ପୋଲିସ ପଞ୍ଝାରେ ଲେଡି ଡନ: ଖତମ ହେଲା ଦିଲ୍ଲୀ ଲେଡି ଡନ ଜୋୟା ଖାଁର ଖେଳ

ନୂଆଦିଲ୍ଲୀ: ପୋଲିସ ପଞ୍ଝାରେ ଲେଡି ଡନ୍ । ଶେଷରେ ଖତମ ହେଲା ଦିଲ୍ଲୀର ଲେଡି ଡନ ତଥା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାସିମ ବାବାର ପତ୍ନୀ ଜୋୟା ଖାଁର ଖେଳ। ପ୍ରାୟ ୧ କୋଟି ଟଙ୍କାର ୨୭୦ ଗ୍ରାମ ହେରୋଇନ ରଖିଥିବା ଅଭିଯୋଗରେ ତାକୁ ଗିରଫ କରିଛି ଦିଲ୍ଲୀ ପୋଲିସ। ୩୩ ବର୍ଷ ବୟସ୍କା ଜୋୟାକୁ ଧରିବା ଲାଗି ଦିଲ୍ଲୀ ପୋଲିସର ବିଭିନ୍ନ ସଂସ୍ଥା ଜାଲ ବିଛାଇଥିଲେ। ହେଲେ ସେ ଧରାପଡୁ ନଥିଲା। ତା ବିରୋଧରେ କୌଣସି ପ୍ରତ୍ୟେକ୍ଷ ପ୍ରମାଣ ମିଳୁ ନଥିବାରୁ ସେ ବିଭିନ୍ନ ତଦନ୍ତକାରୀ ସଂସ୍ଥାଠାରୁ ସହଜରେ ଦୂରେଇ ରହୁଥିଲା। ସ୍ବାମୀ ହାସିମ ବିରୋଧରେ ହତ୍ୟା, ଚୋରାଚାଲାଣ, ଧମକ ଦେଇ ଅର୍ଥ ଆଦାୟ କରିବା ଆଦି ଅନେକ ଅଭିଯୋଗ ରହିଛି।

ଜୋୟା ହେଉଛି ହାସିମର ତୃତୀୟ ପତ୍ନୀ। ବିଭିନ୍ନ ଅପରାଧରେ ହାସିମ ଗିରଫ ହେବା ପରେ ତାର ଅପରାଧର ସାମ୍ରାଜ୍ୟ ବଢାଇଥିଲା ଜୋୟା। ଡ୍ରଗ୍ସ ଚୋରାଚାଲାଣ ରାକେଟରେ ସେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା। ସ୍ବାମୀ ତିହାର ଜେଲରେ ଥିବାବେଳେ ସେ ବାରମ୍ବାର ଜେଲକୁ ଯାଇ ତାକୁ ସାକ୍ଷାତ କରୁଥିଲା। ତାକୁ ଧରିବା ଲାଗି ବର୍ଷ ବର୍ଷ ଧରି ଦିଲ୍ଲୀ ପୋଲିସର ସ୍ପେସାଲ ସେଲ୍ ଓ କ୍ରାଇମ ବ୍ରାଞ୍ଚ ପକ୍ଷରୁ ଉଦ୍ଯମ ଜାରି ରହିଥିଲା। ଶେଷରେ ଉତ୍ତରପୂର୍ବ ଦିଲ୍ଲୀର ୱେଲକମ ଇଲାକାରୁ ହେରୋଇନ ସହ ତାକୁ ଧରିଥିଲା ପୋଲିସ। ଉତ୍ତରପ୍ରଦେଶ ମୁଜାଫରନଗରରେ ଏହି ଡ୍ରଗ୍ସକୁ ବଣ୍ଟାଯିବ ବୋଲି ସୂଚନା ମିଳିଛି। ଗତବର୍ଷ ନାଦିର ଶାହ ହତ୍ଯା ମାମଲାରେ ହାସିମର ଭୂମିକା ଥିବା ଅଭିଯୋଗ ହୋଇଥିଲା।