ହନିଟ୍ରାପରେ ପ୍ରତିରକ୍ଷା ବିଭାଗ ବୈଜ୍ଞାନିକ, ପାକିସ୍ତାନକୁ ଯୋଗାଉଥିଲେ ତଥ୍ୟ

ଇସଲାମାବାଦ: ହନିଟ୍ରାପରେ ପ୍ରତିରକ୍ଷା ବିଭାଗ ବୈଜ୍ଞାନିକ । ପାକିସ୍ତାନକୁ ପ୍ରତିରକ୍ଷା ସମ୍ପର୍କିତ ଗୋପନ ତଥ୍ୟ ଯୋଗାଇ ୬୦ ବର୍ଷ ବୟସ୍କ ବୈଜ୍ଞାନିକ ପ୍ରଦୀପ କୁରୁଲକର ଗିରଫ । ସେ ପୁଣେସ୍ଥିତ ଡିଆରଡିଓର ଇଞ୍ଜିନିୟର୍ସ ବିଭାଗ ନିର୍ଦ୍ଦେଶକ ଅଛନ୍ତି । ମିସାଇଲ ତିଆରି ସମେତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ସେ ନିୟୋଜିତ ଥିଲେ । ଆକାଶ ଟିମ୍‌ର ସେ ଜଣେ ସଦସ୍ୟ ଥିଲେ ଏବଂ ଆକାଶ ଲଞ୍ଚର ଓ ମିସନ କ୍ରିଟିକାଲ ଗ୍ରାଉଣ୍ଡ ସିଷ୍ଟମସର ପ୍ରଡକ୍ସନ କାର୍ଯ୍ୟରେ ନିୟୋଜିତ ଥିଲେ ।

ଜଣେ ପାକିସ୍ତାନୀ ଏଜେଣ୍ଟଙ୍କୁ ପ୍ରତିରକ୍ଷା ବିଭାଗର ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଯୋଗାଇବା ଅଭିଯୋଗରେ ପୁଣେସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ବା ଡିଆରଡିଓର ଜଣେ ବୈଜ୍ଞାନିକଙ୍କୁ ଗିରଫ କରିଛି ମହାରାଷ୍ଟ୍ର ଆଣ୍ଟିଟେରରିଷ୍ଟ ସ୍କ୍ବାଡ । ହ୍ବାଟସଆପ୍ ଓ ଭିଡିଓ କଲ୍ ଜରିଆରେ ସେ ପାକ୍ ଏଜେଣ୍ଟଙ୍କୁ ଅନେକ ତଥ୍ୟ ଦେଇଥିବା ଅଭିଯୋଗ ହୋଇଆସୁଥିଲା ।

ସେ ହନିଟ୍ରାପରେ ଫସି ଏହି ଦେଶ ବିରୋଧୀ କାର୍ଯ୍ୟ କରିଚାଲିଥିଲେ । ଗିରଫ ବୈଜ୍ଞାନିକଜଣକ ଜଣେ ବରିଷ୍ଠ ପଦାଧିକାରୀ ଥିଲେ । ନିଜ ପଦବୀ ଓ ଦାୟିତ୍ବବୋଧର ଅପବ୍ୟବହାର କରି ସେ ଶତ୍ରୁ ରାଷ୍ଟ୍ରକୁ ଗୋପନ ତଥ୍ୟ ଲିକ୍ କରୁଥିଲେ । ଅଫିସିଆଲ ସିକ୍ରେଟ ଆକ୍ଟ ଅନୁସାରେ ତାଙ୍କୁ ମୁମ୍ବାଇ ଏଟିଏସର କାଲଚୌକ ୟୁନିଟ ପକ୍ଷରୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ ଜାରି ରହିଛି ।