ବାଟୋଇଙ୍କୁ ଟାଣୁଛି ଜଳଛତ୍ର

ଭୁବନେଶ୍ୱର: ତାତିର ପ୍ରକୋପ ବଢ଼ିବାରେ ଲାଗିଛି । ଡହ ଡହ ଖରା ସାଙ୍ଗକୁ ଝାଞ୍ଜି ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି । ଘରୁ ବାହାରିବା ଏକ ପ୍ରକାର କଷ୍ଟ ହୋଇ ପଡ଼ିଛି । ଏଭଳି ସ୍ଥିତିରେ ଥଣ୍ଡା ପାନୀୟର ଆବଶ୍ୟକତା କେବଳ ଖରାରେ ଯାଉଥିବା ବାଟୋଇ ହିଁ ବୁଝିପାରିବ । କିନ୍ତୁ ଏମାନଙ୍କ କଷ୍ଟ ଲାଘବ ପାଇଁ ବିଭିନ୍ନ ସାମାଜିକ ସଙ୍ଗଠନ ଆଗକୁ ଆସିଛନ୍ତି । ଗଳା ଶୁଖି ଯାଉଥିବା ବେଳେ ସୁରେଇର ଶୀତଳ ଜଳ ଲୋକଙ୍କୁ ଦେଉଛି ଉପଶମ । ଖାଲି ଥଣ୍ଡା ପାନୀୟ ନୁହେଁ ବରଂ ତା’ ସାଙ୍ଗକୁ ପୋଦିନା ଏବଂ ଲେମ୍ବୁର ସ୍ୱାଦ ।

ରାସ୍ତାରେ ଚାଲି ଚାଲି ଯାଉଥିବା ବାଟୋଇଙ୍କ ଠାରୁ ଆରମ୍ଭ କରି କାରରେ ଯାଉଥିବା ବାଟୋଇ ମଧ୍ୟ କିଛି କ୍ଷଣ ଏଠାରେ ଅଟକି ଯାଉଛନ୍ତି । ରାଜଧାନୀର ବାଣୀବିହାରରୁ ଆଚାର୍ଯ୍ୟ ବିହାର ଯାଉଥିବା ରାସ୍ତାରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ । ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ପାଖକୁ ଟାଣୁଛି ଏହି ଜଳଛତ୍ର ।  କିଏ କିଛି କ୍ଷଣ ମୋଟର ସାଇକେଲକୁ ଅଟକାଇ ଦେଉଛି ତ କିଏ ତା’ର କାର୍‌, ଆଉ ତା’ ସାଙ୍ଗକୁ କଲେଜ୍‌ ଛାତ୍ରଛାତ୍ରୀ । ସ୍ୱାଦ ଏମିତି ଗୋଟିଏ ଗ୍ଲାସରେ ମନ ଭରୁନି ।

ଜଳଛତ୍ରରେ ଜଳ ଦେଉଥିବା ସଦସ୍ୟ ମଧ୍ୟ ଖୁସିରେ ଗୋଟିଏ ପରେ ଗୋଟିଏ ଗ୍ଲାସ୍‌ ବଢ଼ାଇ ଦେଉଛନ୍ତି ବାଟୋଇଙ୍କ ହାତକୁ ।

ବାସ୍ତବରେ ଏମାନେ ଜଳ ଯୋଗାଉ ନାହାଁନ୍ତି ତ, ସତେ ଯେମିତି ଜୀବନ ଦାନ କରୁଛନ୍ତି । ଆଉ ଲୋକଙ୍କ ଶୋଷ ମେଣ୍ଟାଇବାର ଖୁସି ସୋମାନଙ୍କ ଚେହେରାରରେ ସମ୍ପୂର୍ଣ୍ଣ ନଜର ଆସୁଛି ।

ତେବେ ଖରାଦିନେ ଏହିଭଳି ଅନେକ ସଂସ୍ଥା   ଆଗେଇ ଆସିଛନ୍ତି ବାଟୋଇଙ୍କୁ ଖରା ଦାଉରୁ ରକ୍ଷା କରିବା ପାଇଁ ।