ରାଜ୍ୟରେ ରହିବନି ପାନୀୟ ଜଳ ସମସ୍ୟା, ଅଭିଯୋଗର କରାଯାଉଛି ସମାଧାନ

1 min read

ଭୁବନେଶ୍ବର: ରାଜ୍ୟରେ ରହିବନି ପାନୀୟ ଜଳର ସମସ୍ୟା । ବିଭିନ୍ନ ଅଞ୍ଚଳରୁ ଆସିଥିବା ଅଭିଯୋଗର କରାଯାଉଛି ସମାଧାନ । ଏହି ପରିପେକ୍ଷୀରେ ନରସିଂହପୁର, ପିପିଲି ଓ ଆଠମଲ୍ଲିକ ବ୍ଲକର ପାନୀୟ ଜଳ ସମ୍ପର୍କିତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିଷ୍ପତ୍ତି ନିଆଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ ଭି.କେ. ପାଣ୍ଡିଆନ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରିବା ସମୟରେ ବିଭିନ୍ନ ସ୍ଥାନରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଅନେକ ଆପତ୍ତି ଅଭିଯୋଗ ଆସିଥିଲା । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ 5T ସଚିବଙ୍କ ସହିତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ  ସୁଶିଲ କୁମାର ଲୋହାନୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ସେହିପରି ପିପିଲିରେ ଚାଲୁଥିବା ପାଇପ୍ ଜଳଯୋଗାଣ ପ୍ରକଳ୍ପ ଗୁଡିକରେ ଥିବା ବିଭିନ୍ନ ସମସ୍ୟା ଦୂର କରିବା ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ନିଷ୍ପତ୍ତି  ଗ୍ରହଣ କରାଯାଇଛି । ବିଶେଷକରି ପ୍ରକଳ୍ପ ଗୁଡିକର ଉପରମୁଣ୍ଡରେ ବେଆଇନ ଭାବେ ପାଣି ଚୋରି ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସାରା ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ଗ୍ରାମାଞ୍ଚଳ ପାଇପ୍ ଜଳ ଯୋଗାଣ ଯୋଜନା ଗୁଡିକରେ ତ୍ରୁଟି ଚିହ୍ନଟ ଓ ତୁରନ୍ତ ସମାଧାନ ପାଇଁ SCADA କାର୍ଯ୍ୟକାରୀ କରାଯିବ । ପ୍ରକଳ୍ପ ଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକ କର୍ମଚାରୀ ଯୋଗାଇଦେବା ସହିତ ସମସ୍ତ ପ୍ରକଳ୍ପ ଗୁଡିକୁ ବିଦ୍ୟୁତ ଯୋଗାଣ ଜାରି ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି ।