ଆଜି ମାଆଙ୍କ ସପ୍ତମୀ ଓ ପୀଠରେ ଅଷ୍ଟମୀ ପୂଜା: ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ଆରାଧାନା

କଟକ: ଧରାବତରଣ କଲେ ମହାମାୟା । ଆଜି ମଣ୍ଡପରେ ମାଆଙ୍କ ସପ୍ତମୀ ଓ ପୀଠରେ ଅଷ୍ଟମୀ ପୂଜା । କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ଦେବୀ ଦୁର୍ଗାଙ୍କ ସପ୍ତମୀ ପୂଜା ଅନୁଷ୍ଠିତ ହେଉଛି । ଗତକାଲି ଷଷ୍ଠୀରେ ସନ୍ଧ୍ୟାରେ ପୂଜା ମଣ୍ଡପ ପରିସରରେ ଥିବା ବେଲ ଗଛ ମୂଳେ ବିଲ୍ୱବରଣୀ ପାଇଁ ପୂଜାର୍ଚ୍ଚନା କରାଯାଇ ମାଆଙ୍କୁ ଆବାହନ କରାଯାଇଥିଲା ।

ଆଜି ଭୋରୁ ନଦୀରୁ ପବିତ୍ର ଜଳ ଅଣାଯାଇ ମଣ୍ଡପରେ ନବପତ୍ରିକା ପ୍ରବେଶ ଓ ମାଆଙ୍କୁ ଚକ୍ଷୁଦାନ କରାଯାଇଛି । ଏହାସହିତ ଆରମ୍ଭ ହୋଇଛି ସପ୍ତମୀର ବିହିତ ପୂଜା । କରୋନା କଟକଣା ପାଇଁ ଏଥର ମଧ୍ୟ ଆବଦ୍ଧ ପୂଜା ମଣ୍ଡପରେ ମାଆ ପୂଜା ପାଉଛନ୍ତି । ଆସନ୍ତାକାଲି ଅଷ୍ଟମୀ ପୂଜା ସହିତ ବ୍ରତ ପୂଜା କରାଯିବାର ପରମ୍ପରା ରହିଛି । ନବମୀରୁ ସନ୍ଧିପୂଜା ସହିତ ବଙ୍ଗୀୟ ମେଢ ଗୁଡିକରେ ସିନ୍ଦୁର ଖେଳ ହେବ । ଶୁକ୍ରବାର ଦଶମୀରେ ପୂଜା ଅନୁଷ୍ଠିତ ହେବ । ତେବେ କଟକଣା ପାଇଁ ଚଳିତବର୍ଷ ରାବଣ ପୋଡି ଉତ୍ସବ ପାଳନ କରାଯିବ ନାହିଁ । ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ବ୍ୟପକ ପୋଲିସ ମୁତୟନ କରାଯାଇଛି ।

ଅପରପକ୍ଷରେ ଶ୍ରୀମନ୍ଦିରରେ ମାଆ ବିମଳାଙ୍କ ତ୍ରିଦିବସାତ୍ମକ ପୂଜା ଅବସରରେ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହେବ । ଏହି ତ୍ରି ଦିବସାତ୍ମକ ପୂଜାରେ ମା ବିମଳାଙ୍କ ଠାରେ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥାଏ । ତେବେ ଏହି ପୂଜା ଅବସରରେ ଶ୍ରୀମନ୍ଦିରରେ ଥିବା ଦେବୀ ବିମଳାଙ୍କ ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ବାରଣ ରହିଥାଏ ।

Leave a Reply