ଅସରାଏ ବର୍ଷାରେ ଧସିଗଲା ରାସ୍ତା
1 min read
ଡୁଙ୍ଗୁରିପାଲି : ନିର୍ମାଣକୁ ମାସେ ବି ଗଲାନି। ଅସରାଏ ବର୍ଷାରେ ଧସିଗଲା ରାସ୍ତା । ପୂର୍ତ୍ତ ବିଭାଗ ରାସ୍ତା କାମରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ବଲାଙ୍ଗୀର ଆଗଲପୁର ବ୍ଲକ ହରଭଙ୍ଗା ଓ ଡୁଙ୍ଗୁରିପାଲି ମଧ୍ୟରେ କୋଠିଜୋର ଉପରେ ସେତୁ ନିର୍ମାଣ କରାଯାଇଥିଲା l ସେତୁର ଉଭୟ ପାର୍ଶ୍ଵରେ ଆପ୍ରୋଚ ରୋଡ୍ ନିର୍ମାଣ ହୋଇଥିଲା । ଅସରାଏ ବର୍ଷାରେ ମାଟି ଧସିଯାଇ ପିଚୁ ରାସ୍ତାର ଦୂରାବସ୍ଥା ହୋଇଛି। ପିଚୁ ଫାଟି ଆଁ ମେଲା କରିଛି । ରାସ୍ତା ଧୋଇହୋଇ ୧୫ରୁ ୨୦ ଫୁଟର ଗର୍ତ୍ତ ସୃଷ୍ଟି ହୋଇଛି । ରାସ୍ତା କଡ଼ରେ ଥିବା ଗାର୍ଡ଼ ଖମ୍ଭ ମଧ୍ୟ ଉପୁଡ଼ି ଗଲାଣି । ଆପ୍ରୋଚ ରାସ୍ତା ତିଆରି ହେଲା। କିନ୍ତୁ ଗାର୍ଡ଼ୱାଲ ନିର୍ମାଣ କରାଗଲାନି। ମୋରମ ସ୍ଥାନରେ ମାଟି ପକାଇ ସଂଯୋଗ ରାସ୍ତା ନିର୍ମାଣ ସହିତ କାମ ନିମ୍ନମାନର ହୋଇଥିବାରୁ ଏପରି ସ୍ଥିତି ସଷ୍ଟି ହୋଇଥିବା ଅଭିଯୋଗ ହୋଇଛି।
ନିମ୍ନମାନର ରାସ୍ତା କାମ ପାଇଁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି l ଆଗକୁ ବଡ଼ ବର୍ଷା ହେଲେ ରାସ୍ତା ସମ୍ପୂର୍ଣ୍ଣ ଭାବେ ଧୋଇଯିବା ଆଶଙ୍କା ଦେଖାଦେଇଛି । ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି ଉଠିଛି। ଏହାସହିତ ରାସ୍ତା ମରାମତି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଅନ୍ୟପଟେ ଏନେଇ ଯୋଗାଯୋଗ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ l ରାସ୍ତା ନିର୍ମାଣ ପାଇଁ ରାଜକୋଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସରକାରୀ ଅର୍ଥ ପାଣିରେ ପଡୁଛି ।