ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍, କିଏ ଉଡାଇଲା ଓ କାହିଁକି ଉଡାଇଲା ତାକୁ ନେଇ ପ୍ରଶ୍ନ
1 min readଡ୍ରୋନରେ କଏଦ ହୋଇଛି ଶ୍ରୀମନ୍ଦିରର ବ୍ଲୁ ପ୍ରିଣ୍ଟ । ସୋସିଆଲ ମିଡିଆରେ ପୁଣିଥରେ ଭାଇରଲ ହୋଇଛି ଶ୍ରୀମନ୍ଦିରର ଚତୁର୍ପାଶ୍ୱ ଓ ଭିତର ବେଢାର ଚିତ୍ର । କେବଳ ଶ୍ରୀମନ୍ଦିର କାହିଁକି ଶ୍ରୀକ୍ଷେତ୍ରର ସବୁଠାରୁ ଜନଗହଳିପୂର୍ଣ୍ଣ ସ୍ଥାନର ଚିତ୍ର ମଧ୍ୟ ହୋଇଛି ଭାଇରଲ । ଶ୍ରୀମନ୍ଦିରରୁ ସମୁଦ୍ର ପର୍ଯ୍ୟନ୍ତ ବିନା ଦ୍ୟୁଧାରେ ଉଡ଼ିଛି ଡ୍ରୋନ । ଘଣ୍ଟା ଘଣ୍ଟା ଧରି ଏକ କିଲେମିଟର ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରର ନୀଳ ଆକାଶରେ ଉଡ଼ି ଉଡ଼ି କଏଦ କରିଛି ଅନେକ ତଥ୍ୟ । ହାଇ ରିଜଲ୍ୟୁସନ ବା ଵୈଷୟିକ ଭାଷାରେ “ଫୋର କେ” ଡ୍ରୋନ କ୍ୟାମେରାରେ କଏଦ ହୋଇଛି ଶ୍ରୀମନ୍ଦିର ଚାରିପାଖ ଉଚ୍ଛେଦ ପରର ଦୃଶ୍ୟ । ଏଭଳି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ସମଗ୍ର ଶ୍ରୀକ୍ଷେତ୍ର ସହ ଶ୍ରୀମନ୍ଦିରର ସୁରକ୍ଷା ନେଇ ପୁଣି ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନ । ବଡ଼କଥା ହେଲା ଏବେ କିଏ ଉଡାଇଛି ଏ ଡ୍ରୋନ ? ଏ ଡ୍ରୋନ୍ ଉଡାଇବାକୁ କିଏ ଦେଇଛି ଅନୁମତି ? କାହିଁକି କଏଦ ହୋଇଛି ଏଭଳି ଦୃଶ୍ୟ ? ଶ୍ରୀମନ୍ଦିର ଉପରେ ସମ୍ଭାବ୍ୟ ଆକ୍ରମଣ ରୋକିବାକୁ ସବୁବେଳେ ପୋଲିସ ଓ ପ୍ରଶାସନ ତତ୍ପର ହେଉଥିବା ବେଳେ ପୁଣି କାହିଁକି ଡ୍ରୋନ୍ ଉଡାଗଲା ତାକୁ ନେଇ ସବୁ ମହଲରେ ପ୍ରଶ୍ନ ଉଠିଛି ।
କୌଣସି ଆତଙ୍କବାଦୀ ସଂଗଠନ ହାତରେ ଲାଗି ନାହିଁ ତ ଏଭଳି ଚିତ୍ର ? ଶ୍ରୀମନ୍ଦିରର ବ୍ଲୁ ପ୍ରିଣ୍ଟ ଭିଡିଓ ମାଧ୍ୟମରେ ଜଣା ପଡୁଥିବା ବେଳେ ଏହାକୁ ନେଇ କେହି ଦୁର୍ବ୍ୟବହାର କରିବେନାହିଁ ବୋଲି ଗ୍ୟାରେଣ୍ଟି କିଏ ଦେବ ? ପୋଲିସ ଅଧିକାରୀ, ବଛା ବଛା ଅଫିସରଙ୍କ ନଜରକୁ ଏ ଘଟଣା ଆସିନାହିଁ ନା ଜାଣି ଶୁଣି ଘଟଣା ଉପରୁ ନଜର ହଟା ଯାଉଛି ତାକୁ ନେଇ ପୁରୀରେ ବୁଦ୍ଧିଜୀବୀଙ୍କ ମହଲରେ ଆଲୋଚନା ହୋଇଛି ? ଏଭଳି ଏକ ଭିଡିଓ ଭାଇରାଲ ହୋଇଥିବା ବେଳେ ଗୁଇନ୍ଦା ବିଭାଗ ଓ ଆଇଟି ସେଲର ଭୂମିକାକୁ ନେଇ ମଧ୍ୟ ଚିନ୍ତାବ୍ୟକ୍ତ କରିଛନ୍ତି ସ୍ଥାନୀୟ ଲୋକ । ଏହାକୁ ବନ୍ଦ କରାନଯାଇ କାହିଁକି ସୋସିଆଲ ମିଡିଆରେ ଘୁରି ବୁଲିବା ପାଇଁ ସମୟ ଦିଆଯାଉଛି ? ଡ୍ରୋନ ମାଧ୍ୟମରେ ଚିତ୍ର ଉତ୍ତଳନ କରାଯାଉଥିବା ସମୟରେ ଶ୍ରୀମନ୍ଦିର ଭିତରେ କର୍ତବ୍ୟରତ ପୋଲିସ ଓ ଜେଟିପିଙ୍କ ନଜରକୁ ଏହା ଆସିଲା ନାହିଁ କିଭଳି ?
