ସ୍ୱତନ୍ତ୍ର ଉତ୍ସବରେ ଅଙ୍ଗରକ୍ଷୀ ବାହିନୀକୁ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀ ବାହିନୀକୁ ଏକ ସ୍ବତନ୍ତ୍ର ଉତ୍ସବରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଉତ୍ସବରେ ଅଙ୍ଗରକ୍ଷୀ ବାହିନୀକୁ ସିଲଭର ଟ୍ରମ୍ପେଟ ଓ ଟ୍ରମ୍ପେଟ ବ୍ୟାନର ପ୍ରଦାନ କରି ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି । ସିଲଭର ଟ୍ରମ୍ପେଟ ଓ ଟ୍ରମ୍ପେଟ ବ୍ୟାନରର ଇତିହାସ ଓ ଏହାର ଭୂମିକା ଉପରେ ଏହି ଉତ୍ସବରେ କରାଯାଇଛି ଆଲୋକପାତ । ଏନେଇ ପ୍ରଦର୍ଶିତ ହୋଇଥିଲା ଏକ ସ୍ବତନ୍ତ୍ର ଅଡିଓ ଭିଜୁଆଲ ପ୍ରେଜେଣ୍ଟେସନ । ଏହି ଉତ୍ସବରେ ଅଶ୍ବାରୋହୀ ବାହିନୀଙ୍କ ପାରମ୍ପରିକ କୌଶଳ ପ୍ରଦର୍ଶିତ ହୋଇଥିଲା ।

ଏଥିରେ ଉଭୟ ଅଶ୍ବ ଓ ଅଶ୍ବାରୋହୀଙ୍କ ପ୍ରିଶିକ୍ଷଣ କୌଶଳ, ଭାରସାମ୍ୟ ରକ୍ଷାମୂଳକ କୌଶଳ ଆଦି ପ୍ରଦର୍ଶିତ ହୋଇଥିଲା । ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ଅଙ୍ଗରକ୍ଷୀ ବାହିନୀ ହେଉଛନ୍ତି ଭାରତର ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ବାହିନୀ । ଭାରତୀୟ ସେନା ଅଧୀନରେ ଥିବା ଏହି ୟୁନିଟ ଭାରତୀୟ ସେନାର ସ୍ବତନ୍ତ୍ର ୟୁନିଟ ଭାବେ ପରିଗଣିତ । ପ୍ୟାରେଡ ସମୟରେ ବିଭିନ୍ନ କଳା କୌଶଳ ଦେଖାଇଥିଲେ ଅଙ୍ଗରଖି । ଅଶ୍ବରେ ବସି ଏଲିଡି ଲାଇଟ୍ର ସୁନ୍ଦର ଶୋ’ ଦେଖାଇଥିଲେ । ପିବିଜିର ଏପରି କଳା କୌଶଳକୁ ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ଅଙ୍ଗରକ୍ଷକ ରେଜିମେଣ୍ଟ ଭାରତୀୟ ସେନାର ସବୁଠାରୁ ବଡ଼ ରେଜିମେଣ୍ଟ ।

୨୫୦ ବର୍ଷ ପୁରୁଣା ଏହି ରିଜିମେଣ୍ଟ ଆଜି ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କୁ ସୁରକ୍ଷା ଦେଇଆସୁଛନ୍ତି । ୧୭୭୩ରେ ଏହି ରେଜିମେଣ୍ଟର ସ୍ଥାପନା ହୋଇଥିଲା । ଏହି ସମୟରେ ଏହାର ନାଁ ଗଭର୍ଣ୍ଣର ଜେନେରାଲ ବଡିଗାର୍ଡ ଥିଲା । ପରେ ୧୮୫୭ରେ ଏହା ନାଁ ବଦଳାଯାଇ ଭାଇସରୟସ୍‌ ବଡ଼ିଗାର୍ଡ ହେଲା । ଏହା ପରେ ଏହାର ନାଁ ୧୯୫୦ ବଦଳାଯାଇ ପିବିଜି ରଖାଗଲା । ସେବେ ଠାରୁ ନିରନ୍ତର ଭାବେ ରାଷ୍ଟ୍ରପତି ଓ ସମ୍ବିଧାନର ସୁରକ୍ଷା ସେବାରେ ନିୟୋଜିତ ହୋଇଛନ୍ତି ।