ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍, କିଏ ଉଡାଇଲା ଓ କାହିଁକି ଉଡାଇଲା ତାକୁ ନେଇ ପ୍ରଶ୍ନ

1 min read

ଡ୍ରୋନରେ କଏଦ ହୋଇଛି ଶ୍ରୀମନ୍ଦିରର ବ୍ଲୁ ପ୍ରିଣ୍ଟ । ସୋସିଆଲ ମିଡିଆରେ ପୁଣିଥରେ ଭାଇରଲ ହୋଇଛି ଶ୍ରୀମନ୍ଦିରର ଚତୁର୍ପାଶ୍ୱ ଓ ଭିତର ବେଢାର ଚିତ୍ର । କେବଳ ଶ୍ରୀମନ୍ଦିର କାହିଁକି ଶ୍ରୀକ୍ଷେତ୍ରର ସବୁଠାରୁ ଜନଗହଳିପୂର୍ଣ୍ଣ ସ୍ଥାନର ଚିତ୍ର ମଧ୍ୟ ହୋଇଛି ଭାଇରଲ ।  ଶ୍ରୀମନ୍ଦିରରୁ ସମୁଦ୍ର ପର୍ଯ୍ୟନ୍ତ ବିନା ଦ୍ୟୁଧାରେ ଉଡ଼ିଛି ଡ୍ରୋନ । ଘଣ୍ଟା ଘଣ୍ଟା ଧରି ଏକ କିଲେମିଟର ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରର ନୀଳ ଆକାଶରେ ଉଡ଼ି ଉଡ଼ି କଏଦ କରିଛି ଅନେକ ତଥ୍ୟ । ହାଇ ରିଜଲ୍ୟୁସନ ବା ଵୈଷୟିକ ଭାଷାରେ “ଫୋର କେ” ଡ୍ରୋନ କ୍ୟାମେରାରେ କଏଦ  ହୋଇଛି ଶ୍ରୀମନ୍ଦିର ଚାରିପାଖ ଉଚ୍ଛେଦ ପରର ଦୃଶ୍ୟ । ଏଭଳି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ସମଗ୍ର ଶ୍ରୀକ୍ଷେତ୍ର ସହ ଶ୍ରୀମନ୍ଦିରର ସୁରକ୍ଷା ନେଇ ପୁଣି ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନ । ବଡ଼କଥା ହେଲା ଏବେ କିଏ ଉଡାଇଛି ଏ ଡ୍ରୋନ ? ଏ ଡ୍ରୋନ୍ ଉଡାଇବାକୁ କିଏ ଦେଇଛି ଅନୁମତି ? କାହିଁକି କଏଦ ହୋଇଛି ଏଭଳି ଦୃଶ୍ୟ ? ଶ୍ରୀମନ୍ଦିର ଉପରେ ସମ୍ଭାବ୍ୟ ଆକ୍ରମଣ ରୋକିବାକୁ ସବୁବେଳେ ପୋଲିସ ଓ ପ୍ରଶାସନ ତତ୍ପର ହେଉଥିବା ବେଳେ ପୁଣି କାହିଁକି ଡ୍ରୋନ୍ ଉଡାଗଲା ତାକୁ ନେଇ ସବୁ ମହଲରେ ପ୍ରଶ୍ନ ଉଠିଛି  ।

କୌଣସି ଆତଙ୍କବାଦୀ ସଂଗଠନ ହାତରେ ଲାଗି ନାହିଁ ତ ଏଭଳି ଚିତ୍ର ? ଶ୍ରୀମନ୍ଦିରର ବ୍ଲୁ ପ୍ରିଣ୍ଟ ଭିଡିଓ ମାଧ୍ୟମରେ ଜଣା ପଡୁଥିବା ବେଳେ ଏହାକୁ ନେଇ କେହି ଦୁର୍ବ୍ୟବହାର କରିବେନାହିଁ ବୋଲି ଗ୍ୟାରେଣ୍ଟି କିଏ ଦେବ ? ପୋଲିସ ଅଧିକାରୀ, ବଛା ବଛା ଅଫିସରଙ୍କ ନଜରକୁ ଏ ଘଟଣା ଆସିନାହିଁ ନା ଜାଣି ଶୁଣି ଘଟଣା ଉପରୁ ନଜର ହଟା ଯାଉଛି ତାକୁ ନେଇ ପୁରୀରେ ବୁଦ୍ଧିଜୀବୀଙ୍କ ମହଲରେ ଆଲୋଚନା ହୋଇଛି ? ଏଭଳି ଏକ ଭିଡିଓ ଭାଇରାଲ ହୋଇଥିବା ବେଳେ ଗୁଇନ୍ଦା ବିଭାଗ ଓ ଆଇଟି ସେଲର ଭୂମିକାକୁ ନେଇ ମଧ୍ୟ ଚିନ୍ତାବ୍ୟକ୍ତ କରିଛନ୍ତି ସ୍ଥାନୀୟ ଲୋକ । ଏହାକୁ ବନ୍ଦ କରାନଯାଇ କାହିଁକି ସୋସିଆଲ ମିଡିଆରେ ଘୁରି ବୁଲିବା ପାଇଁ ସମୟ ଦିଆଯାଉଛି ? ଡ୍ରୋନ ମାଧ୍ୟମରେ ଚିତ୍ର ଉତ୍ତଳନ କରାଯାଉଥିବା ସମୟରେ ଶ୍ରୀମନ୍ଦିର ଭିତରେ କର୍ତବ୍ୟରତ ପୋଲିସ ଓ ଜେଟିପିଙ୍କ ନଜରକୁ ଏହା ଆସିଲା ନାହିଁ କିଭଳି ?


ସୂଚାନୁଯାୟୀ ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଉପର ଓ ଭିତରର ଚିତ୍ର ପୁଣି ଥରେ ଭାଇରଲ ହୋଇଥିବା ବେଳେ ସୁରକ୍ଷା ସମ୍ପୂର୍ଣ ଢିଲା ଥିବା ଅଭିଯୋଗ ହୋଇଛି । ସ୍ପଷ୍ଟ ଦିବାଲୋକରେ ଡ୍ରୋନ କ୍ୟାମେରା ମାଧ୍ୟମରେ ଏହି ଚିତ୍ର ଉତ୍ତଳନ କରାଯିବା ସହ ଏକ ନିର୍ଦ୍ଧିଷ୍ଟ ସଂସ୍ଥା ପକ୍ଷରୁ ଏହାକୁ ସୋସିଆଲ ମିଡିଆରେ ଅପଲୋଡ଼ କରାଯିବାକୁ ନେଇ ସନ୍ଦେହ ମଧ୍ୟ ଉପୁଜିଛି । ପୂର୍ବରୁ ୨୦୧୪ରେ ବିଦେଶୀ ପର୍ଯ୍ୟଟକ ଡ୍ରୋନ ମାଧ୍ୟମରେ ଚିତ୍ର ଉତ୍ତଳନ କରି ସୋସିଆଲ ମିଡିଆରେ ଛାଡିଥିବା ବେଳେ ସେତେବେଳେ ସେହି ଘଟଣା ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଇ ସେତେବେଳେ ବିଭିନ୍ନ ଗୁଇନ୍ଦା ସଂସ୍ଥା ଓ ଏନଆଇଏ ପକ୍ଷରୁ ମଧ୍ୟ ଏଭଳି ଚିତ୍ର ଉତ୍ତୋଳନକୁ ନେଇ ନାନା ଟିପ୍ପଣୀ ପ୍ରଦାନ କରାଯାଇଥିଲା । ସଦାସର୍ବଦା ଆତଙ୍କବାଦୀଙ୍କ ଟାର୍ଗେଟରେ ରହୁଥିବା  ପୁରୀ ଶ୍ରୀମନ୍ଦିର ଉପରେ “ନୋ ଫ୍ଲାଇଙ୍ଗ୍ ଜୋନ” ଘୋଷଣା କରାଯାଉ ବୋଲି ପୁରୀର ବୁଦ୍ଧିଜୀବୀ ହେକ୍ଟର ମିଶ୍ର ମଧ୍ୟ ବହୁ ପୂର୍ବରୁ ଦାବି କରିଥିଲେ । ପୋଲିସ ପ୍ରଶାସନର ଢିଲା ମନୋବୃତି ଓ ଖାମଖିଆଲ ନୀତି ଯୋଗୁଁ ଯେ କେହିବି ଡ୍ରୋନ ଉଡାଇ ଶ୍ରୀମନ୍ଦିର ଭଳି ପବିତ୍ର ସ୍ଥାନର ଭିଡିଓକୁ ଭାଇରଲ କରୁଥିବା ପୁନର୍ବାର ନଜରକୁ ଆସିଛି |

