ନର୍ସିଂ କର୍ମଚାରୀଙ୍କ ୟୁନିଫର୍ମର ରଙ୍ଗ ବଦଳାଇ ଚୁପ୍ ବସି ଯିବେ କି ସରକାର ?

ଭୁବନେଶ୍ବର: ରଙ୍ଗ ବଦଳା ସରକାର ବିଜେପି ସରକାରର ଆଉ ଏକ ରଙ୍ଗ ବଦଳ କାମ । ନର୍ସିଂ କର୍ମଚାରୀଙ୍କ ୧୦ ଦଫା ଦାବି ମଧ୍ୟରୁ କେବଳ ଗୋଟିଏ ଦାବି ପୂରଣ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ବଦଳିବ ନର୍ସିଂ କର୍ମଚାରୀଙ୍କ ଡ୍ରେସ୍ କୋଡ୍ । ଆନ୍ତ ବିଭାଗୀୟ କମିଟି ଜରିଆରେ ନର୍ସିଂ କର୍ମଚାରୀଙ୍କ ସବୁ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ଏଯାଏଁ ସେହି କମିଟି ମଧ୍ୟ ଗଠନ ହୋଇନାହିଁ । ଏମିତି ସ୍ଥିତିରେ ପ୍ରଶ୍ନ ଉଠୁଛି, ଏହି ଘଟଣାରେ ମଧ୍ୟ କେବଳ ନର୍ସିଂ କର୍ମଚାରୀଙ୍କ ୟୁନିଫର୍ମର ରଙ୍ଗ ବଦଳାଇ ଚୁପ୍ ବସି ଯିବେ କି ସରକାର ?

ନର୍ସିଂ କର୍ମଚାରୀଙ୍କୁ ଲଲିପପ୍ ଧରାଇ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି କି ରାଜ୍ୟ ସରକାର ? ସେମାନଙ୍କର ୟୁନିଫର୍ମର ରଙ୍ଗ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ପ୍ରମୁଖ ଦାବି ଉପରେ ରାଜ୍ୟ ସରକାର ଧ୍ୟାନ ଦେଇ ନଥିବା ଅଭିଯୋଗ ହୋଇଛି । ୧୦ ଦଫା ଦାବି ପୂରଣ ପାଇଁ ସେପ୍ଟେମ୍ବର ୨୫ରୁ ୨୮ ଯାଏଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଇଥିଲା ରାଜ୍ୟ ନର୍ସିଂ କର୍ମଚାରୀ ସଂଘ । ସେତେବେଳେ ସରକାର ପ୍ରତିଶ୍ରୁତି ଦେଇଥିଲେ, ଏକ ଆନ୍ତଃ ବିଭାଗୀୟ କମିଟି ଗଠନ କରାଯିବ । ଏହା ମଧ୍ୟରେ ଦେଢ଼ ମାସ ବିତି ଗଲାଣି । କିନ୍ତୁ ଏଯାଏଁ କମିଟି ଗଠନ ହୋଇପାରିଲା ନାହିଁ । ନର୍ସିଂ କର୍ମଚାରୀଙ୍କ ୧୦ ଦଫା ଦାବି ମଧ୍ୟରୁ ୭ ନମ୍ଵରରେ ଥିବା ଡ୍ରେସ୍ କୋର୍ଡ ପରିବର୍ତ୍ତନ ପାଇଁ ଏବେ ସରକାର ଘୋଷଣା କରିଛନ୍ତି । କିନ୍ତୁ ବାକି ଦାବି ପୂରଣ ନେଇ କିଛି କୁହାଯାଇନି ।

