ରାତି ଯେତିକି ବଢ଼ୁଛି ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼ ସେତେ ଜମୁଛି

1 min read

ଭୁବନେଶ୍ବର: ପୂଜା ମଣ୍ଡପରେ ଖଚାଖଚ୍ ଭିଡ଼ । ଦେବୀଦୁର୍ଗାଙ୍କ ପୂଜା ସହ ଦର୍ଶନ । ଭକ୍ତଙ୍କ ଧାଡ଼ି ଲମ୍ବିଥିବା ବେଳେ ହୋମଯଜ୍ଞ ପାଇଁ ପରିବେଶରେ ଭରି ରହିଛି ଅପୂର୍ବ ଆଧ୍ୟାତ୍ମିକତା ଓ ଆକର୍ଷଣ । ଶାରଦୀୟ ଦୁର୍ଗାପୂଜାର ଶେଷଦିନ ବିଜୟା ଦଶମୀ ବା ଦଶହରାରେ  ଦେବୀଦୁର୍ଗାଙ୍କ ବିଶେଷ ପୂଜା -ଅପରାଜିତା ପୂଜା ସମ୍ପନ୍ନ ହୋଇଛି । ହୋମରେ ଦିଆଯାଉଛି ପୂର୍ଣ୍ଣାହୁତି । ଦେବୀଙ୍କ ଆରାଧନାରେ ମଜି ଯାଇଛନ୍ତି ଭକ୍ତ ।

ଦୁର୍ଗାପୂଜାର ଶେଷଦିନରେ ବିଭିନ୍ନ ମଣ୍ଡପରେ ବଙ୍ଗୀୟ ପରମ୍ପରା ଅନୁଯାୟୀ ସିନ୍ଦୂର ଖେଳ ଅନୁଷ୍ଠିତ ହୋଇଛି । ମହିଳାମାନେ ପରସ୍ପରକୁ ସିନ୍ଦୂର ଲଗାଇବା ସହ ନୃତ୍ୟ କରିଥିଲେ । ବାପଘରକୁ ଝିଅ ଆସିଲେ ତାକୁ ଅଳତା ସିନ୍ଦୂର ଲଗାଇ ବିଦାୟ ଦିଆଯାଏ । ଦେବୀ ଧରାପୃଷ୍ଠରୁ ବିଦାୟ ନେବାବେଳେ ଏମିତି କଲେ ମହିଳାମାନେ ସୌଭାଗ୍ୟବତୀ ହୋଇଥାନ୍ତି ବୋଲି ବିଶ୍ବାସ ରହିଛି ।

ଦୁର୍ଗାପୂଜାର ବିଶେଷ ଆକର୍ଷଣ ସାଜସଜ୍ଜା । ବିଭିନ୍ନ ସ୍ଥାନରେ ନିର୍ମିତ ଆକର୍ଷଣୀୟ ମେଢ଼ ଓ ତୋରଣ ଦେଖିବାକୁ ଶେଷଦିନରେ ପ୍ରବଳ ଭିଡ଼ ଲାଗିଛି । ରଙ୍ଗୀନ ଆଲୋକମାଳାରେ ଝଲସି ଉଠୁଛି ପରିବେଶ । ଚଟପଟି ଖାଦ୍ୟ ସାଙ୍ଗକୁ ଲୋକ ମୀନା ବଜାରର ମଜା ନେଉଛନ୍ତି । ସନ୍ଧ୍ୟାରେ ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତାକାଲି ଭସାଣି । ବିଭିନ୍ନ ମଣ୍ଡପରେ ବଙ୍ଗୀୟ ପରମ୍ପରାରେ ସିନ୍ଦୂର ଖେଳ ଅନୁଷ୍ଠିତ ହୋଇଛି । ଶାରଦୀୟ ଦୁର୍ଗାପୂଜାର ଶେଷଦିନରେ ମାଆଙ୍କ ସ୍ବତନ୍ତ୍ର ଅପରାଜିତା ପୂଜା ସହ ପୂର୍ଣ୍ଣାହୁତି ଦିଆଯାଉଛି  ।