ସ୍ୱାମୀ ସାଜିଲା ସୈତାନ, ସ୍ତ୍ରୀକୁ ଜୀଅନ୍ତା ଜାଳିଦେଲା

କୁଚିଣ୍ଡା: ସ୍ୱାମୀ ସାଜିଲା ସୈତାନ । ସ୍ତ୍ରୀକୁ ଜାଳି ମାରିଦେଲା ସ୍ୱାମୀ । ଏଭଳି ଏକ ଅଭାବନୀୟ ଘଟିଛି କୁଚିଣ୍ଡା ମହୁଲପାଲି ଥାନା ପଠାଟାଙ୍ଗର ଗାଁରେ । ମୃତକଙ୍କ ନାମ ଲିଲିମା ରଣା ବୋଲି ଜଣାପଡିଛି । ଏହି ଅଭାବନୀୟ ଘଟଣା ପରେ ଅଭିଯୁକ୍ତକୁ କାବୁ କରି ପୋଲିସ ଜିମା ଦେଇଛନ୍ତି ସ୍ଥାନୀୟ ଲୋକ ।

ସୂଚନା ଅନୁସାରେ ଫଠାଟାଙ୍ଗ ଗାଁର ଲିଲିମା ରଣା ଓ ତାଙ୍କ ସ୍ୱାମୀ ରଘୁରାଜ ରଣାଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା । ମଦ୍ୟପାନ କରି ଘରକୁ ଆସି ସ୍ତ୍ରୀ ଲିଲିମା ରଣାଙ୍କ ସହ ପାଟିତୁଣ୍ଡ କରିଥିଲା ରଘୁରାଜ । ପାଟିତୁଣ୍ଡରେ ଅସହ୍ୟ ହୋଇ ଲିଲିମା ତା’ର ବାପ ଘରକୁ ଚାଲିଯାଇଥିଲା । କିନ୍ତୁ ତାଙ୍କ ବାପା ଲିଲିମାଙ୍କୁ ବୁଝାଇ ଝିଅକୁ ରାତି ୧୧ଟାରେ ଆଣି ସ୍ୱାମୀଙ୍କ ପାଖେ ଛାଡ଼ିଥିଲେ । କିନ୍ତୁ ମଦ୍ୟପାନ କରିଥିବା ସ୍ବାମୀ ଉତ୍ୟକ୍ତ ହୋଇ ଘରେ କିରାସିନି ଢାଳି ସ୍ତ୍ରୀ ଲିଲିମାଙ୍କୁ ଜାଳି ଦେଇଥିଲା । ଲିଲିମାଙ୍କ ଚିତ୍କାର ଶୁଣି ପଡୋଶୀ ଆସି ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଲିଲିମାଙ୍କ ମୃତ୍ୟୁ ପରେ ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ।