କୋଭିଡ ସହ ଯୁଝୁଛି କମିଶନରେଟ୍ ପୋଲିସ: ୧୧ଶହ ପୋଲିସ କର୍ମଚାରୀ ଏବେ କରୋନା କବଳିତ

ଭୁବନେଶ୍ୱର: ବଢୁଛି ଅପରାଧ, ବିଗୁଡୁଛି ଆଇନଶୃଙ୍ଖଳା । କ୍ରାଇମ କଣ୍ଟ୍ରୋଲ ଦାୟିତ୍ୱରେ ଥିବା କରୋନା ଯୋଦ୍ଧା ଏବେ କୋଭିଡ ସଂକ୍ରମିତ । କମିଶନରେଟ ପୋଲିସର ୧୧ ଶହ ପୋଲିସ କର୍ମଚାରୀ କରୋନାରେ ସଂକ୍ରମିତ ହେବା ପରେ ଟୁଇନ ସିଟିରେ କୋଭିଡ ଏନଫୋର୍ସମେଣ୍ଟ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

କରୋନା କବଳରେ କରୋନା ଯୋଦ୍ଧା । କୋଭିଡ ସହ ଯୁଝୁଛି କମିଶନରେଟ୍ ପୋଲିସ୍ । ୧୧ ଶହ ଆକ୍ରାନ୍ତ, ୪ ମୃତ । ମାନବ ସମ୍ବଳ ଅଭାବରୁ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା । ଟୁଇନ ସିଟିରେ କେଉଁଠି ଆଇଆଇସି ନାହାନ୍ତି ତ ଆଉ କେଉଁଠି ଥାନାବାବୁଙ୍କୁ ଛାଡି ସମସ୍ତେ କରୋନା ପଜିଟିଭ । ଭୁବନେଶ୍ୱରର ୮ ଥାନଧିକାରୀ କରୋନା ସଂକ୍ରମିତ ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଜୋନ ୧, ଜୋନ ୩  ଓ ଜୋନ ୪ ଏସିପିଙ୍କ ସହ ଅତିରିକ୍ତ ଡିସିପି ବି କରୋନା ସଂକ୍ରମିତ । ମହାମାରୀ ଯୋଗୁଁ ରାଜ୍ୟରେ ୩୩ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ କମିଶନରେଟ ପୋଲିସ ୪ ଦକ୍ଷ କର୍ମଚାରୀଙ୍କୁ ହରାଇଛି ।

ଟ୍ୱିନ୍‌ସିଟିର ସୁରକ୍ଷା ଦାୟିତ୍ୱରେ ଥିବା ୧୧ ଶହ ପୋଲିସ କର୍ମଚାରୀ ଏବେ କରୋନା କବଳିତ । ଏଭଳି କ୍ଷେତ୍ରରେ ଆଇନଶୃଙ୍ଖଳା ଏବେ ପୋଲିସ୍ ପାଇଁ ଚ୍ୟାଲେଞ୍ଜ ହୋଇଛି । ସେପଟେ ଥାନାରେ କର୍ମଚାରୀଙ୍କୁ ଥର୍ମାଲ ସ୍କ୍ରିନିଂ, କରୋନା କିଟ୍ ପ୍ରଦାନ ଓ ନିୟମିତ ସ୍ୱାସ୍ଥ୍ୟବସ୍ଥାର ଯାଞ୍ଚର କରିବା ପାଇଁ ପରାମର୍ଶ ଦେଇଛନ୍ତି ବରିଷ୍ଠ ଆଇନଜୀବୀ । ଟ୍ୱିନ୍‌ସିଟିରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ପ୍ରତ୍ୟକ୍ଷ ଦୃଷ୍ଟି ଦେବା ସହ କୋଭିଡ ନିୟମ ଉଲଂଘନକାରୀଙ୍କ ବିରୋଧରେ କଠୋର ହେବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ପରିସ୍ଥିତିର ଫାଇଦା ନେଇ ସହରରେ ଲୁଟ ଓ ରାହାଜାନି ଏକ ପ୍ରକାର ବୃଦ୍ଧି ପାଇଛି । ତେଣୁ ଯେଉଁ ଜିଲ୍ଲାରେ କରୋନା ସ୍ଥିତି ଭଲ ଅଛି ସେଠାରୁ କିଛି ପୋଲିସଙ୍କୁ ଆଣିବା ସହ ଟ୍ରାଫିକ ଭଲ୍ୟୁଣ୍ଟର ନିୟୋଜିତ କଲେ ପରିସ୍ଥିତି ନିୟନ୍ତ୍ରଣ କୁ ଆସିପାରିବ ବୋଲି କହିଛନ୍ତି ଅବସରପ୍ରାପ୍ତ ପୋଲିସ ଅଧିକାରୀ । ଗତ ୬ ମାସ ଭିତରେ ପ୍ରାୟ ଦେଢ଼ ଲକ୍ଷ କୋଭିଡ ନିୟମ ଉଲଂଘନକାରୀଙ୍କ ଠାରୁ  ୨ କୋଟିରୁ ଅଧିକ ଫାଇନ ଆଦାୟ ସାରିଲାଣି ପୋଲିସ୍ । ତଥାପି କିଛି ଅମାନିଆଙ୍କ ପାଇଁ ରାଜଧାନୀରେ ବୋଲ ମାନୁନି କରୋନା ।

Leave a Reply