କରୋନା ପାଇଁ DRDOର ସ୍ୱତନ୍ତ୍ର ମାସ୍କ ଓ ଭେଣ୍ଟିଲେଟର

1 min read

ଭୁବନେଶ୍ୱର: କରୋନା ଭାଇରସ୍ ସହ ଲଢିବା ପାଇଁ ସାରା ବିଶ୍ୱ ଏବେ ଏକାଠି । କେଉଁଠି ପୂରା ଦେଶ ଲକଡାଉନ ତ ଆଉ କେଉଁଠି ସଜାଗ ରହିବା ପାଇଁ ଚାଲିଛି ସମୂହ ସଚେତନତା । ଏସବୁ ଭିତରେ କରୋନା ଭାଇରସ୍ ମୁକାବିଲା କରିବା ପାଇଁ DRDO ସ୍ୱତନ୍ତ୍ର ମାସ୍କ ଓ ଭେଣ୍ଟିଲେଟର ପ୍ରସ୍ତୁତ କରିଛି । କରୋନା ସଂକ୍ରମଣ ବିରୋଧରେ  DRDO ପ୍ରସ୍ତୁତ କରିଥିବା ଏହି ଅସ୍ତ୍ରକୁ ନେଇ ଏବେ ସବୁଠି ଚର୍ଚ୍ଚା ।

ପୂର୍ବରୁ N-95 ମାସ୍କ ବ୍ୟବହାର ପାଇଁ ବିଶେଷଜ୍ଞ ପରାମର୍ଶ ଦେଉଥିବାବେଳେ ଏବେ ଏହାଠାରୁ ବି ଅଧିକ ସୁରକ୍ଷିତ ମାସ୍କ ପ୍ରସ୍ତୁତ କରୁଛି ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ପ୍ରତିଷ୍ଠାନ-ଡିଆରଡିଓ । DRDO ତିଆରି କରୁଥିବା N-99 ମାସ୍କ ଆହୁରି ଶକ୍ତିଶାଳୀ ଏବଂ ଏହା ଗ୍ୱାଲିୟର ଲ୍ୟାବରେ ପ୍ରସ୍ତୁତ ହେଉଛି । ଏହାର ବିଶେଷତ୍ୱ ହେଲା ଏଥିରେ ପାଞ୍ଚଟି ସ୍ତରର ସୁରକ୍ଷା କବଚ ରହିଛି । କେନ୍ଦ୍ର ସରକାରଙ୍କର ବୟନ ଶିଳ୍ପ ବିଭାଗ ଓ ଅନ୍ୟ ୨ଟି ଘରୋଇ ସଂସ୍ଥା ମିଶି ଏହି ମାସ୍କ ପ୍ରସ୍ତୁତ କରୁଛନ୍ତି । ତେବେ, DRDO କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଆସନ୍ତା ୪ରୁ ୫ ଦିନ ମଧ୍ୟରେ N-99 ମାସ୍କ ସରକାରୀ ଏଜେନ୍ସିକୁ ହସ୍ତାନ୍ତର କରାଯିବ । ଏହାପରେ ଲୋକେ ଏହାକୁ ବ୍ୟବହାର କରିପାରିବେ ।

ସମୟ ଗଡ଼ିବା ସହ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବି ବଢିବାରେ ଲାଗିଛି । କିନ୍ତୁ, ପର୍ଯ୍ୟାପ୍ତ ଭେଣ୍ଟିଲେଟର ନଥିବାରୁ ଏବେ DRDO ସ୍ୱତନ୍ତ୍ର ଭେଣ୍ଟିଲେଟରର ବ୍ୟବସ୍ଥା ମଧ୍ୟ କରିଛି । କରୋନା ଭାଇରସ ସଂକ୍ରମଣରେ ଚିକିତ୍ସିତ ହେଉଥିବା ଏକାଧିକ ରୋଗୀଙ୍କୁ ସୁବିଧା ଯୋଗାଇବ ଏହି ଭେଣ୍ଟିଲେଟର । DRDO ଅଧ୍ୟକ୍ଷ ଡ. ଜି ସତୀଶ ରେଡ୍ଡୀଙ୍କ କହିବା ଅନୁଯାୟୀ, ଏହି ଭେଣ୍ଟିଲେଟରକୁ ଏକାଧିକ ଡାକ୍ତରଖାନାରେ ପରୀକ୍ଷା କରାଯାଇଛି । ତେବେ, ଖୁବ୍ କମ ସମୟରେ ଆଉ କିଛି ଆଡଭାନ୍ସ ଫିଚର୍ସ ଯୋଡ଼ା ଯାଇ ଏହାକୁ ବଜାରରେ ଉପଲବ୍ଧ କରାଯିବ ।

Leave a Reply