ପୂଜା ମଣ୍ଡପରେ ଦେବୀ ଦୂର୍ଗାଙ୍କ ସ୍ଥାନରେ ପୂଜା ପାଇବ ପ୍ରବାସୀ ମହିଳାଙ୍କ ପ୍ରତିମୂର୍ତ୍ତି

କୋଲକାତା: କରୋନା ସମୟରେ ଯଦି କେହି ଅଧିକ କଷ୍ଟ ସହିଥାଏ, ସେ ହେଉଛନ୍ତି ପ୍ରବାସୀ ଶ୍ରମିକ । ଗାଡ଼ି ମଟର ଚଳାଚଳ ବନ୍ଦ ଏମାନଙ୍କ ପାଇଁ ଥିଲା ବୋଝ ଉପରେ ନଳିତା ବିଡ଼ା । ଲୁହଲହୁକୁ ଏକାଠି କରି ଚାଲିଚାଲି ନିଜ ରାଜ୍ୟକୁ ଫେରିବାକୁ ସେମାନେ ଅଣ୍ଟା ଭିଡ଼ିଥିଲେ । ସେଇ ଚିତ୍ର ସବୁ ଆଗକୁ ମଧ୍ୟ ଆମ ସ୍ମୃତିରେ ତାଜା ହୋଇ ରହିବ । ଲକଡାଉନ୍ କରୋନାକୁ ପ୍ରତିହତ କରିବା ପାଇଁ ଥିଲା । କିନ୍ତୁ ଲକଡାଉନ୍ ଅନେକଙ୍କ ଜୀବିକାକୁ ଲକ୍ କରିଦେଇଥିଲା । ଭୋକ ଭୂତାଣୁ ଭୟ ଉପରେ ଭାରି ପଡିଥିଲା । ଭୋକ ଦାଉରେ ପାଦ ଭିଟାମାଟି ଆଡକୁ ଚାଲିଥିଲା । ହଜାର ହଜାର କିଲୋମିଟର । ଉଦୁଉଦିଆ ଦି’ପହର । କିଛି ମଧ୍ୟ ଅଟକାଇ ପାରିନଥିଲା ସେମାନଙ୍କୁ । ନା ପୋଲିସର ମାଡ ନା ଭୂତାଣୁର ଡର । କେଉଁଠି ମା’ ପିଲାକୁ କାନ୍ଧରେ ପକାଇ, କେଉଁଠି ଟ୍ରଲି ଉପରେ ଶୋଇଥିବା ପିଲାକୁ ଭିଡିଭିଡି ନିଜ ମାଟି ମୁହାଁ ହୋଇଥିଲେ ପ୍ରବାସୀ ଶ୍ରମିକ । ସେ ଚିତ୍ର ସବୁ ମନରୁ କେବେ ଲିଭିବାର ନାହିଁ । ଚିତ୍ର ଯାହା ସାମୁହିକ ସ୍ମୃତି ପଟଳରେ ସବୁଦିନ ପାଇଁ ଅଲିଭା ହୋଇ ରହିଯିବ ।

ଦିନ କେଇଟା ପରେ ପୂଜା ମଣ୍ଡପରେ ପୂଜା ପାଇବେ ଜଗତଜନନୀ ମା ଦୂର୍ଗା । ସେଇ ପ୍ରବାସୀ ଶ୍ରମିକଙ୍କ ସଂଘର୍ଷ ବିଶେଷକରି ମା’ମାନଙ୍କର ପ୍ରତିକୂଳ ପରିସ୍ଥିତିରେ ନିଜ ପିଲାଙ୍କ ପାଇଁ ମମତାର କାହାଣୀକୁ ଏଥରକ ମନେ ପକାଉଛି କୋଲକାତାର ଏକ ପୂଜା ମଣ୍ଡପ । କୋଲକାତାର ଏକ ପୂଜା ମଣ୍ଡପରେ ମା ଦୂର୍ଗାଙ୍କ ପରିବର୍ତ୍ତେ ପୂଜା ପାଇବ ମହିଳା ପ୍ରବାସୀ ଶ୍ରମିକଙ୍କ ପ୍ରତିମୂର୍ତ୍ତି । ଯେଉଁଥିରେ ନଜର ଆସିବ କରୋନା ସମୟର ସଂଘର୍ଷର କାହାଣୀ । ଉଦୁଉଦିଆ ଖରାବେଳେ କୁନି ଶିଶୁକୁ କାନ୍ଧରେ ଧରି କିଭଳି ନିସହାୟ ମା ସଂଘର୍ଷ କରୁଥିଲା ତାହା ପ୍ରତିମୂର୍ତ୍ତି ମାଧ୍ୟମରେ ଦେଖିବାକୁ ପାଇବେ ଭକ୍ତ । ତେବେ ’ଚାଲିବାକୁ ଅଛି ରାସ୍ତା ବହୁ ଦୂର’ ଥିମ ସହିତ ଏହି ମୂର୍ତ୍ତି ନିର୍ମାଣ ହୋଇଛି । ଏହି ମୂର୍ତ୍ତିକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଖୁବ ଉତ୍ସାହ ଭରି ରହିଛି । ତେବେ ପ୍ରତ୍ୟେକ ମା ଯେ ଜଣେ ଦେବୀ ଏଥିରେ କୌଣସି ସନ୍ଦେହ ନାହିଁ ।

Leave a Reply