ସୂଚାନୁଯାୟୀ ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଉପର ଓ ଭିତରର ଚିତ୍ର ପୁଣି ଥରେ ଭାଇରଲ ହୋଇଥିବା ବେଳେ ସୁରକ୍ଷା ସମ୍ପୂର୍ଣ ଢିଲା ଥିବା ଅଭିଯୋଗ ହୋଇଛି । ସ୍ପଷ୍ଟ ଦିବାଲୋକରେ ଡ୍ରୋନ କ୍ୟାମେରା ମାଧ୍ୟମରେ ଏହି ଚିତ୍ର ଉତ୍ତଳନ କରାଯିବା ସହ ଏକ ନିର୍ଦ୍ଧିଷ୍ଟ ସଂସ୍ଥା ପକ୍ଷରୁ ଏହାକୁ ସୋସିଆଲ ମିଡିଆରେ ଅପଲୋଡ଼ କରାଯିବାକୁ ନେଇ ସନ୍ଦେହ ମଧ୍ୟ ଉପୁଜିଛି । ପୂର୍ବରୁ ୨୦୧୪ରେ ବିଦେଶୀ ପର୍ଯ୍ୟଟକ ଡ୍ରୋନ ମାଧ୍ୟମରେ ଚିତ୍ର ଉତ୍ତଳନ କରି ସୋସିଆଲ ମିଡିଆରେ ଛାଡିଥିବା ବେଳେ ସେତେବେଳେ ସେହି ଘଟଣା ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଇ ସେତେବେଳେ ବିଭିନ୍ନ ଗୁଇନ୍ଦା ସଂସ୍ଥା ଓ ଏନଆଇଏ ପକ୍ଷରୁ ମଧ୍ୟ ଏଭଳି ଚିତ୍ର ଉତ୍ତୋଳନକୁ ନେଇ ନାନା ଟିପ୍ପଣୀ ପ୍ରଦାନ କରାଯାଇଥିଲା । ସଦାସର୍ବଦା ଆତଙ୍କବାଦୀଙ୍କ ଟାର୍ଗେଟରେ ରହୁଥିବା ପୁରୀ ଶ୍ରୀମନ୍ଦିର ଉପରେ “ନୋ ଫ୍ଲାଇଙ୍ଗ୍ ଜୋନ” ଘୋଷଣା କରାଯାଉ ବୋଲି ପୁରୀର ବୁଦ୍ଧିଜୀବୀ ହେକ୍ଟର ମିଶ୍ର ମଧ୍ୟ ବହୁ ପୂର୍ବରୁ ଦାବି କରିଥିଲେ । ପୋଲିସ ପ୍ରଶାସନର ଢିଲା ମନୋବୃତି ଓ ଖାମଖିଆଲ ନୀତି ଯୋଗୁଁ ଯେ କେହିବି ଡ୍ରୋନ ଉଡାଇ ଶ୍ରୀମନ୍ଦିର ଭଳି ପବିତ୍ର ସ୍ଥାନର ଭିଡିଓକୁ ଭାଇରଲ କରୁଥିବା ପୁନର୍ବାର ନଜରକୁ ଆସିଛି |
ଏକ ନିଦ୍ଧିଷ୍ଟ ସଂସ୍ଥା ପକ୍ଷରୁ ଗତ ମେ ମାସ ୧୭ ତାରିଖ ଦିନ ପୁରୀ ସିଟିର ଦୁଇଘଣ୍ଟାରୁ ଅଧିକ ସମୟର ଭିଡିଓ ସୋସିଆଲ ମିଡିଆରେ ଛଡା ଯାଇଥିବା ବେଳେ ଏହାକୁ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ଦେଖିଛନ୍ତି | ଯେଉଁ ଭିଡିଓରେ ସମ୍ବେଦନଶିଳ ସ୍ଥାନ ଭାବେ ପରିଗଣିତ ଶ୍ରୀକ୍ଷେତ୍ରର