ଖୋଲିବ ଗଞ୍ଜେଇ ଡିଲ ଗୁମର, ରିମାଣ୍ଡରେ ଯିବେ ନିଶା ମାଫିଆ

ଭୁବନେଶ୍ବର: ରିମାଣ୍ଡରେ ଆସି ଗଞ୍ଜେଇ ଡିଲ ସମ୍ପର୍କରେ ଗୁମର ଖୋଲିବେ ନିଶା ମାଫିଆ। ଝାଡଖଣ୍ଡୀ ନିଶା ମାଫିଆଙ୍କୁ ରିମାଣ୍ଡରେ ଆଣିବ ସ୍ପେଶାଲ କ୍ରାଇମ ୟୁନିଟ। ୩ ଦିନ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ହୋଇଛି ଆବେଦନ। ଆର୍ଥିକ କାରବର, ପ୍ରଭାବଶାଳୀ ଲୋକଙ୍କ ସମ୍ପୃକ୍ତି ନେଇ ହେବ ଖୋଳତାଡ଼। ସ୍ପେଶାଲ କ୍ରାଇମ ୟୁନିଟ ପରେ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ନେବ ଝାଡଖଣ୍ଡ ପୋଲିସ। ଝାଡ଼ଖଣ୍ଡର ରବିଶଙ୍କର ଦାସ, ରାଜେଶ ଦାସ ଓ ଲ’ କିଶୋର ସହଦେବ ରିମାଣ୍ଡରେ ଆସିବେ। ୩ ଅଭିଯୁକ୍ତଙ୍କୁ ୧୨ ଫେବ୍ରୁଆରୀରେ ଗିରଫ କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ। ମାଲକାନାଗିରିରୁ ପଶ୍ଚିମବଙ୍ଗ ଯାଉଥିବା ବେଳେ କାବୁ କରିଥିଲା ପୋଲିସ। ପିତାପଲ୍ଲୀ ଛକ ନିକଟରେ ଚକମା ଦେଇଥିଲେ ନିଶା ମାଫିଆ। କିନ୍ତୁ ପାହାଳ ଛକ ନିକଟରେ ୨ଟି କାର ସହ ୩ ଅଭିଯୁକ୍ତଙ୍କୁ ଗୋଡେଇ ଗୋଡାଇ ଧରିଥିଲା ପୋଲିସ। ଗାଡି ଭିତରୁ ୩୦୦ କେଜି ଗଞ୍ଜେଇ ଜବତ ହୋଇଥିଲା। ସିକ୍ରେଟ ଚାମ୍ବର ଯୋଗେ ଚାଲାଣ ହେଉଥିଲା ଗଞ୍ଜେଇ। ରିମାଣ୍ଡରେ ଆସିବା ପରେ ଆହୁରି ଅନେକ ଗୁମର ଖୁବଶୀଘ୍ର ଖୋଲିବ ବୋଲି ଅତିରିକ୍ତ ଡିସିପି ସଞ୍ଜୀବ ଶତପଥୀ ସୂଚନା ଦେଇଛନ୍ତି।