ନର୍ସିଂ କର୍ମଚାରୀଙ୍କ ପ୍ରମୁଖ ଦାବି ମଧ୍ୟରେ ଥିଲା ୨୦୧୩ ନଭେମ୍ଵର ୧୨ ତାରିଖ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରଙ୍କ ଛଅ ବର୍ଷ ଚୁକ୍ତି ଭିତ୍ତିକ ଅବଧିକୁ ମୂଳ ଚାକିରି ସମୟରେ ମିଶାଇ ପଦୋନ୍ନତି ଓ ସମସ୍ତ ଆର୍ଥିକ ସୁବିଧା ପ୍ରଦାନ କରାଯିବା । ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନିୟୋଜିତ ସରକାରୀ ନର୍ସିଂ ଅଫିସରଙ୍କୁ ସିଏଚଓ ପଦବୀରୁ ଫେରାଇ ଆଣି କ୍ୟାଡର ପୋଷ୍ଟରେ ନିୟୋଜିତ କରାଯାଉ । ଯୋଗ୍ୟ ନର୍ସିଂ ଅଫିସରଙ୍କୁ ବରିଷ୍ଠତା ଭିତ୍ତିରେ ସିନିୟର ନର୍ସିଂ ଅଫିସର ପଦବୀକୁ ପଦୋନ୍ନତି ଦିଆଯାଉ । ସହକାରୀ ନର୍ସିଂ ଅଧୀକ୍ଷକ ପଦବୀରେ ପଦୋନ୍ନତି ପାଇଁ ଆବଶ୍ୟକ ଥିବା ଅବଧିକୁ କମ୍ କରି ୧୬ ବର୍ଷରୁ ଅଧିକ ସମୟ ଚାକିରି କରିଥିବା ବରିଷ୍ଠ ନର୍ସିଂ ଅଫିସରଙ୍କୁ ଦୁଇଟା ପଦୋନ୍ନତି ଦିଆଯାଉ । କିନ୍ତୁ ଗ୍ରେଡେସନ ପାଇଁ କାମ ଚାଲିଥିବା କହି ଅସଲ ଦାବିକୁ ରାଜ୍ୟ ସରକାର ଅଣଦେଖା କରିଥିବାର ଅଭିଯୋଗ ହୋଇଛି ।

ଆସନ୍ତା ନୂଆ ବର୍ଷରୁ ନର୍ସିଂ କର୍ମଚାରୀ ନୂଆ ୟୁନିଫର୍ମ ପିନ୍ଧିବାର ବ୍ୟବସ୍ଥା କରାଯାଉଛି । ସେମାନଙ୍କର ଡ୍ରେସରେ ରହିବ ସମ୍ବଲପୁରୀ ଛିଟ । ନର୍ସିଂ ଅଫିସର ୟୁନିଫର୍ମ କଲାରରେ ରହିବ ସମ୍ବଲପୁରୀ ଡିଜାଇନ୍ । ଆସିଷ୍ଟାଣ୍ଟ ନର୍ସିଂ ସୁପରିଟେଣ୍ଡେଣ୍ଟ ସାଇନ ବ୍ଲୁ ରଙ୍ଗର ପୋଷାକ ପିନ୍ଧିବେ । ଧଳା ରଙ୍ଗର ପୋଷାକ ପିନ୍ଧିବେ ନର୍ସିଂ ସୁପରିଟେଣ୍ଡେଣ୍ଟ । ଇଷତ ବାଇଗଣି ରଙ୍ଗର ପୋଷାକ ପିନ୍ଧିବେ ସିନିୟର ନର୍ସିଂ ଅଫିସର । ଜେନେରାଲ ୱାର୍ଡରେ କାର୍ଯ୍ୟରତ ନର୍ସ ଧଳା ରଙ୍ଗର ପୋଷାକ ପିନ୍ଧିବେ ବୋଲି କୁହାଯାଇଛି ।

ନସିଂ ଅଫିସର ଜରୁରୀକାଳୀନ ସେବାରେ ନିୟୋଜିତ ଅଛନ୍ତି । ସରକାରୀ ଛୁଟି ବଦଳରେ ନର୍ସିଂ ଅଫିସରଙ୍କୁ କ୍ଷତିପୂରଣ ଛୁଟି ଓ ଦରମା ପ୍ରଦାନର ଆବଶ୍ୟକତା ରହିଛି । ଏହି ଦାବି ପୂରଣ ନେଇ ଅନିଶ୍ଚିତତା ଦେଖା ଦେଲାଣି । ଏହାକୁ ନେଇ ରାଜ୍ୟର ୧୫ ହଜାରରୁ ଅଧିକ ନର୍ସିଂ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।