ମଦ ପିଉଥିଲେ ସାବଧାନ ,ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରେ ବି ନକଲି ମଦ

1 min read

ଭୁବନେଶ୍ବର : ଗରାଖଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଚାଲିଥିଲା ମଦ କାରବାର । ବ୍ରାଣ୍ଡେଡ଼ ମଦ ନାଁରେ ବିକ୍ରି ହେଉଥିଲା ବିଷ । ଅବକାରୀ କମିଶନରଙ୍କ ନିର୍ଦ୍ଦେଶରେ ମାରାଥନ ରେଡ । ବିଷାକ୍ତ ମଦ ଉପରେ ଚଢ଼ିଲା ବୁଲଡୋଜର ।  ଆପଣ ଟଙ୍କା ଦେଇ ସରକାରୀ ସ୍ୱୀକୃତିପ୍ରାପ୍ତ ବିଦେଶୀ ମଦ ଦୋକାନରୁ କିଣୁଥିବା ମଦ ଅରିଜିନାଲ ନୁହେଁ । ଏଥିରେ ବି ମିଶିପାରିଥାଏ ବିଷାକ୍ତ କେମିକାଲ । ଡୁପ୍ଲିକେଟ ମଦ ତିଆରି ନେଇ ବିଶ୍ୱସ୍ତ ସୁତରୁ ଖବର ପାଇବା ପରେ ଅବକାରୀ ବିଭାଗ ପକ୍ଷରୁ ବରମୁଣ୍ଡା ଓଭରବ୍ରିଜ ନିକଟରେ ଥିବା ମଦ କାଉଣ୍ଟରରେ ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ବିପୁଳ ପରିମାଣର ମଦ ଅପମିଶ୍ରଣ ହେଉଥିବା ଜଣାପଡିଛି । ଦୋକାନରେ କାମ କରୁଥିବା ସେଲସମ୍ୟାନ ମଦରେ ମିଶାଉଥିଲା ବିଷାକ୍ତ କେମିକାଲ । ନିଜେ ଅବକାରୀ କମିଶନର ଏଠାରେ ପହଞ୍ଚିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ନିର୍ଦ୍ଦେଶ ଦେବା ପରେ ଅପମିଶ୍ରିତ ମଦ ବୋତଲ ଉପରେ ସର୍ବସମ୍ମୁଖରେ ଚଢ଼ିଛି ବୁଲଡୋଜର ।

ଲାଇସେନ୍ସପ୍ରାପ୍ତ ମାଲିକଙ୍କ ଘର ବିହାର ହୋଇଥିବା ବେଳେ ତାଙ୍କୁ ଧରିବା ପାଇଁ ଗଠନ ହୋଇଛି ଟିମ । ଏକ୍ସାଇଜ ଆକ୍ଟ ଅନୁଯାୟୀ ଦୋକାନକୁ ସିଲ କରାଯାଇଛି । ଲାଇସେନ୍ସ ରଦ୍ଦ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରାଯିବା ଭଳି ପ୍ରବଧାନ ରହିଛି । ସିଲ କୋଲକତାରୁ ଆସୁଥିବା ବେଳେ ହୋଲୋଗ୍ରାମ କଲର ଜେରକ୍ସ ସାହାଯ୍ୟରେ ନକଲ ହେଉଥିବା ଜାଣିବାକୁ ପାଇଛି ଅବକାରୀ ବିଭାଗ । ବିଗତ ୬ ମାସ ତଳୁ ବରମୁଣ୍ଡା କାଉଣ୍ଟରରେ ଚାଲିଥିଲା ନକଲି ମଦ ବିକ୍ରି। ଆଗକୁ ଗ୍ରାହକମାନଙ୍କ ପାଇଁ ଅସଲି ଓ ନକଲି ମଧ୍ୟରେ ଫରକ ଜାଣିବା ପାଇଁ ମାର୍ଗଦର୍ଶିକା ଜାରି ହେବ । ମଦ ପିଇବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ । ଏହା ଜାଣି ମଧ୍ୟ ମଦ କିଣୁଥିବା ଗରାଖ QR code ସାହାଯ୍ୟରେ ପରଖି ନେବାର ଆବଶ୍ୟକତା ଥିବା କହିଛନ୍ତି ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ ।

କିଛି ଦିନ ତଳେ ଚିକିଟି ମଦମୃତ୍ୟୁ ଘଟଣା ସାରା ରାଜ୍ୟରେ ଚହଳ ପକାଇଥିଲା । ଏକଥା ମନରୁ ନଲିଭୁଣୁ ପୁଣି ରାଜଧାନୀରେ ନକଲି ମଦ ବିକ୍ରି ହେବା ଘଟଣା ମାଫିଆଙ୍କ ମୁଖା ଖୋଲିଦେଇଛି ।