drone camera at puri

ଏକ ନିଦ୍ଧିଷ୍ଟ ସଂସ୍ଥା ପକ୍ଷରୁ ଗତ ମେ ମାସ ୧୭ ତାରିଖ ଦିନ ପୁରୀ ସିଟିର ଦୁଇଘଣ୍ଟାରୁ ଅଧିକ ସମୟର ଭିଡିଓ ସୋସିଆଲ ମିଡିଆରେ ଛଡା ଯାଇଥିବା ବେଳେ ଏହାକୁ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ଦେଖିଛନ୍ତି | ଯେଉଁ ଭିଡିଓରେ ସମ୍ବେଦନଶିଳ ସ୍ଥାନ ଭାବେ ପରିଗଣିତ ଶ୍ରୀକ୍ଷେତ୍ରର ବହୁ ଅଞ୍ଚଳ ରହିଛି  । ଏ ଭିଡିଓ ଭାଇରାଲ ଘଟଣା  ପ୍ରଥମେ “ନନ୍ଦିଘୋଷ ଟିଭି” ମାଧ୍ୟମରେ ଲୋକ ଲୋଚନକୁ ଆଣିବା ପରେ ସୋସିଆଲ ମିଡ଼ିଆରୁ ଏ ଭିଡିଓ କୁ ପୋଲିସ ପ୍ରଶାସନ କିଭଳି ରୋକ୍ ଲଗାଉଛି ଓ ଚିତ୍ର ଉତ୍ତଳୋନ କାରୀ ସଂସ୍ଥା ବିରୋଧରେ କି ପଦକ୍ଷେପ ନେଉଛି କିମ୍ବା ତଦନ୍ତ କରୁଛି ସେ ନେଇ ସମସ୍ତେ ଅପେକ୍ଷା କରିଛନ୍ତି ।

ତାକୁ ଅପେକ୍ଷା |
ଇତିହାସ କହେ ପୁରୀ ଶ୍ରୀମନ୍ଦିର ଉପରେ ୧୮ ଥର ହୋଇଛି ଆକ୍ରମଣ | ସଦାସର୍ବଦା ଆତଙ୍କବାଦୀଙ୍କ ଟାର୍ଗେଟରେ ପୁରୀ ଶ୍ରୀମନ୍ଦିର ଥିବାବେଳେ ଜଳପଥ ଦେଇ ଆତଙ୍କବାଦୀ ଆସିପାରନ୍ତି ବୋଲି ମଧ୍ୟ ଅନେକ ଥର ପୋଲିସ ଆଶଙ୍କା କରିଛି । ଏଥିପାଇଁ ସୁରକ୍ଷାକୁ ସବୁବେଳେ ପୁରୀରେ ଗୁରୁତ୍ବ ଦିଆଯାଇଛି । ବିଶେଷକରି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବଢାଯାଇଥାଏ । ଜୁଲାଇ ମାସ ୩୧ ତାରିଖ ବିଳମ୍ବିତ ରାତିରେ ରାଜ୍ୟ ଗୁଇନ୍ଦା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ,ଆଇନ ଶୃଙ୍ଖଳା ଅତିରିକ୍ତ ପୋଲିସ ମହାନିର୍ଦେଶକ, ତଟରକ୍ଷୀ ଅତିରିକ୍ତ ମହାନିର୍ଦେଶକ ,ପୋଲିସ ମହାନିରୀକ୍ଷକ ଓ ଗୁଇନ୍ଦା ବିଭାଗ ଜୋନାଲ ଡିଏସପିଙ୍କୁ ଜାରି କରିଥିଲେ ଚିଠି | ଗତ କିଛି ବର୍ଷ ହେବ ଶ୍ରୀମନ୍ଦିରରୁ ଚୋରି , ମନ୍ଦିର ଭିତର ଫଟୋ ଭାଇରାଲ, ବେଧଡକ ଭାବେ ନୀଳଚକ୍ର ଉପରେ ଯୁବକଙ୍କ ଚଢିବା ଆଦି ଘଟଣାକୁ ଦେଖିଲେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲାଥିବା ନେଇ ପ୍ରଶ୍ନ ହେଉଛି । ପୁନର୍ବାର ଏଭଳି ଶ୍ରୀମନ୍ଦିର ଭିଡିଓ ଭାଇରାଲ ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି ।

ପୁରୀରୁ ସୌମିତ୍ର ହରିଚନ୍ଦନ

')}

Leave a Reply