ଡ୍ରଗ୍ସ ମାମଲା: ହରଡ଼ଘଣାରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ, ଜେଲରେ ବାପ-ପୁଅ ମିଳନ

1 min read

ମୁମ୍ବାଇ: ବଢିଲା ହାଇପ୍ରୋଫାଇଲ ଡ୍ରଗ୍ସ ରାକେଟ ଅଡୁଆ । ହରଡଘଣାରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଆର୍ଯ୍ୟନ ଖାନଙ୍କ ହ୍ବାଟସଆପ୍ ଚାଟ ଲିଙ୍କରେ ତାଙ୍କ ବାସଭବନରେ ଏନସିବିର ଚଢାଉ । ଜବତ କରିଛି ଫୋନ ଓ ଲାପଟପ । ଏହା ସହ ଏନସିବି ଅଫିସରେ ହୋଇଛି ଜେରା । ସେପଟେ ଆସନ୍ତା ୨୬ ତାରିଖରେ ହାଇକୋର୍ଟ କରିବେ ଜୁନିଅର କିଙ୍ଗ ଖାନଙ୍କ ଶୁଣାଣି । ଆଜି ପୁଅଙ୍କୁ ଆର୍ଥର ରୋଡ ଜେଲରେ ଭେଟିଥିଲେ ବାପା ଶାହାରୁଖ । ଆର୍ଯ୍ୟନଙ୍କ ନିକଟରେ ଥିବା ଇଲେକ୍ଟ୍ରୋନିକ ଡିଭାଇସ ହସ୍ତାନ୍ତର କରିବା ଲାଗି ମନ୍ନତରେ ପହଞ୍ଚି ନୋଟିସ ଦେଇଛି ଏନସିବି । ତେଣେ ଆର୍ଯ୍ୟନଙ୍କ ବିଚାର ବିଭାଗୀୟ ହେପାଜତ ଅବଧି ୩୦ ତାରିଖ ଯାଏଁ ବୃଦ୍ଧି ପାଇଛି ।

ଆର୍ଯ୍ୟନ ଖାନ ଲିଙ୍କରେ ଅଡୁଆରେ ପଡିଛନ୍ତି ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ମୁମ୍ବାଇର ଖର ଓ୍ବେଷ୍ଟସ୍ଥିତ ଅନନ୍ୟାଙ୍କ ଘରେ ଏନସିବି ରେଡ କରିଥିବା ବେଳେ ଜବତ କରିଛି ଫୋନ ଓ ଲାପଟପ । ଆର୍ଯ୍ୟନଙ୍କ ସହ ଅନନ୍ୟାଙ୍କ ହ୍ବାଟସଆପ୍ ଚାଟ ନେଇ ଖୁଲାସା ହେବା ପରେ ଏନସିବି ଆରମ୍ଭ କରିଛି ତଦନ୍ତ । ଜେରା ଲାଗି ବାପା ଚଙ୍କି ପାଣ୍ଡେଙ୍କ ସହ ଏନସିବି ଅଫିସ ଯାଇଥିଲେ ଅନନ୍ୟା । ସେଠାରେ ତାଙ୍କୁ ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖଡେ ଜେରା କରିଥିଲେ ।

ସେପଟେ ଆର୍ଯ୍ୟନଙ୍କୁ ଆଜି ବି ମିଳିପାରିଲାନି ଆଶ୍ବସ୍ତି । ଆସନ୍ତା ୨୬ରେ ତାଙ୍କ ଜାମିନ ଆବେଦନର ଶୁଣାଣି କରିବେ ହାଇକୋର୍ଟ । ଆଜି ଶାହାରୁଖଙ୍କ ବାସଭବନ ମନ୍ନତ ଯାଇଥିଲା ଏନସିବିର ଏକ ଟିମ । ଆର୍ଯ୍ୟନଙ୍କ ନିକଟରେ ଯଦି କୌଣସି ଇଲେକ୍ଟ୍ରୋନିକ ଡିଭାଇସ ଥିବ ତେବେ ତାହାକୁ ଏନସିବିକୁ ହସ୍ତାନ୍ତର କରିବା ଲାଗି ନୋଟିସ ଦେଇଥିଲା ଟିମ ।

ଆଜି ଆର୍ଥର ରୋଡ ଜେଲରେ ହୋଇଥିଲା ବାପପୁଅ ଭେଟ । ପୁଅ ସହ ପ୍ରାୟ ୨୦ ମିନିଟ ଧରି କଥାବାର୍ତ୍ତା ହୋଇଥିଲେ ଶାହରୁଖ। ବାପାଙ୍କୁ ଦେଖିବା ପରେ ଆର୍ଯ୍ୟନ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ । ତେଣେ ଗିରଫ ହୋଇଥିବା ଅନ୍ୟତମ ଅଭିଯୁକ୍ତ ଅରବାଜ ମର୍ଚ୍ଚାଣ୍ଟ ସୁରକ୍ଷା ନେଇ ତାଙ୍କ ବାପା ସନ୍ଦେହ ବ୍ୟକ୍ତ କରିବା ସହ ନିରାପତ୍ତା ନେଇ ପ୍ରଶ୍ନ ଉଠାଇଛନ୍ତି । ଗତକାଲି ମୁମ୍ବାଇର ସେସନ୍ସ କୋର୍ଟ ଆର୍ଯ୍ୟନଙ୍କ ସହ ମୁନମୁନ ଧମେଚା ଓ ଅରବାଜ ମର୍ଚ୍ଚାଣ୍ଟଙ୍କ ଜାମିନ୍ ଖାରଜ କରିଥିଲେ । ଏହା ପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଆର୍ଯ୍ୟନଙ୍କ ଓକିଲ । ତାଙ୍କର ବିଦେଶ ଲିଙ୍କ ରହିଛି ବୋଲି ଯୁକ୍ତି ବାଢିଥିଲା ଏନସିବି । ପୂର୍ବରୁ ସ୍ବତନ୍ତ୍ର କୋର୍ଟ କହିଥିଲେ- ଆର୍ଯ୍ୟନ ନିୟମିତ ଭାବେ ନିଶାଦ୍ରବ୍ୟ ନେଉଥିବା ସହ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ରହିଛନ୍ତି । ଏହା ସହ ଡ୍ରଗସ ଯୋଗାଣକାରୀ ଓ ଚାଲାଣକାରୀଙ୍କ ସହ ତାଙ୍କର ସମ୍ପର୍କ ରହିଛି । ଆଜିକୁ ମିଶାଇ ୧୮ ଦିନ ଧରି ଜେଲରେ ରହିଲେଣି ଆର୍ଯ୍ୟନ । ଦୁଇ ଦୁଇ ଥର ଖାରଜ ହେଲାଣି ଜାମିନ ଆବେଦନ । କ୍ରୁଜ ରେଭ ପାର୍ଟିରେ ଡ୍ରଗସ ମାମଲାରେ ଆର୍ଯ୍ୟନଙ୍କୁ ଗତ ଅକ୍ଟୋବର ୨ରୁ ଗିରଫ କରିଛି ଆଣ୍ଟି ଡ୍ରଗ୍ସ ସ୍କ୍ବାଡ । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୦ ଅଭିଯୁକ୍ତ ଗିରଫ ହେଲେଣି ।

Leave a Reply