ଗାବା ମୈଦାନରେ ବର୍ଷା ଯୋଗୁଁ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ଡ୍ର’

1 min read

ନନ୍ଦିଘୋଷ ବ୍ୟୁରୋ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ଟି ମ୍ୟାଚ ବିଶିଷ୍ଠ ଟେଷ୍ଟ ଶୃଙ୍ଖଳା ଖୁବ ରୋମାଞ୍ଚକର ସାବ୍ୟସ୍ତ ହୋଇଛି । ପ୍ରଥମ ଦୁଇଟି ମ୍ୟାଚରେ ସ୍କୋର ସମାନ ରହିଥିଲା ଅର୍ଥାତ ମ୍ୟାଚ ଫଳକ ୧-୧ରେ ରହିଥିଲା ତେଣୁ ଉଭୟ ଦଳର ନଜର ଥିଲା ତୃତୀୟ ଟେଷ୍ଟ ମ୍ୟାଚ ଉପରେ । ବ୍ରିସବେନର ଗାବା ମୈଦାନରେ ଖେଳାଯାଇଥିବା ଏହି ତୃତୀୟ ଟେଷ୍ଟ ମୁକାବିଲା ବର୍ଷା କାରଣରୁ ଡ୍ର ରହିଛି । ମ୍ୟାଚର ପଞ୍ଚମ ଦିନରେ ବର୍ଷା କାରଣ ପାଇଁ ମ୍ୟାଚ ଅମ୍ପାୟାର ମ୍ୟାଚକୁ ଡ୍ର ବୋଲି ଘୋଷଣା କରିଛନ୍ତି । ପଞ୍ଚମ ଦିନ ଭାରତ ସମ୍ମୁଖରେ ବିଜୟ ଲକ୍ଷ ୨୭୫ ରନ ରହିଥିଲା । ଦ୍ବିତୀୟ ଇନିଂସରେ ଭାରତର ସ୍କୋର ୮ ରନ ଥିବାବେଳେ ବର୍ଷା ବାଧକ ସାଜିଥିଲା ଓ ମ୍ୟାଚକୁ ଅଟକାଇ ଦିଆଯାଇଥିଲା।

କହିରଖୁ ଯେ, ବର୍ତ୍ତମାନ ସିରିଜର ସ୍କୋର ବରାବର ରହିଛି ଅର୍ଥାତ ୧-୧ରେ ରହିଛି । ତୃତୀୟ ଟେଷ୍ଟ ମ୍ୟାଚରେ ଅଧୀନାୟକ ରୋହିର ଶର୍ମା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା କଙ୍ଗାରୁ ଦଳ ପକ୍ଷରୁ ଷ୍ଟିଭ ସ୍ମିଥ ଓ ଟ୍ରାଭିସ ହେଡ ଶତକୀୟ ପାରି ଖେଳିଥିଲେ । ଷ୍ଟିଭ ସ୍ମିଥ ୧୦୧ ରନ କରିଥିବେ ବେଳେ ଟ୍ରାଭିସ୍ ହେଡଙ୍କ ବ୍ୟାଟରୁ ୧୫୨ ଗୁରୁତ୍ବପୁର୍ଣ୍ଣ ରନ ଆସିଥିଲା । ପ୍ରଥମ ଇନିଂସରେ କଙ୍ଗାରୁ ଦଳ ସ୍କୋର ୪୪୫ ରହିଥିଲା ଯାହା ଉତ୍ତରରେ ଭାରତ ୨୬୦ ରନରେ ଅଲଆଉଟ ହୋଇଥିଲା । ଭାରତୀୟ ଦଳ ପକ୍ଷରୁ ସର୍ବାଧିକ ସ୍କୋର କେଏଲ ରାହୁଲଙ୍କ ବ୍ୟାଟରୁ ଆସିଥିଲା ଓ ରବିନ୍ଦ୍ର ଜାଡେଜାଙ୍କ ଗୁରୁତ୍ବପୁର୍ଣ୍ଣ ୭୭ ରନ ଭାରତକୁ ଏକ ସମ୍ମାନଜନକ ସ୍କୋରରେ ଆଣି ପହଞ୍ଚାଇଥିଲା। ଜଶପ୍ରୀତ ବୁମରାହ ଓ ଆକାଶଦୀପ ଉଭୟେ ଶେଷରେ କମାଲ ବ୍ୟାଟିଂ କରି ଭାରତକୁ ଫଲୋ ଅନରୁ ବଞ୍ଚାଇଥିଲେ ।

ଦ୍ବିତୀୟ ଇନିଂସରେ ୮୯ ରନରେ ୭ଟି ୱିକେଟ ହରାଇ ଅଷ୍ଟ୍ରଲିଆ ଡିକଦ୍ଲାର କରିଥିଲା ଓ ଭାରତୀୟ ଦଳ ଆଗରେ ୨୭୫ ରନର ଲକ୍ଷ ରଖିଥିଲା ।  କିନ୍ତୁ ବର୍ଷା ପାଇଁ ମ୍ୟାଚ ଫଳ ଡ୍ର ରହିଥିଲା । ଗାବା ଟେଷ୍ଟ ମ୍ୟାଚରେ ଭାରତୀୟ ଦ୍ରୁତଗାମୀ ବୋଲର ଜଶପ୍ରୀତ ବୁମରାହ ପୁଣିଥରେ କମାଲ କରି ଦେଖାଇଥିଲେ ଓ ୯ଟି ୱିକେଟ ହାତେଇଥିଲେ । ଏହାପରେ ଆଉ ଦୁଇଟି ଟେଷ୍ଟ ମୁକାବିଲା ଖେଳାଯିବାର ରହିଛି ଯାହା ଏହି ସିରିଜର ଫଳକୁ ନିର୍ଦ୍ଧାରଣ କରିବ । ଯାହା ଉପରେ ରହିଛି ଉଭୟ ଦଳର କଡା ନଜର ।

ନଜର ପକାନ୍ତୁ