ଦୀପିକା- ରିୟାଠୁ ଭାରତୀ ପର୍ଯ୍ୟନ୍ତ, ଇଣ୍ଡଷ୍ଟ୍ରୀର ଏହି ୧୦ ଚର୍ଚ୍ଚିତ ଚେହେରାଙ୍କ ପାଖକୁ ପହଞ୍ଚିଥିଲା NCBର ଛାଟ

ମୁମ୍ବାଇ: ଡ୍ରଗ୍ସ ମାମଲାକୁ ନେଇ ବଲିଉଡ ଏବଂ ଟିଭି ଜଗତ ଉପରେ ନିଜର କଡ଼ା ନଜର ରଖିଛି ଏନସିବି । ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଥିବା ଡ୍ରଗ୍ସ ଆଙ୍ଗଲରେ ପ୍ରଥମେ ନାଁ ଆସିଥିଲା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କର । ରିୟାଙ୍କ ପରେ ଗୋଟିଏ ପରେ ଗୋଟିଏ ଫିଲ୍ମ ଏବଂ ଟିଭି ଜଗତର ତାରକାଙ୍କ ନାଁ ସାମ୍ନାକୁ ଆସିବାକୁ ଲାଗିଲା । ବର୍ତ୍ତମାନ ଡ୍ରଗ୍ସ ମାମଲାରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କ ନାଁ ଆସିବା ସମସ୍ତଙ୍କୁ ଚକିତ କରିଦେଇଛି । ତେବେ ଆସନ୍ତୁ ଜାଣିବା ଏଯାବତ କେଉଁ କେଉଁ ତାରକା ଏନସିବିର ଟାର୍ଗେଟରେ ଆସି ସାରିଛନ୍ତି ।

ଡ୍ରଗ୍ସ ମାମଲାରେ ସର୍ବପ୍ରଥମେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ନାଁ ସାମ୍ନାକୁ ଆସିଥିଲା । ରିୟା ପ୍ରାରମ୍ଭିକ ସମୟରେ ଡ୍ରଗ୍ସ ନେଉଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ, କିନ୍ତୁ ପରେ ସେ ନିଜ ଭୁଲ ସ୍ୱୀକାର କରିଥିଲେ ଏବଂ ତାଙ୍କୁ ଗିରଫ କରାଯାଇଥିଲା ।

ଡ୍ରଗ୍ସ ମାମଲାରେ ବଲିଉଡର ଟପ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାଁ ଆସିବା ପୁରା ଫିଲ୍ମ ଜଗତରେ ହଇଚଇ ସୃଷ୍ଟି କରିଥିଲା । ଦୀପିକା ତାଙ୍କ ପୂର୍ବ ମ୍ୟାନେଜର କରିଶ୍ମା ପ୍ରକାଶଙ୍କୁ ହ୍ୱାଟସଆପରେ କୋଡ ୱାର୍ଡରେ ଡ୍ରଗ୍ସ ମାଗୁଥିବା ଚ୍ୟାଟ ସାମ୍ନାକୁ ଆସିଥିଲା । ଏହାପରେ ତାଙ୍କୁ ଏନସିବି ସମନ ପଠାଇଥିଲା ଏବଂ ପଚରାଉଚରା ପାଇଁ ଡକାଇଥିଲା । ଅବଶ୍ୟ ପରବର୍ତ୍ତୀ ସମୟରେ ଦୀପିକା ଡ୍ରଗ୍ସକୁ ବାଦ ଦେଇ ସେହି କୋଡ ୱାର୍ଡସ ସମ୍ବନ୍ଧିତ କିଛି ଖୁଲାସା କରିଥିଲେ, ଯାହା ପରେ ତାଙ୍କୁ ଏନସିବି ଛାଡ଼ିଦେଇଥିଲା ।

ସୁଶାନ୍ତ ସିଂହ ମାମଲାରେ ଡ୍ରଗ୍ସ ଆଙ୍ଗଲ ଆସିବା ପରେ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଥିଲା । ସୂଚନା ଥିଲା ଯେ, ସୁଶାନ୍ତଙ୍କ ଫାର୍ମ ହାଉସରେ ହେଉଥିବା ପାର୍ଟିରେ ଶ୍ରଦ୍ଧା ସାମିଲ ଥିଲେ ଓ ସେହି ପାର୍ଟିରେ ଡ୍ରଗ୍ସ ମଧ୍ୟ ନିଆଯାଉଥିବା ସୂଚନା ରହିଥିଲା । ଏମିତିରେ ଏନସିବି ଶ୍ରଦ୍ଧାଙ୍କୁ ପଚରାଉଚରା କରିଥିଲା ଏବଂ ଶ୍ରଦ୍ଧା ଡ୍ରଗ୍ସ ନେବା କଥାକୁ ଅସ୍ୱୀକାର କରିଥିଲେ ।

ଡ୍ରଗ୍ସ ଆଙ୍ଗଲରେ ସାରା ଅଲ୍ଲୀ ଖାନଙ୍କ ନାଁ ମଧ୍ୟ ଆସିଥିଲା । ସୂଚନା ଥିଲା ଯେ, ସୁଶାନ୍ତଙ୍କ ଫାର୍ମହାଉସ, ଯେଉଁଠି ଡ୍ରଗ୍ସ ପାର୍ଟି ମଧ୍ୟ ହେଉଥିଲା ସେଠାକୁ ସାରା ଅଲ୍ଲୀ ଖାନ ଯିବା ଆସିବା କରୁଥିଲେ । ତଦନ୍ତ ବେଳେ ସାରା ଡ୍ରଗ୍ସ ନେଉଥିବା କଥାକୁ ଅସ୍ୱୀକାର କରିଥିଲେ, ଯାହା ପରେ ତାଙ୍କୁ ଛାଡ଼ିଦିଆଯାଇଥିଲା ।

