ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ, ସୁରକ୍ଷାକୁ ନେଉ ଉଠିଲା ପ୍ରଶ୍ନ
ପୁରୀ: ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ । ନିଷିଦ୍ଧାଞ୍ଚଳ ହୋଇଥିଲେ ବି ଉଡ଼ିଛି ଡ୍ରୋନ । ଆଜି ଭୋରୁ ମନ୍ଦିର ଉପରେ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ଓ ଏହାର ଆଖପାଖ ଅଞ୍ଚଳ ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ଥିବା ବେଳେ ଡ୍ରୋନ ଉଡ଼ିବାକୁ ନେଇ ଉଠିଛି ପ୍ରଶ୍ନ । ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଓ ଏହାର ଆଖପାଖ ଶହେ ମିଟର ହେଉଛି ନୋ ଫ୍ଲାଇଂ ଜୋନ । ଏମିତି ସ୍ଥିତିରେ ଡ୍ରୋନ ଉଡ଼ିବା ଓ ସୁରକ୍ଷାକର୍ମୀ ଏବଂ ପୋଲିସ ଏହାର କୌଣସି ସୂଚନା ନପାଇବାକୁ ନେଇ ମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ପୂର୍ବରୁ ଏକାଧିକ ଥର ଏଭଳି ଘଟଣା ଯୋଗୁଁ ଡ୍ରୋନ ଉଡାଇଥିବା ବ୍ୟକ୍ତି ବା ସଂସ୍ଥା ଅଡୁଆରେ ପଡିଥିଲେ । ଗତବର୍ଷ ଜଣେ ୟୁଟ୍ୟୁବର ଡ୍ରୋନ୍ ଉଡ଼ାଇ ଭିଡିଓ ଉତ୍ତୋଳନ କରିବାକୁ ନେଇ ହୋଇଥିଲା ତୁମ୍ବି ତୋଫାନ । ୟୁଟ୍ୟୁବରଙ୍କ ବିରୋଧରେ ମାମଲା ହୋଇଥିବା ବେଳେ ଶ୍ରୀମନ୍ଦିର ଓ ଏହାର ୧୦୦ ମିଟର ପରିଧିରେ ନୋ ଫ୍ଲାଇଂ ଜୋନ ବୋଲି ସ୍ପଷ୍ଟ କରାଯାଇଥିଲା । ଏନେଇ ଲୋକଙ୍କୁ ସଚେତନ ମଧ୍ୟ କରାଯାଇଥିଲା । ଖାଲି ଏତିକି ନୁହେଁ, ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗୁଇନ୍ଦା ବିଭାଗ ପକ୍ଷରୁ ଏହି ଅଞ୍ଚଳରେ କୌଣସି ଉଡାଣ ପାଇଁ ମନା କରାଯାଇଥିଲା । ଏବେ ପୁଣି ତ୍ରିସ୍ତରୀୟ ସୁରକ୍ଷାର ନାକ ତଳେ ଘଟିଛି ଏଭଳି ଏକ ଅଘଟଣ । ପୋଲିସର ଢିଲା ପଣିଆ ଓ ଖାମଖିଆଲ ମନୋଭାବ ଯୋଗୁଁ ଏପରି ଘଟିଥିବା ଚର୍ଚ୍ଚା ହେଉଛି ।