ଶୀତରେ ଥରୁଥିଲେ ଭିକାରୀ: ସାହାଯ୍ୟ କରିବାକୁ ପାଖକୁ ଯାଇ ଦେଖିଲା ବେଳକୁ ସେ ଥିଲେ ତାଙ୍କ ବ୍ୟାଚ୍‌ର ପୋଲିସ ଅଧିକାରୀ

1 min read

ଗ୍ୱାଲିୟର: କିଛି ଲୋକଙ୍କ ଜୀବନରେ ଏମିତି କିଛି ଅତୀତ ଥାଏ, ଯାହା ସେମାନଙ୍କ ବର୍ତ୍ତମାନର ସ୍ଥିତି ଦେଖି କେବେ ଅନୁମାନ ବି କରିହୁଏନା । ସେମିତି ହିଁ ଜଣେ ବ୍ୟକ୍ତି ହେଉଛନ୍ତି ମନୀଷ ମିଶ୍ର । ସଦ୍ୟ ସମାପ୍ତ ମଧ୍ୟପ୍ରଦେଶ ଉପ-ନିର୍ବାଚନର ମତ ଗଣନା ପରେ ପରେ ଡିଏସପି ରତ୍ନେଶ ସିଂହ ତୋମାର ଏବଂ ବିଜୟ ସିଂହ ଭଦୋରିଆ ଝାନ୍ସି ରୋଡରୁ ବାହାରିଥିଲେ । ଦୁହେଁ ବନ୍ଧନ ବାଟିକା ଫୁଥ୍‌ପାଥ୍‌ ଦେଇ ଯିବା ବେଳେ ହଠାତ୍ ରାସ୍ତା କଡ଼ରେ ଥଣ୍ଡାରେ ଥରୁଥିବା ଜଣେ ଭିକାରୀଙ୍କ ଉପରେ ତାଙ୍କ ନଜର ପଡ଼ିଥିଲା । ତାଙ୍କୁ ଦେଖିବା ପରେ ସେମାନେ ସଙ୍ଗେ ସଙ୍ଗେ ଗାଡ଼ି ଅଟକାଇଥିଲେ ଏବଂ ତାଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିଥିଲେ । ରତ୍ନେଶ ନିଜ ଜୋତା ଏବଂ ଡିସିପି ବିଜୟ ସିଂହ ଭଦୋରିଆ ନିଜ ଜ୍ୟାକେଟ ତାଙ୍କୁ ଦେଇଥିଲେ । ଏହା ପରେ ଦୁହେଁ ସେହି ଭିକାରୀ ଜଣଙ୍କ ସହ କଥାବାର୍ତ୍ତା ହୋଇ ତା’ ବିଷୟରେ ଜାଣିବାକୁ ଚେଷ୍ଟା କରିଥିଲେ । ଆଉ ସେମାନେ ସେହି ଭିକାରୀ ଜଣଙ୍କ ଠାରୁ ଯାହା ଜାଣିବାକୁ ପାଇଥିଲେ ତାହା ସେମାନଙ୍କୁ ହତବାକ୍ କରିଦେଇଥିଲା । କାହିଁକି ନା ସେହି ଭିକାରୀ ଜଣଙ୍କ ଥିଲେ DSP ରତ୍ନେଶଙ୍କ ବ୍ୟାଚ୍‌ର ଅଧିକାରୀ ମନୀଷ ମିଶ୍ର ।

ସେ ଗତ କିଛି ବର୍ଷ ହେଲା ପାଗଳଙ୍କ ଭଳି ବୁଲୁଛନ୍ତି । ମନୀଷ  ଜଣେ  ପୋଲିସ ଅଧିକାରୀ ଥିଲେ । କେବଳ ସେତିକି ନୁହେଁ, ସେ ଜଣେ ଭଲ  ସୁଟର ମଧ୍ୟ ଥିଲେ । ମନୀଷ ୧୯୯୯ରେ ପୋଲିସ ଫୋର୍ସରେ ଭର୍ତ୍ତି ହୋଇଥିଲେ । ପରେ ବିଭିନ୍ନ ଥାନାରେ ସେ ଥାନାଦାର ଭାବେ ନିଯୁକ୍ତ ହୋଇଥିଲେ । ସେ ୨୦୦୫ ଯାଏଁ ପୋଲିସ ଚାକିରି କରିଥିଲେ । ଶେଷ ଥର ପାଇଁ ସେ ବତେର ଥାନା ପ୍ରଭାରୀଭାବେ ଦାୟିତ୍ୱ ତୁଲାଇଥିଲେ । ଧିରେ ଧିରେ ତାଙ୍କ ମାନସିକ ସ୍ଥିତି ଖରାପ ହୋଇଥିଲା । ଘର ଲୋକ ତାଙ୍କ ଉପରେ ବିରକ୍ତ ହୋଇଥିଲେ । ତାଙ୍କର ଚିକିତ୍ସା ନେଇ ବହୁ ଜାଗାକୁ ନେଇଥିଲେ । ଏକଦା କାହାରିକୁ ନ ଜଣାଇ ସେ ଘରୁ ଚାଲିଆସିଥିଲେ ।

ଦୀର୍ଘ ଦିନ ପରେ ଦେଖା ହୋଇଥିବାରୁ ଦୁହେଁ ମନୀଷ ସହ ଦୀର୍ଘ ସମୟ ଧରି କଥାବାର୍ତ୍ତା ହୋଇଥିଲେ । ଆଉ ପୁରୁଣା ଦିନର ସ୍ମୃତି ସାଉଁଟିଥିଲେ । ଏବଂ ତାଙ୍କୁ ନେଇ ଘରକୁ ଯିବାକୁ ଜିଦ୍ ମଧ୍ୟ ଧରିଥିଲେ । ସେ କିନ୍ତୁ ରାଜି ନହେବାରୁ ମନୀଷଙ୍କୁ ସେମାନେ ଏକ ସାମାଜିକ ସଂସ୍ଥାକୁ ପଠାଇଦେଇଥିଲେ ।

Leave a Reply