ମୋଦି ଓ ଶାହଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଦେଶର ପ୍ରଥମ ନାଗରିକ ଭାବେ ନିର୍ବାଚନ ଲଢିବାକୁ ତାଙ୍କ ନାଁ ଘୋଷଣା କରିଥିବାରୁ ସେ ଉଭୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହାସହ ଉଭୟଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ ।

ସୂଚନାଯୋଗ୍ୟ, ବିରୋଧୀ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଯଶଓ୍ବନ୍ତ ସିହ୍ନାଙ୍କ ନାଁ ଘୋଷଣା କରାଯାଇଥିଲା । ଏହାପରେ ଏନଡିଏରୁ କିଏ ରାଷ୍ଟ୍ରପତି ପ୍ରାର୍ଥୀ ହେବ ତାକୁ ନେଇ ଚର୍ଚ୍ଚା ବଢି ଯାଇଥିଲା । କାରଣ ସିହ୍ନା ଜଣେ ଦକ୍ଷ ରାଜନେତା ହୋଇଥିବା ବେଳେ ପୂର୍ବରୁ ବିଜେପିରୁ ମନ୍ତ୍ରୀ ରହି ସାରିଛନ୍ତି । ତାଙ୍କୁ ଟକ୍କର ଦେବାକୁ ବିଜେପିକୁ ଏମିତି ଏକ ମୁହାଁ ଦରକାର ପଡୁଥିଲା, ଯାହାକୁ ଅଣ ଏନଡିଏ ଶାସିତ ରାଜ୍ୟରେ ବିରୋଧର ସମ୍ମୁଖୀନ ହେବାକୁ ପଡିବ ନାହିଁ ।

ଅନ୍ୟପକ୍ଷେ ଏନଡିଏ ପାଖରେ ରାଷ୍ଟ୍ରପତି ନିର୍ବାଚନରେ ବିଜୟ ହେବାକୁ ଆବଶ୍ୟକ ଭୋଟ ବି ନଥିଲା । ବିଜେଡି ଓ ଅନ୍ୟ କିଛି ଅଣ ଏନଡିଏ ଶାସିତ ରାଜ୍ୟର ଭୋଟ ବିନା ବିଜେଡି ରାଷ୍ଟ୍ରପତି ନିର୍ବାଚନରେ ଜିତିବା ସମ୍ଭବ ନଥିଲା । ଏମିତି ସ୍ଥଳରେ ମୋଦି ସରକାର ମୁର୍ମୁଙ୍କ ନାଁ ଘୋଷଣା କରି ମାଷ୍ଟରଷ୍ଟ୍ରୋକ ଖେଳି ଦେଇଛନ୍ତି । ଯାହାର ଲାଭ ମିଳିବା ମଧ୍ୟ ଆରମ୍ଭ ହୋଇ ସାରିଛି ।

ରାଷ୍ଟ୍ରପତି ନିର୍ବାଚନରେ ବିଜୟ ଓ ପରାଜୟ ମୁଖ୍ୟତଃ ବିଜେଡି ସମର୍ଥନ ଉପରେ ରହିଛି । ଏମିତି ସ୍ଥିତିରେ ଉଭୟ ବିଜେପି ଓ ବିରୋଧୀ, ନବୀନ ପଟ୍ଟନାୟକଙ୍କୁ ତାଙ୍କ କ୍ୟାମ୍ପକୁ ନେବାକୁ ସତ ଚେଷ୍ଟା କରିଥିଲେ । ତେବେ ଓଡ଼ିଆ ଝିଅ ତଥା ଗରିବ, ଆଦିବାସୀଙ୍କ ପାଇଁ ସଂଗ୍ରାମ କରି ଆସିଥିବା ଦ୍ରୌପଦୀ ମୁର୍ମୁଙ୍କୁ ବିଜେପି ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବା ପରେ ଅଣ ଏନଡିଏ ଶାସିତ ରାଜ୍ୟ ଭାବେ ବିଜେଡି ପ୍ରଥମ ଦଳ ଭାବେ ମୁର୍ମୁଙ୍କ ପ୍ରାର୍ଥିତ୍ବକୁ ଖୋଲା ସମର୍ଥନ ଜଣାଇଛି । ଏପରିକି ବିଜେଡିର ଦୁଇ ମନ୍ତ୍ରୀ ଜଗନ୍ନାଥ ସରକା ଏବଂ ଟୁକୁନି ସାହୁ ମୁର୍ମୁଙ୍କ ନାମାଙ୍କନ ପତ୍ରରେ ସ୍ବାକ୍ଷର କରିଛନ୍ତି । ଆସନ୍ତାକାଲି ଯଦି ମୁର୍ମୁ ନାମାଙ୍କନପତ୍ର ଦାଖଲ କରନ୍ତି, ତେବେ ବିଜେଡିର ଏହି ଦୁଇ ମନ୍ତ୍ରୀଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।