ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ! ଦାଦନ ପ୍ରବଣ ଅଞ୍ଚଳରେ ବଢୁଛି ଡ୍ରପଆଉଟ୍ ସଂଖ୍ୟା

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ଦାଦନ ପ୍ରବଣ ଅଞ୍ଚଳରେ ବଢୁଛି ଡ୍ରପଆଉଟ ସଂଖ୍ୟା । କଳାହାଣ୍ଡି ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ଡ୍ରପଆଉଟ ସଂଖ୍ୟା ୧୪ ହଜାର ପାର । ଜିଲ୍ଲାର ୧୩ ଗୋଟି ବ୍ଲକ ରହିଥିବା ବେଳେ ସେଥିରେ ୩ ଶହରୁ ଉର୍ଦ୍ଧ୍ଵ ସ୍କୁଲ ରହିଛି । ହେଲେ ସବୁଠାରୁ ଚିନ୍ତାର ବିଷୟ ଜିଲ୍ଲାରେ ଡ୍ରପଆଉଟ ସଂଖ୍ଯା ବଢିବାରେ ଲାଗିଛି । କଣ ପାଇଁ ସ୍କୁଲକୁ ପିଲାମାନେ ଆସୁନାହାନ୍ତି ? ଅଧାରୁ କଣ ପାଇଁ ଛାଡୁଛନ୍ତି ପାଠପଢା ? ସରକାର ସବୁ କିଛି ମାଗଣାରେ ଯୋଗାଉଥିବା ବେଳେ ସ୍କୁଲ କାହିଁକି ଯିବାକୁ ଅମଙ୍ଗ ହେଉଛନ୍ତି ପିଲା ? ଏଭଳି ଅନେକ ପ୍ରଶ୍ନ ଏବେ ଜିଲ୍ଲା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏପଟେ ତୃଣମୂଳ ସ୍ତରରେ ସଚେତନତାର ଅଭାବ ଓ ନିଜ ଅଞ୍ଚଳରେ କାମ ଅଭାବ ଯୋଗୁଁ ଅନେକ ପରିବାର ରାଜ୍ଯ ବାହାରକୁ ଦାଦନ ଖଟିବାକୁ ପଳାଉଛନ୍ତି । ଆଉ ଅନେକ ଅଞ୍ଚଳକୁ ଗମନାଗମନର ସୁବ୍ୟବସ୍ଥା ନଥିବାରୁ ଦୂର ବାଟ ସ୍କୁଲ ଯିବାକୁ ଛାତ୍ରଛାତ୍ରୀ ମଙ୍ଗୁ ନଥିବା କହିଛନ୍ତି ପ୍ରଧାନ ଶିକ୍ଷକ ।
ଭବାନୀପାଟଣା ବ୍ଲକର ଯୁଗସାଇପାଟଣା ସ୍କୁଲରେ ସବୁଠାରୁ ଅଧିକ ଡ୍ରପ ଆଉଟ ସଂଖ୍ୟା ରହିଛି । ଚଳିତ ବର୍ଷ ସରକାର ଡ୍ରପ ଆଉଟ ସଂଖ୍ୟା ରୋକିବା ସହ ପିଲାଙ୍କୁ ସ୍କୁଲ ମୁହାଁ କରାଇବାକୁ ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାର ଆରମ୍ଭ କରିଛନ୍ତି । ଏହି ଯୋଜନାରେ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କୁ ୫ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି । ହେଲେ ସଚେତନତାର ଅଭାବ ଯୋଗୁଁ ଜିଲ୍ଲାରେ ଡ୍ରପ ଆଉଟ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଜିଲ୍ଲା ସ୍ତରୀୟ ଦିଶା ମିଟିଂରେ ଡ୍ରପ ଆଉଟ ସଂଖ୍ୟା ବୃଦ୍ଧି ମୁଖ୍ୟ ପ୍ରସଙ୍ଗ ପାଲଟିଥିଲା । ଏହି ସମସ୍ୟାର ସମାଧାନ ବାହାର କରିବା ସହ ପିଲାଙ୍କୁ ପୁନଃ ସ୍କୁଲକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ। ସରକାର ସ୍କୁଲ ଖୋଲିଦେଇ ପ୍ରୋତ୍ସାହନ ରାଶି ଘୋଷଣା କରି ଚୁପ ବସିଗଲେ ହେବନି । ଗ୍ରାଉଣ୍ଡରେ ଯୋଜନା କେତେ କାର୍ଯ୍ୟକାରୀ ହେଉଛି ତାହା ମଧ୍ୟ ତଦାରଖ କରିବାକୁ ପଡିବ । ନହେଲେ ବାପାପୁଅ ରାତି ଅନିଦ୍ରା, ମୁଗୁରା ପଛ ମେଲା ଭଳି ସ୍କୁଲ ଡ୍ରପ ଆଉଟ ବଢିଚାଲିଥିବ ।