ସାମାଜିକ କଲ୍ୟାଣ ଯୋଜନାରେ ସାମିଲ ହେବେ ଡ୍ରାଇଭର
1 min readଭୁବନେଶ୍ୱର: ଅଣସଙ୍ଗଠିତ ଡ୍ରାଇଭରଙ୍କ ପାଇଁ ସରକାରଙ୍କ ନୂଆ ଯୋଜନା। ଡ୍ରାଇଭରଙ୍କୁ ସାମାଜିକ କଲ୍ୟାଣ ଯୋଜନାରେ ସାମିଲ କରିବାକୁ ନିଆଯାଇଛି ପଦକ୍ଷେପ । ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଓ୍ୱାର୍କର୍ସ ରୁଲରେ ହେବ ସଂଶୋଧନ । ସମନ୍ୱିତ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଲୋକସେବା ଭବନରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ପରିବହନ ଓ ଆଇନ ବିଭାଗ ଆର୍ଥିକ ଓ ପ୍ରାଶାସନିକ ଦିଗ ଉପରେ ଧ୍ୟାନ ଦେବ । ଏକ ସପ୍ତାହ ମଧ୍ୟରେ ପରିବହନ କମିଶନର ଯୋଜନାର ଚିଠା ପ୍ରସ୍ତୁତ କରିବେ । ସପ୍ତାହକ ମଧ୍ୟରେ ରୁଲରେ ସଂଶୋଧନ କରାଯିବ । ବିଭିନ୍ନ ଘରୋଇ ଓ ଅଣ-ସଂଗଠିତ ପରିବହନ ସଂସ୍ଥାରେ କାମ କରୁଥିବା ଚାଳକ ଓ କର୍ମଚାରୀମାନଙ୍କର ସଂଖ୍ୟା ଆକଳନ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଆଜିର ବୈଠକରେ ବାଣିଜ୍ୟ ଓ ପରିବହନ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ପରିବହନ ଆୟୁକ୍ତ ଅରୁଣ ବୋଥ୍ରାଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।
ଶ୍ରମ ଓ କର୍ମଚାରୀ ରାଜ୍ୟ-ବୀମା ବିଭାଗ ଶାସନ ସଚିବ ଚିତ୍ରା ଅରୁମୁଗମ୍, ଶ୍ରମ ଆୟୁକ୍ତ ଡ଼ାକ୍ତର ଥିରୁମାଲା ନାୟକ ମଧ୍ୟ ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ ଆଲୋଚନାରେ ଭାଗ ନେଇଥିଲେ । କିଛିଦିନ ହେବେ ଡ୍ରାଇଭର ମାନେ ନିଜ ସୁବିଧା ଓ ସୁରକ୍ଷା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଆସୁଥିଲେ । ଏନେଇ ବିରୋଧ ମଧ୍ୟ ପ୍ରଦର୍ଶନ କରିଥିଲେ ଡ୍ରାଇଭର । ଏନେଇ ଗତ ଚାରିଦିନ ତଳେ ପ୍ରଶାସନ ପକ୍ଷରୁ ଏକ ବୈଠକ ବସିଥିଲା । ତେବେ ଆଜି ଏହାକୁ ତଜର୍ମା କରି ଏହି ନିଷ୍ପତ୍ତି ନିଆଯାଇଛି ।