ଏନସିବିର ପଚରାଉଚରା ବେଳେ ଡ୍ରଗ୍ସ କେସରେ ଫସିଥିବା ରିୟା ଚକ୍ରବର୍ତ୍ତୀ ଅଭିନେତ୍ରୀ ରକୁଲ ପ୍ରୀତଙ୍କ ନାଁ ନେଇଥିଲେ । ଏହାପରେ ରକୁଲଙ୍କୁ ଏନସିବି ସମନ ପଠାଇଥିଲା ଏବଂ ଡ୍ରଗ୍ସ ନେଣ ଦେଣ ଏବଂ ସେବନ ସମ୍ବଦ୍ଧିତ ପ୍ରଶ୍ନ କରିଥିଲେ । ରକୁଲ ଡ୍ରଗ୍ସ ନେଉଥିବା କଥାକୁ ଅସ୍ୱୀକାର କରିଥିଲେ, ତେଣୁ ଏନସିବି ତାଙ୍କୁ ମଧ୍ୟ ଛାଡ଼ି ଦେଇଥିଲା ।

ଡ୍ରଗ୍ସ କେସରେ ଅର୍ଜୁନ ରାମପାଳଙ୍କ ନାଁ ଆସିବା ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ପ୍ରଥମେ ଅର୍ଜୁନଙ୍କ ଲିଭ ଇନ ପାର୍ଟନର ଗୈବ୍ରିଏଲ ଡେମେଟ୍ରିଏଡସଙ୍କ ଭାଇକୁ ଏନସିବି ଡ୍ରଗ୍ସ କେସରେ ଧରିଥିଲା । ସେହି କନେକସନରେ ଅର୍ଜୁନ ରାମପାଳ ମଧ୍ୟ ସନ୍ଦେହ ଘେରକୁ ଆସିଥିଲେ । ଏହାପରେ ତାଙ୍କ ଘରେ ରେଡ କରାଯାଇଥିଲା, ଯେଉଁଠୁ ଏନସିବିକୁ କିଛି ପ୍ରତିବନ୍ଧିତ ଔଷଧ ମିଳିଥିଲା ।

ଅର୍ଜୁନ ରାମପାଳଙ୍କ ଲିଭ ଇନ ପାର୍ଟନର ଗୈବ୍ରିଏଲ ଡେମେଟ୍ରିଏସଙ୍କ ଭାଇଙ୍କ ନାଁ ମଧ୍ୟ ଡ୍ରଗ୍ସ କିଣା ବିକା ନେଇ ଅଭିଯୋଗ ରହିଥିଲା । ସୂଚନା ଅନୁଯାୟୀ ଗୈବ୍ରିଏଲଙ୍କ ଭାଇ ଅଗିସିୟାଲୋସ ପାଖରୁ ଏନସିବି ହଶିଶ ଏବଂ ଏଲପ୍ରାଜୋଲମର ବଟିକା ମିଳିଥିଲା । ଡ୍ରଗ ଡିଲରଙ୍କ ପାଖରୁ ତାଙ୍କ ବିଷୟରେ ସୂଚନା ମିଳିଥିଲା ।

ଟିଭି ଅଭିନେତ୍ରୀ ଅବିଗେଲ ପାଣ୍ଡେ ଏବଂ ତାଙ୍କ ବୟଫ୍ରେଣ୍ଡ କୋରିଓଗ୍ରାଫର ସନମ ଜୋହର ମଧ୍ୟ ଡ୍ରଗ୍ସ ମାମଲାରେ ଫସି ସାରିଛନ୍ତି । ଏନସିବିର ସୂଚନା ଅନୁଯାୟୀ, ଏବିଗେଲ ଏବଂ ସନମ ଗଞ୍ଜେଇ ସେବନ କରନ୍ତି । ତେବେ ଦୁହିଁଙ୍କ ବିରୋଧରେ ଏନସିବିକୁ କୌଣସି ପ୍ରମାଣ ମିଳିପାରିନଥିଲା ।

ତେବେ ଡ୍ରଗ୍ସ କେସରେ ତାଜା ତାଜା ଭାରତୀ ସିଂହ ଏବଂ ତାଙ୍କ ସ୍ୱାମୀ ହର୍ଷଙ୍କ ନାଁ ଆସିଛି । ତାଙ୍କ ବାସଭବନରେ ରେଡ ସମୟରେ ଗଞ୍ଜେଇ ଜବତ କରାଯାଇଥିଲା । ଏହାପରେ ଦୁହିଁଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା । ପଚରାଉଚରା ବେଳେ ଡ୍ରଗ୍ସ ନେଉଥିବା ଅଭିଯୋଗକୁ ଭାରତୀ ସ୍ୱୀକାର କରିଥିଲେ । ଏହାପରେ ତାଙ୍କୁ ଗିରଫ କରାଯାଇଥିଲା ।

ହର୍ଷ ଲିମ୍ବାଚିୟାଙ୍କୁ ମଧ୍ୟ ଏନସିବି ଶନିବାର ଗିରଫ କରିଛି । ଡ୍ରଗ୍ସ ମାମଲାରେ ହର୍ଷ ଏବଂ ଭାରତୀଙ୍କ ନାଁ ଆସିବା ସମସ୍ତଙ୍କୁ ଚକିତ କରିଥିଲା ।

Leave a Reply