ମିଶରର ଏହି ସହର ଉପରେ ‘ବିଛା’, ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ

ମିଶର : ରାସ୍ତାରେ ବିଛା ଚାଲୁଥିବା ଆପଣ ଦେଖିଥିବେ ମାତ୍ର, ବିଛା ପାଇଁ କୈାଣସି ସହରରେ ଯାତାୟତ ବ୍ୟବସ୍ଥା ଉପରେ ରୋକ ଲାଗିଥିବା କଥା ଶୁଣିଛନ୍ତି କି ? ହଁ ଏହିଭଳି କିଛି ଘଟଣା ଦେଖିବାକୁ ମିଳିଛି ମିଶରର ଦକ୍ଷିଣ ଦିଗରେ ଅବସ୍ଥିତ ଇଶ୍ୱାନ ସହରରେ । ବାତ୍ୟା ପରେ ଏଠାରେ ରାସ୍ତାର ଅନେକ ସ୍ଥାନରେ ବିଛା ଚାଲୁଥିବାର ଦେଖିବାକୁ ମିଳିଛି । ବିଛା ଆକ୍ରମଣ ହେତୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୫୦୦ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଦୁନିଆର ସବୁଠାରୁ ବିଶାକ୍ତ ବିଛା ଏଠାକାର ରାସ୍ତାମାନଙ୍କରେ ବୁଲୁଥିବା ବେଳେ ଘରେ ମଧ୍ୟ ପଶିଯାଇଥିବା ଜଣାପଡ଼ିଛି । ଗଭର୍ଣ୍ଣର କାର୍ଯ୍ୟାଳୟ ନିକଟରେ ଥିବା ପାହାଡ଼ିଆ ଅଞ୍ଚଳରେ ମଧ୍ୟ ବିଛା ଆକ୍ରମଣ କରିଥିବା ଜଣାପଡ଼ିଛି । ଏଭଳି ବିପଦ ଉପୁଜିଥିବାରୁ ଡାକ୍ତରମାନଙ୍କ ଛୁଟି ରଦ୍ଧ କରିଦିଆଯାଇଛି ।

ମିଶରର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରତିନିଧିଙ୍କ କହିବାନୁସାରେ ବିଛା କାମୁଡ଼ାରେ ୮୯ଜଣ ବ୍ୟକ୍ତିଙ୍କୁ ଅଶ୍ୱାନ ୟୁନିଭରସିଟିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କେବଳ ଏତିକି ନୁହେଁ ଶହେରୁ ଅଧିକ ଲୋକେ ସହରର ଅନ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଗତ ଶୁକ୍ରବାର ରାତିରେ ଅଶ୍ୱାନର ଗଭର୍ଣ୍ଣର ଅସରଫ ଅତ୍ରିୟା ନୀଳ ନଦୀରେ ଯାତାୟତ କରୁଥିବା ଜାହାଜକୁ ସହରରେ ପ୍ରବେଶ ପାଇଁ ନିଷେଧ କରିଥିବା ବେଳେ କେତେକ ସହରରେ ଯାତାୟତ ବ୍ୟବସ୍ଥା ବନ୍ଦ କରିଦିଆଯାଇଛି । ଏଥିସହ ଜଙ୍ଗଲ ଥିବା ସ୍ଥାନକୁ ଯିବା ପାଇଁ ସ୍ଥାନୀୟ ଲୋକଙ୍କୁ ବାରଣ କରାଯାଇଛି ।

କିଛି ଦିନ ପୂର୍ବରୁ ମିଶରରେ ହୋଇଥିବା ବାତ୍ୟା କାରଣରୁ ଏହି ବିଛାମାନେ ପଳେଇଆସିଥିବା କଥା କୁହାଯାଉଛି । ଏଠାରେ ଥିବା ବିଛା ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ବିଛା । ଡାକ୍ତରଙ୍କ କହିବାନୁସାରେ ଏହି ବିଛା କାମୁଡ଼ିବାର ୧ ଘଣ୍ଟା ଭିତରେ ଯଦି ସଠିକ୍ ଚିକିତ୍ସା କରାନଯାଏ, ତେବେ ବ୍ୟକ୍ତି ଜଣଙ୍କର ମୃତ୍ୟୁ ସୁନିଶ୍ଚିତ । ଏହି ବିଛା କାମୁଡ଼ିବା ପରେ ବ୍ୟକ୍ତିର ମୁଣ୍ଡ ବୁଲାଇବା ସଙ୍ଗେ ସଙ୍ଗେ ନିଶ୍ୱାସ ନେବାରେ ମଧ୍ୟ ଅସୁବିଧା ହୋଇଥାଏ ।

Leave a Reply