ଟମାଟୋ କେଜି ଟଙ୍କାଟେ: ଚାଷ କଥା ଛାଡ଼, ଉଠୁନି ତୋଳିବା ଖର୍ଚ୍ଚ

1 min read

ବଲାଙ୍ଗୀର: ଆଗଲପୁରରେ ଟମାଟୋର ଅଭାବୀ ବିକ୍ରି । କେଜି ପ୍ରତି ଟଙ୍କାଏ ଯାଚିଲେ ବି ନେଉ ନାହାନ୍ତି ବେପାରୀ । ତୋଳିବା ଖର୍ଚ୍ଚ ବି ଉଠୁ ନାହିଁ। ଟମାଟୋ ଟ୍ରେ ମାତ୍ର ୨୦ରୁ ୩୦ ଟଙ୍କାରେ ବିକ୍ରି ହେଉଛି । ଅମଳ ଫସଲକୁ ଗଚ୍ଛିତ ରଖିବା ପାଇଁ ଶୀତଳଭଣ୍ଡାର ଟିଏ ନଥିବାରୁ ବାଧ୍ଯ ହୋଇ ଅଳ୍ପ ଦରରେ ଟମାଟୋ ବିକ୍ରି କରୁଛନ୍ତି ଚାଷୀ । ଏଭଳି ପରିସ୍ଥିତିରେ କିପରି ଋଣ ସୁଝିବେ ଓ ପରିବାର ପ୍ରତିପୋଷଣ କରିବେ ତାକୁ ନେଇ ବଢ଼ିଛି ଚିନ୍ତା ।

ଆଗଲପୁର ବ୍ଲକରେ କିଲୋ ପ୍ରତି ଟଙ୍କାଟିଏରୁ ମଧ୍ୟ କମ ପଇସାରେ ବେପାରୀ ଟମାଟୋ ମାଗୁଥିବା କହିଛନ୍ତି ଚାଷୀ । ଅଞ୍ଚଳରେ ଏକର ଏକର ଜମିରେ ଚାଷୀ ଟମାଟୋ ଚାଷ କରିଥିବା ବେଳେ ଏବେ ବେପାରୀଙ୍କ ଶୋଷଣର ଶିକାର ହେଉଛନ୍ତି  l ବେପାରୀ ବିଲକୁ ଯାଇ ଟଙ୍କାଟିଏ ଦରରେ ଚାଷୀଙ୍କଠାରୁ ଟମାଟୋ କିଣୁଛନ୍ତି l କିଛି ଚାଷୀଙ୍କଠାରୁ ୨୦ରୁ ୩୦ ଟଙ୍କାରେ ଟମାଟୋ ଟ୍ରେ କିଣି ନେଉଛନ୍ତି । ଏହି ପରିସ୍ଥିତିରେ ଅନେକ ଚାଷୀ ବିଲରେ ପାଣି ମଧ୍ୟ ଦେଇପାରୁନାହାଁନ୍ତି । ଫଳରେ ଟମାଟୋ ଶୁଖି ନଷ୍ଟ ହେଉଛି ।

ସୂଚନାଯୋଗ୍ୟ, ବଲାଙ୍ଗୀର ଜିଲ୍ଲାରେ ଶୀତଳଭଣ୍ଡାର ଟିଏ ନାହିଁ । ଯାହାଦ୍ଵାରା ଚାଷୀ ଟମାଟୋକୁ ସୁରକ୍ଷିତ କରି ରଖି ପାରୁନାହାଁନ୍ତି । ଫଳରେ ବାଧ୍ଯ ହୋଇ ଶାଗ ମାଛ ଦରରେ ଚାଷୀ ଟମାଟୋ ବିକି ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ଏତେ କମ ଦରରେ ଟମାଟୋ ବିକ୍ରି ହେଉଥିବାରୁ ଚାଷୀ କିପରି ଋଣ ସୁଝିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି । ଏଭଳି ପରିସ୍ଥିତିରେ ଜିଲ୍ଲା ସ୍ତରରେ ଟମାଟୋର ଏକ ସର୍ବନିମ୍ନ ଦର ଲାଗୁ କରିବା ସାଙ୍ଗକୁ ବ୍ଲକରେ ଶୀତଳ ଭଣ୍ଡାରେ ନିର୍ମାଣ କରିବାକୁ ଦାବି କରିଛନ୍ତି ଚାଷୀ ।