ବହୁ ଅଞ୍ଚଳ ରହିଛି । ଏ ଭିଡିଓ ଭାଇରାଲ ଘଟଣା ପ୍ରଥମେ “ନନ୍ଦିଘୋଷ ଟିଭି” ମାଧ୍ୟମରେ ଲୋକ ଲୋଚନକୁ ଆଣିବା ପରେ ସୋସିଆଲ ମିଡ଼ିଆରୁ ଏ ଭିଡିଓ କୁ ପୋଲିସ ପ୍ରଶାସନ କିଭଳି ରୋକ୍ ଲଗାଉଛି ଓ ଚିତ୍ର ଉତ୍ତଳୋନ କାରୀ ସଂସ୍ଥା ବିରୋଧରେ କି ପଦକ୍ଷେପ ନେଉଛି କିମ୍ବା ତଦନ୍ତ କରୁଛି ସେ ନେଇ ସମସ୍ତେ ଅପେକ୍ଷା କରିଛନ୍ତି ।
ତାକୁ ଅପେକ୍ଷା |
ଇତିହାସ କହେ ପୁରୀ ଶ୍ରୀମନ୍ଦିର ଉପରେ ୧୮ ଥର ହୋଇଛି ଆକ୍ରମଣ | ସଦାସର୍ବଦା ଆତଙ୍କବାଦୀଙ୍କ ଟାର୍ଗେଟରେ ପୁରୀ ଶ୍ରୀମନ୍ଦିର ଥିବାବେଳେ ଜଳପଥ ଦେଇ ଆତଙ୍କବାଦୀ ଆସିପାରନ୍ତି ବୋଲି ମଧ୍ୟ ଅନେକ ଥର ପୋଲିସ ଆଶଙ୍କା କରିଛି । ଏଥିପାଇଁ ସୁରକ୍ଷାକୁ ସବୁବେଳେ ପୁରୀରେ ଗୁରୁତ୍ବ ଦିଆଯାଇଛି । ବିଶେଷକରି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବଢାଯାଇଥାଏ । ଜୁଲାଇ ମାସ ୩୧ ତାରିଖ ବିଳମ୍ବିତ ରାତିରେ ରାଜ୍ୟ ଗୁଇନ୍ଦା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ,ଆଇନ ଶୃଙ୍ଖଳା ଅତିରିକ୍ତ ପୋଲିସ ମହାନିର୍ଦେଶକ, ତଟରକ୍ଷୀ ଅତିରିକ୍ତ ମହାନିର୍ଦେଶକ ,ପୋଲିସ ମହାନିରୀକ୍ଷକ ଓ ଗୁଇନ୍ଦା ବିଭାଗ ଜୋନାଲ ଡିଏସପିଙ୍କୁ ଜାରି କରିଥିଲେ ଚିଠି | ଗତ କିଛି ବର୍ଷ ହେବ ଶ୍ରୀମନ୍ଦିରରୁ ଚୋରି , ମନ୍ଦିର ଭିତର ଫଟୋ ଭାଇରାଲ, ବେଧଡକ ଭାବେ ନୀଳଚକ୍ର ଉପରେ ଯୁବକଙ୍କ ଚଢିବା ଆଦି ଘଟଣାକୁ ଦେଖିଲେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲାଥିବା ନେଇ ପ୍ରଶ୍ନ ହେଉଛି । ପୁନର୍ବାର ଏଭଳି ଶ୍ରୀମନ୍ଦିର ଭିଡିଓ ଭାଇରାଲ ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି ।
ପୁରୀରୁ ସୌମିତ୍ର ହରିଚନ୍ଦନ
')}