଥିଲେ । ଯାହାର ଫଳ ସ୍ୱରୁପ ରାଜ୍ୟରେ ନଭେମ୍ବର ମାସରେ ସଂକ୍ରମଣ ହ୍ରାସ ପାଇଛି । ଅନ୍ୟପକ୍ଷରେ ଦିଲ୍ଲୀ,କେରଳ ଭଳି ରାଜ୍ୟରେ ସଂକ୍ରମଣ ମାମଲା ବଢିବାରେ ଲାଗିଛି ।

Leave a Reply