ଖୋଲୁଛି DRDO ହନିଟ୍ରାପର ଗୁମର, କ୍ରାଇମବ୍ରାଞ୍ଚର ଜେରା ପରେ ମିଳିଲା ଏମିତି ତଥ୍ୟ

ଭୁବନେଶ୍ୱର: ଚାନ୍ଦିପୁର ପ୍ରତିରକ୍ଷା ଘାଟିରେ ଗୁପ୍ତ ତଥ୍ୟ ଲିକ ଘଟଣା। ଗିରଫ ଅଭିଯୁକ୍ତଙ୍କୁ ଜେରା କରି ଅନେକ ଚାଞ୍ଚଲ୍ୟକର ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ। ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ଉତ୍ତରପ୍ରଦେଶ ମିରଟ ଅଞ୍ଚଳର ଅଭିଯୁକ୍ତ ସଚିନ କୁମାର ଠାରୁ ଅନେକ ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ। ମିରଟରେ କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଗୁପ୍ତଚରଙ୍କ ସହାୟତାରେ ଶତ୍ରୁରାଷ୍ଟ୍ରକୁ ସୁରକ୍ଷା ପ୍ରତିରକ୍ଷା ସଂକ୍ରାନ୍ତ ତଥ୍ୟ ପ୍ରଦାନ କରିଥାନ୍ତି। ଏଥିପାଇଁ ସେମାନଙ୍କ ନିକଟକୁ ବିଦେଶରୁ ବିପୁଳ ଅର୍ଥ ଆସିଥାଏ। ସେମାନେ ଏଜେଣ୍ଟ ଜରିଆରେ ଖୁବ ଚତୁରତାର ସହ ଅର୍ଥ କାରବାର କରିଥାନ୍ତି।

ଅଧିକ ତଥ୍ୟ ଦେଲେ ଅଧିକ ଟଙ୍କା ଦେଇ ପ୍ରୋତ୍ସାହନ କରାଯାଏ। ସୁନ୍ଦରୀ ଯୁବତୀଙ୍କୁ ବ୍ଲାକମେଲ ଓ ଟଙ୍କାର ପ୍ରଲୋଭନ ଦେଖାଇ ଅକ୍ତିଆରକୁ ଆଣିବା ପରେ ଦେଶର ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କୁ ହନିଟ୍ରାପରେ ଫସାଇବା ପାଇଁ ପ୍ରରୋଚିତ କରିଥାନ୍ତି। ଯୁବତୀମାନେ ସେମାନଙ୍କର ସୌନ୍ଦର୍ଯ୍ୟ ଓ ନଗ୍ନତାର ମାୟାଜାନ ବିଛାଇ ଅଧିକାରୀ ଓ କର୍ମଚାରୀଙ୍କ ଠାରୁ ତଥ୍ୟ ସଂଗ୍ରହ କରିଥାନ୍ତି ବୋଲି କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି। ଗିରଫ ଅଭିଯୁକ୍ତ ସଚିନ ପ୍ରାୟ ବର୍ଷେ ହେବ ଏପରି ଗୁପ୍ତଚର ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି।

ସଚିନକୁ ମିରଟର ଜଣେ କ୍ଷମତାଶାଳୀ ବ୍ୟକ୍ତି ମୋଟା ଅଙ୍କର ଅର୍ଥ ଦେଇ ଚାନ୍ଦିପୁର ପ୍ରତିରକ୍ଷା ଘାଟି ସମ୍ପର୍କିତ ତଥ୍ୟ ହାସଲ କରିଥିବା ନେଇ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି। ସେହିପରି ଅଭିଯୁକ୍ତ ମସାଫିରଠାରୁ ପଶ୍ଚିମବଙ୍ଗର କେତକ ଯୁବତୀଙ୍କ ସୂଚନା ପାଇଛି କ୍ରାଇମବ୍ରାଞ୍ଚ। ହନିଟ୍ରାପରେ ଫସାଇଥିବା ୩ ଜଣ ଯୁବତୀଙ୍କ ଅସଲ ପରିଚୟ ଜାଣିବାକୁ ବୈଷୟିକ ଟିମ ସହାୟତାରେ କ୍ରାଇମବ୍ରାଞ୍ଚ ସହାୟତା ଚଳାଇଛି। ଅଭିଯୁକ୍ତ ବିଜୟ ମଧ୍ୟ ଏଥିରେ ଫଶିଥିବା ଜଣାପଡ଼ିଛି। ଆହୁରି ଅନେକ ତଥ୍ୟ ଉଗାରିବବାକୁ ପ୍ରଶ୍ନ ତାଲିକା ପ୍ରସ୍ତୁତ କରିଛି କ୍ରାଇମବ୍ରାଞ୍ଚ।

Leave a Reply