ଡ୍ରାଇଭରଙ୍କ ଆନ୍ଦୋଳନ: ପରିବହନ ସେବା ଠପ, କିଛି ସ୍ଥାନରେ ସରିଲାଣି ପଟ୍ରୋଲ-ଡିଜେଲ

ନନ୍ଦିଘୋଷ ବ୍ୟୁରୋ: ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ ପାଇଁ ସାରା ରାଜ୍ୟରେ ପରିବହନ ସେବା ଠପ । କିଛି ଜରୁରୀ ସେବା ଜାରି ରହିଥିଲେ ବି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । କେଉଁଠି ଇନ୍ଧନ ଗ୍ୟାସ ପହଞ୍ଚିପାରୁନି, ତ କେଉଁଠି ରାସ୍ତାରେ ତେଲ ଗାଡି ଲାଇନ ଲଗାଇ ଛିଡା ହୋଇଛନ୍ତି । ଯଦିଓ କିଛି ଅଞ୍ଚଳରେ ପୋଲିସ କର୍ଡନ ଭିତରେ ତେଲ ଗାଡି ଯାଉଛି, କିନ୍ତୁ ସବୁ ଜିଲ୍ଲାରେ ସ୍ଥିତି ସମାନ ନୁହେଁ । କନ୍ଧମାଳ ଭଳି ଅନ୍ୟ କିଛି ଜିଲ୍ଲାରେ ପେଟ୍ରୋଲ ପମ୍ପରୁ ତେଲ ସରି ଗଲାଣି । ସେହିଭଳି ଆଉ କିଛି ସ୍ଥାନରେ ଡ୍ରାଇଭରମାନେ ଟ୍ୟାଙ୍କର ଡ୍ରାଇଭରଙ୍କୁ ରାସ୍ତାରେ ଦଣ୍ଡବତ ହୋଇ ଆନ୍ଦୋଳନରେ ସାମିଲ ହେବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି ।

ଡ୍ରାଇଭର ଆନ୍ଦୋଳନ ଯୋଗୁଁ ୧୦ କିଲୋମିଟର ଦୂର ଡାକ୍ତରଖାନାକୁ ଚାଲି ଚାଲି ଗଲେ ୯୫ ବର୍ଷର ବୃଦ୍ଧା । ସେପଟେ ବରମୁଣ୍ଡା ବସଷ୍ଟାଣ୍ଡରେ ପଡିଛନ୍ତି ଦୂରଦୂରାନ୍ତକୁ ଯିବାକୁ ଆସିଥିବା ଯାତ୍ରୀ । ତିନି ଦିନ ଧରି ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ ପାଇଁ ସାରା ରାଜ୍ୟରେ ଦେଖିବାକୁ ମିଳୁଛି ଏମିତି ବିକଳ ଚିତ୍ର । ୯୫ ବର୍ଷ ବୟସର ବୃଦ୍ଧା କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ୧୦ କିଲୋମିଟର ଚାଲି ଚାଲି ଯାଇ ପହଞ୍ଚିଛନ୍ତି ଡାକ୍ତରଖାନାରେ । ଏହି ବୃଦ୍ଧା ଜଣକ ନୂଆପଡ଼ା ସିନାପାଲି ବ୍ଲକ ସିଙ୍ଗଝର ସିକାବାହାଲ ଗାଁର ମଙ୍ଗଳବାରୀ ମହରା । କୁକୁର କାମୁଡ଼ା ଇଞ୍ଜେକ୍ସନ ନେବାକୁ ସେ ତାଙ୍କ ପୁଅ ସହ ଦୀର୍ଘ ୧୦ କିଲୋମିଟର ଦୂର ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚାଲିଚାଲି ଯାଇଥିଲେ । ସେହିଭଳି ଦୂରଦୂରାନ୍ତକୁ ବସ ଗଡୁ ନଥିବାରୁ ସବୁଠି ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି । ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରି ବସି ରହିଛନ୍ତି । ସେପଟେ ସରକାର ଲିଖିତ ପ୍ରତିଶ୍ରୁତି ନଦେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବୁ ନାହିଁ ବୋଲି ଜିଦ ଧରି ବସିଛି ଡ୍ରାଇଭର ମହାସଂଘ ।

ଚକ ଅଖ ବନ୍ଦ ହୋଇଥିବାରୁ କେଉଁଠି ଇନ୍ଧନ ଗ୍ୟାସର ଅଭାବ ତ କେଉଁଠି ପେଟ୍ରୋଲ ମିଳୁନି । ଡିପୋରୁ ତେଲ ଗାଡି ଯାଇ ପାରୁ ନଥିବାରୁ କନ୍ଧମାଳ ଭଳି ଉପାନ୍ତ ଜିଲ୍ଲାରେ ବନ୍ଦ ହୋଇଛି ପେଟ୍ରୋଲ ଟାଙ୍କି । ପାରାଦୀପ ଅଏଲ ଟର୍ମିନାଲରେ ପାଖାପାଖି ହଜାରେରୁ ଅଧିକ ଟ୍ୟାଙ୍କର ଏବେ ବି ରାସ୍ତା କଡ଼ରେ ଛିଡା ହୋଇଛି । ସେହିଭଳି ଜଟଣୀ ଛଣଘର କୁସୁମାଟିରେ ଥିବା ରନ୍ଧନ ଗ୍ୟାସ  ଡିପୋରୁ ବି ବାହାରି ପାରୁନି ଗାଡି । ଦିନେ ଦୁଇଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ଜନଜୀବନ ପ୍ରଭାବିତ ହେବାର ଆଶଙ୍କା ରହିଛି । ଅନ୍ୟପଟେ ଭୟଭୀତ ନହେବାକୁ ଲୋକଙ୍କୁ ଅପିଲ କରିଛି ପେଟ୍ରୋଲ ଡିଜେଲ ଡିଲର ସଂଘ ।

ଡ୍ରାଇଭରଙ୍କ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ବିଜେଡି ଓ କଂଗ୍ରେସ । ଯାଜପୁର କଳିଙ୍ଗନଗରରେ ଆନ୍ଦୋଳନରତ ଡ୍ରାଇଭରଙ୍କ ପାଖରେ ପହଞ୍ଚି ଆନ୍ଦୋଳନରେ ସାମିଲ ହୋଇଥିଲେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼ାଇ । ସେହିପରି ପାଣିକୋଇଲିରେ ଆନ୍ଦୋଳନକାରୀଙ୍କ ନିକଟରେ ପହଞ୍ଚି ସମର୍ଥନ ଜଣାଇଛନ୍ତି ବିଜେଡି ନେତା ଭବ ପ୍ରସାଦ ଦାସ ।

କିଛି ସ୍ଥାନରେ ଟ୍ୟାଙ୍କରକୁ ପୋଲିସ ପ୍ରୋଟେକ୍ସନ ମିଳୁଥିବା ବେଳେ, କିଛି ଅଞ୍ଚଳରେ ଟ୍ୟାଙ୍କର ଡ୍ରାଇଭରଙ୍କୁ ଦଣ୍ଡବତ ହୋଇ ଆନ୍ଦୋଳନରେ ସାମିଲ ହେବାକୁ ଆହ୍ଵାନ କରୁଛନ୍ତି ଆନ୍ଦୋଳନରତ ଡ୍ରାଇଭର ।