ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ବିମାନବନ୍ଦରରେ ଭବ୍ୟ ସ୍ୱାଗତ

1 min read

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ଦ୍ରୌପଦୀ । ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପାରମ୍ପରିକ ନୃତ୍ୟ ଗୀତରେ ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ କରାଯାଇଥିଲା । ବିମାନବନ୍ଦରରୁ ଉଭୟ ବିଜେଡି ଓ ବିଜେପି ନେତା ତାଙ୍କୁ ପାଛୋଟି ନେଇଥିଲେ । ବିମାନବନ୍ଦରରୁ ଶୋଭାଯାତ୍ରାରେ ଦ୍ରୌପଦୀଙ୍କୁ ଅତିଥି ଭବନ ନିଆଯାଇଛି । ଦେଶର ୧୬ ତମ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ମାଟିରୁ ପୂର୍ଣ୍ଣ ସମର୍ଥନ ପାଇଁ ଆସିଛନ୍ତି ଦ୍ରୌପଦୀ ।

ଦ୍ରୌପଦୀଙ୍କୁ ଭୋଟ ଦେବା ପାଇଁ ବହୁ ଆଗରୁ ଅପିଲ କରି ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅତିଥି ଭବନରେ ପହଞ୍ଚିବା ପରେ ସେଠାରୁ ବିଦାନସଭା ଯିବେ ଦ୍ରୌପଦୀ ମୁର୍ମୁ । ବିଧାନସଭାର ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଧାୟକ, ସାଂସଦଙ୍କ ବୈଠକ ବସିବ । ଅନୁଷ୍ଠିତ ବୈଠକରେ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ବିଜେଡି ବିଧାୟକ ଓ ସାଂସଦଙ୍କୁ ଭେଟିବେ । ଆୟୋଜିତ ଏହି ବୈଠକରେ ଦଳ ଦ୍ରୌପଦୀଙ୍କୁ ସ୍ୱାଗତ କରିବେ ।