ଆଜି ରାଜ୍ୟ ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଡାକରା, ସମର୍ଥନ କରୁନାହାନ୍ତି ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ୱର: ଆଜି ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦେଇଛି ରାଜ୍ୟ ଡ୍ରାଇଭର ମହାସଂଘ । ଆନ୍ଦୋଳନକୁ ସବୁଠି ବିରୋଧ କରାଯାଉଛି । ରାଜ୍ୟ ଘରୋଇ ବସ୍ ମାଲିକ ସଂଘ, ଓଡ଼ିଶା ଟ୍ରକ ମାଲିକ ମହାସଂଘ ଆନ୍ଦୋଳନକୁ ସମର୍ଥନ କରିନାହାନ୍ତି । ରାଜ୍ୟରେ ପରୀକ୍ଷା ଚାଲିଥିବାବେଳେ ଏଭଳି ଆନ୍ଦୋଳନ ଉଚିତ ନୁହେଁ ବୋଲି ବସ୍ ମାଲିକ ଓ ଡ୍ରାଇଭର କହିଛନ୍ତି । ଗାଡ଼ି ଚଳାଚଳ ବନ୍ଦ ହେଲେ ପିଲାମାନଙ୍କ ଭବିଷ୍ୟତ ପ୍ରଭାବିତ ହେବ । ଆନ୍ଦୋଳନରୁ ନିବୃତ୍ତ ରହିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଛି ଟ୍ରକ ମାଲିକ ମହାସଂଘ । ଧର୍ମଘଟ ନାଁରେ ବିଶୃଙ୍ଖଳା କରିବା ଠିକ୍ ନୁହେଁ । ଅନ୍ୟପଟେ ଅନଲାଇନ କ୍ୟାବ୍ ଓ ଅଟୋ ମହାସଂଘ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରୁନାହାନ୍ତି ।

ସେହିପରି ଓଡ଼ିଶା ସଡ଼କ ପରିବହନ ଶ୍ରମିକ ମହାସଂଘ ମଧ୍ୟ ଆନ୍ଦୋଳନକୁ ବିରୋଧ କରିଛି । ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପାଇଁ ଡ୍ରାଇଭରଙ୍କୁ ଏକ ସଂଗଠନ ଉସକାଉଥିବା ଅଭିଯୋଗ ହୋଇଛି । ଯାହାକୁ ଶତାଧିକ ପରିବହନ ସଂଘ, ଅଟୋ, ଟ୍ୟାକ୍ସି, ଟ୍ରକ, ମିନିଟ୍ରକ ଆଦି ଅନେକ ସଂଗଠନ ଗ୍ରହଣ କରୁନାହାନ୍ତି । ଗାଡ଼ି ଚଳାଚଳରେ କେହି ବାଧାଦେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଲୋକମାନେ ଅସୁବିଧାର ସମ୍ମୁଖୀନ ହେଲେ ପୋଲିସକୁ ଅଭିଯୋଗ କରିପାରିବେ । ଭୁବନେଶ୍ୱରରେ ଅତିରିକ୍ତ ସୁରକ୍ଷା ଦାୟିତ୍ୱରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ଓ ୪୦ ଅଫିସର ମୁତୟନ ହୋଇଛନ୍ତି । ଏହା ସହିତ ସବୁ ଥାନା ଆଇଆଇସି ଓ ପିସିଆର ସଜାଗ ରହିଛନ୍ତି ।