ଗାଡ଼ିର ଚାଲାଣ ବାରମ୍ବାର କଟିଲେ ବ୍ୟକ୍ତିଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ ହୋଇଯିବ
1 min readନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ଯାନବାହାନର ଚଳାଚଳ ବଢ଼ିବା କାରଣରୁ ରାସ୍ତାଘାଟରେ ଦୁର୍ଘଟଣା ମାମଲା ମଧ୍ୟ ବଢ଼ିବାରେ ଲାଗିଛି । ତେଣୁ ଦୁର୍ଘଟଣାକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ନିୟମିତ ବ୍ୟବଧାନରେ ଲୋକଙ୍କୁ ସଚେତନ କରାଯାଇଥାଏ । ଟ୍ରାଫିକ ନିୟମ ଉଲ୍ଲଂଘନ କାରଣରୁ ଲୋକଙ୍କର ଚାଲାଣ କଟାଯାଇ ଫାଇନ୍ ଆଦାୟ କରାଯାଇଥାଏ । ତେବେ ଅନେକ ଲୋକଙ୍କର ଟ୍ରାଫିକ୍ ଚାଲାଣ କଟିଲେ ମଧ୍ୟ ସେମାନେ ବାରମ୍ବାର ଏଭଳି ଭୁଲ୍ କରିଥାନ୍ତି । ତେଣୁ ଏଭଳି ନିୟମ ଖିଲାପକାରୀଙ୍କ ପାଇଁ ଲାଗୁ କରାଯାଇଛି ଏକ ବଡ଼ ନିୟମ ।
ସୂଚନା ମୁତାବକ, ଯେଉଁମାନଙ୍କର ବାରମ୍ବାର ଟ୍ରାଫିକ ଚାଲାଣ କଟୁଥିବ, ଏଣିକି ସେମାନଙ୍କର ଡ୍ରାଇଭିଂ ଲାଇସେନ୍ସ ବାତିଲ୍ କରି ଦିଆଯିବ । ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଏଭଳି କଠୋର ନିୟମ ଲାଗୁ କରିଛନ୍ତି । ସଡ଼କ ସୁରକ୍ଷା ପରିଷଦର ବୈଠକ ଅବସରରେ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ପ୍ରୟାଗରାଜ ମହାକୁମ୍ଭ ପାଇଁ ଯାତାୟାତ ବ୍ୟବସ୍ଥା ଉପରେ ଜୋର ଦିଆଯାଇଥିଲା । ଜାନୁଆରୀ ୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସଡ଼କ ସୁରକ୍ଷା ସମିତିର ବୈଠକ ଆୟୋଜିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଥିସହିତ ସଡ଼କ ସୁରକ୍ଷା ପାଇଁ ଓଭରଲୋଡିଂ ହୋର୍ଡିଂସ, ଇ-ରିକ୍ସା ଓ ନାବାଳକଙ୍କ ଡ୍ରାଇଭିଂ ଉପରେ ରୋକ, କ୍ରେନ ସେବା, ରୋଡ଼ ସେଫଟୀ ପାର୍କକୁ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଅନ୍ୟ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।