ଉପନିର୍ବାଚନରେ ଭୋଟର ଦେଲେ ବିଜେପିକୁ ଦରଦାମ ବୃଦ୍ଧିର ଜବାବ

ଭୁବନେଶ୍ୱର: ବିଜେପିକୁ ‘ମହଙ୍ଗା’ ମାଡ଼ । ଉପନିର୍ବାଚନ ଫଳ କଲା ଫେଷ୍ଟିଭ ମୁଡ୍‌କୁ ଫିକା । ହିନ୍ଦୀ ହାର୍ଟଲ୍ୟାଣ୍ଡରେ ମଉଳିଲା ପଦ୍ମ ପାଖୁଡା । ବିରୋଧୀ କଂଗ୍ରେସ ପାଇଁ ଅଚ୍ଛେ ଦିନ । କର୍ଣ୍ଣାଟକ, ହିମାଚଳ ପ୍ରଦେଶ ଓ ହରିୟାଣା ଉପନିର୍ବାଚନରେ ବିଜେପି କ୍ଲିନ ବୋଲ୍ଡ । ଏହି ତିନି ରାଜ୍ୟରେ ବିଜେପି କ୍ଷମତାରେ ଥିଲେ ବି କଂଗ୍ରେସ ଚାଖିଛି ବିଜୟ ସ୍ୱାଦ । ପଶ୍ଚିମବଙ୍ଗରେ ତ ଦିଦିଙ୍କୁ ହାତ ମାରିବା ବିଜେପି ପାଇଁ ମୁସକିଲ ହୋଇ ପଡ଼ିଲାଣି । ଗତକିଛି ମାସ ମଧ୍ୟରେ ଉପନିର୍ବାଚନ ଫଳାଫଳ ବିଜେପିକୁ ଆଇନା ଦେଖାଇଛି ।

ଆଞ୍ଚଳିକ ଦଳର ଦବ୍‌ଦବା ବଢୁଥିବା ବେଳେ କଂଗ୍ରେସ ପାଇଁ ଆଣିଛି ଶୁଭ ସଙ୍କେତ । ଦର ବୃଦ୍ଧି ନେଇ ଜନ ଅସନ୍ତୋଷ ଉପନିର୍ବାଚନରେ ବଡ଼ କାରଣ ଭାବେ ଉଭା ହୋଇଛି । ସବକା ସାଥ୍ ସବକା ବିକାଶର ଗାଥା ଗାଉଥିବା ବିଜେପି ଉପରୁ ଆସ୍ଥା ହରାଇଛନ୍ତି ଲୋକେ । ନୂଆ କୃଷି ଆଇନ ସାଙ୍ଗକୁ ଦରଦାମ ବୃଦ୍ଧି ପାଇଁ ବିଜେପିଠୁ ମୁହଁ ମୋଡିଛନ୍ତି ଭୋଟର । ବିଜେପି ସରକାରଙ୍କ କର୍ପୋରେଟ ପ୍ରୀତି, ଚାଷୀ ମାରଣ ନୀତି ସାବ୍ୟସ୍ତ ହେଲାଣି । ସେଥିପାଇଁ ଭୋଟର ବିରୋଧୀଙ୍କୁ ଆଗକୁ ଆଣିଛନ୍ତି । ଦରଦାମ ବଢୁଥିବା ବେଳେ ବିଜେପିର ଦମ ଖସୁଥିବା ବିଜେଡି ଓ କଂଗ୍ରେସ ନେତା କହିଛନ୍ତି ।

ଦେଶର ଉପନିର୍ବାଚନ ଫଳ ବିଜେପି ବିରୋଧରେ ଯାଉଛି । ବିଜେପି ବିରୋଧୀ ହାଓ୍ବା ବହୁ ପୂର୍ବରୁ ଓଡ଼ିଶାରେ ଦେଖିବାକୁ ମିଳିଥିଲା । ୨୦୧୯ ନିର୍ବାଚନରେ ବିଜେପି ଜିତିଥିବା ବାଲେଶ୍ୱର ବିଧାନସଭାକୁ ଉପନିର୍ବାଚନରେ ହରାଇଥିଲା । ତିର୍ତ୍ତୋଲ ଓ ପିପିଲିରେ ସମଦଶା ଭୋଗିଛି ଗେରୁଆ ଦଳ । ସେପଟେ ପରାଜୟର ସମୀକ୍ଷା କଥା କହି ଦରଦାମ ବୃଦ୍ଧିର କାରଣକୁ ଏଡ଼ାଇ ଯାଇଛି ବିଜେପି ।

ଦର ବୃଦ୍ଧି ପାଇଁ ଭୁଶୁଡିଥିଲା କଂଗ୍ରେସ ସରକାର । ତାକୁ ହିଁ ମୁଖ୍ୟ ପ୍ରସଙ୍ଗ କରି କ୍ଷମତାକୁ ଦୁଇ ଦୁଇ ଥର ଆସିଲାଣି ଏନଡିଏ । ହେଲେ ଏଥର ଲୋକେ ବିଜେପିର ପ୍ରକୃତ ଚେହେରା ଦେଖିସାରିଲେଣି । ଯାହା ଦଳ ପାଇଁ ଦୁର୍ଗତି ଡାକି ଆଣିଛି । ତ୍ରୁଟିପୂର୍ଣ୍ଣ ନୀତିର ଓକିଲାତି ଛାଡ଼ି ଦେଶ ନସଜାଡ଼ିଲେ ଆଗକୁ ବିଜେପି ବ୍ୟାକଫୁଟକୁ ଆସିବା ନେଇ ବିଶେଷଜ୍ଞ ଅନୁମାନ କଲେଣି ।

Leave a Reply