ଆସନ୍ତାକାଲି ମୟୂରଭଞ୍ଜ ଆସିବେ ଦ୍ରୌପଦୀ ମୁର୍ମୁ, ୩ ଦିନିଆ ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ମହାମହିମ

1 min read

ମୟୂରଭଞ୍ଜ: ଜନ୍ମମାଟିକୁ ଆସୁଛନ୍ତି ମହାମହିମ । ରାଷ୍ଟ୍ରପତି ହେବା ପରେ ଆସନ୍ତାକାଲି ପ୍ରଥମ କରି ମୟୂରଭଞ୍ଜ ଆସିବେ ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭାବରେ ଓଡ଼ିଶାକୁ ଏହା ତାଙ୍କର ତୃତୀୟ ଗସ୍ତ ହୋଇଥିବାବେଳେ ଜନ୍ମମାଟିକୁ ପ୍ରଥମ ଗସ୍ତ । ୩ ଦିନିଆ ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ମହାମହିମ । ଏଥିପାଇଁ ଉତ୍ସାହିତ ହୋଇପଡ଼ିଛି ସାରା ମୟୂରଭଞ୍ଜ । କାଲି ସକାଳ ୧୦ଟା ୧୫ ମିନିଟରେ ସ୍ବତନ୍ତ୍ର ବିମାନରେ ଆସି ବାଦାମପାହାଡ଼ଠାରେ ଅବତରଣ କରିବେ ରାଷ୍ଟ୍ରପତି । ସେଠାରୁ ଶାଶୂଘର ଗାଁ ପାହାଡ଼ପୁର ଗସ୍ତ କରିବେ । ସେଠାରେ ସ୍ବର୍ଗତ ଶ୍ୟାମ ଚରଣ ମୁର୍ମୁଙ୍କୁ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାପରେ ଗୋସାଣୀ ଗସ୍ତ କରିବେ । ନାବାର୍ଡ ପକ୍ଷରୁ ଏସଏଲଏସ ଟ୍ରଷ୍ଟ ସ୍କୁଲ ପାଇଁ ନିର୍ମିତ ହେବାକୁ ଥିବା କମ୍ୟୁନିଟି ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । L&T ଦ୍ବାରା ପ୍ରତିଷ୍ଠା କରାଯାଉଥିବା ଦକ୍ଷତା ବିକାଶ କେନ୍ଦ୍ରର ଶିଳାନ୍ୟାସ କରିବେ । ପରେ ସ୍କୁଲ ଛାତ୍ରଛାତ୍ରୀ ଓ ଗାଁ ଲୋକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ପରେ ହାତବାଦ୍ରାର ସାତପଉଟିଆରେ ପ୍ରଜାପିତା ବ୍ରହ୍ମକୁମାରୀ କେନ୍ଦ୍ର ପରିଦର୍ଶନ କରି ନିଶାମୁକ୍ତ ଓଡ଼ିଶା କ୍ୟାମ୍ପେନର ଶୁଭାରମ୍ଭ କରିବେ । ପରେ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ମଧ୍ୟାହ୍ନ ଭୋଜନ ପରେ ବିଶ୍ରାମ ନେବେ । ସେଠାରୁ ରାଇରଙ୍ଗପୁର ଯାଇ ସୂନାରାମ ସୋରେନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ବଡବନ୍ଧଠାରେ ଶହେ ଫୁଟ ଉଚ୍ଚତାରେ ଏକ ଜାତୀୟ ପତାକାର ଉତ୍ତୋଳନ କରିବା ପରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପୌର ପରିଷଦ ନାଗରିକ ସମ୍ବର୍ଦ୍ଧନା ସଭାରେ ଯୋଗ ଦେବେ ରାଷ୍ଟ୍ରପତି । ରାତିରେ ମହୁଳଢିହା ବଙ୍ଗଳାରେ ରାତ୍ରୀଯାପନ କରିବା କାର୍ଯ୍ୟକ୍ରମ ରହିଛି ।

ସେହିପରି ୫ ତାରିଖରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ୬ ତାରିଖରେ ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ମହାମହିମ । ସେଠାରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଦୀକ୍ଷାନ୍ତ ଭାଷଣ ଦେବାର କାର୍ଯ୍ୟକ୍ରମ କରିଛି । ପରେ ସେହିଦିନ ନୂଆଦିଲ୍ଲୀ ଫେରିଯିବେ ମହାମହିମ । ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଭାରତୀୟ ବାୟୁସେନା ବିମାନରେ ବରିଷ୍ଠ ଅଧିକାରୀମାନେ ବିଭିନ୍ନ କ୍ଷେତ୍ର ପରିଦର୍ଶନ କରି ସମୀକ୍ଷା କରିଛନ୍ତି । ପୂର୍ବାଞ୍ଚଳ ଆଇଜି ରାଇରଙ୍ଗପୁରରକୁ ଯାଇ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ୫୦ ପ୍ଲାଟୁନ ଫୋର୍ସ, ୪୦୦ରୁ ଅଧିକ ପୋଲିସ ଅଧିକାରୀ ସୁରକ୍ଷା ଦାୟିତ୍ବରେ ନିୟୋଜିତ ହେବେ । ବ୍ଲୁ ବୁକ୍ ଅନୁସାରେ ସମସ୍ତ ସୁରକ୍ଷା ନିୟମ ପାଳନ କରାଯାଉଛି । ରାଷ୍ଟ୍ରପତି ଶିମିଳିପାଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମଥିବାରୁ ଦୁଇଦିନ ପର୍ଯ୍ୟନ୍ତ ଅଭୟାରଣ୍ୟକୁ ବନ୍ଦ କରିଦିଆଯାଇଛି ।