ଟ୍ରେଣ୍ଡରେ ଦ୍ରୌପଦୀ, ୧୦ ଦିନରେ ୬୦ ଲକ୍ଷ ଫଲୋଅର୍ସ

ଭୁବନେଶ୍ବର: ଦ୍ରୌପଦୀ…. ଚାରି କାନ୍ଥ ଭିତରେ ସୀମିତ ଥିବା ଏ ନାଁ ପାଇଁ ଆଜି ଗର୍ବିତ ଓଡିଶା  । ସୋସିଆଲ ମିଡିଆରେ ଏବେ ଟ୍ରେଣ୍ଡ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଲକ୍ଷାଧିକ ସଂଖ୍ୟାରେ ବଢୁଛନ୍ତି ପ୍ରେସିଡେଣ୍ଟଙ୍କ ଫ୍ୟାନ୍‌  । ଛାତ୍ରଛାତ୍ରୀଙ୍କ ଠୁ ବୟସ୍କଙ୍କ ଯାଏଁ ଦେଶର ସର୍ବୋଚ୍ଚ ନାଗରିକ ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇବାକୁ ସଭିଏଁ ଆଗ୍ରହୀ  । ଯାହାର ପ୍ରତିଫଳନ ସୋସିଆଲ  ମିଡିଆ ଫେସବୁକରେ ଦେଖିବାକୁ ମିଳିଛି  ।

 

ଆକାଉଣ୍ଟ ଖୋଲିବାର ମାତ୍ର ୧୦ ଦିନ ମଧ୍ୟରେ ୬୦ ଲକ୍ଷ ବା ୬ ମିଲିଅନ ଛୁଇଁଛି ଫଲୋଅର୍ସଙ୍କ ସଂଖ୍ୟା  । ଦଶ ଦିନ ମଧ୍ୟରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ରେକର୍ଡ ଭାଙ୍ଗିଛନ୍ତି ଦ୍ରୌପଦୀ  । ସମ୍ପୂର୍ଣ୍ଣ କାର୍ଯ୍ୟକାଳର ୫ ବର୍ଷ ମଧ୍ୟରେ ରାମନାଥଙ୍କ ଫଲୋଅର୍ସ ରହିଛନ୍ତି ସାଢେ ନବେ ଲକ୍ଷ । ନୂଆ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ନେବାର ୨୨ ମିନିଟ ପରେ ଫେସବୁକ୍‌ରେ ସେ ଆକାଉଣ୍ଟ ଖୋଲିଥିଲେ  । ମାତ୍ର କେଇ ମିନିଟ ଭିତରେ ସୋସିଆଲ ମିଡିଆର ଷ୍ଟାର ପାଲଟି ଯାଇଥିଲେ ଦ୍ରୌପଦୀ  । ତାଙ୍କ ଫେସବୁକ ପେଜରେ ଦେଖିବାକୁ ମିଳିଥିଲା କେତେ ପପୁଲାର୍‌ ପ୍ରେସିଡେଣ୍ଟ ମ୍ୟାଡାମ  ।

 

ଶପଥ ଗ୍ରହଣ ସମାରୋହର ପ୍ରଥମ ଫଟୋ ପୋଷ୍ଟ କରିଥିଲେ ଦ୍ରୌପଦୀ । ପୋଷ୍ଟଟିକୁ ସେ ଫେସବୁକରେ ପିନ୍‌ରେ ରଖିବା ସହ ଲେଖିଥିଲେ ‘ଜୁହାର’  । ନବନିଯୁକ୍ତ ରାଷ୍ଟ୍ରପତିଙ୍କ ଏଭଳି ମହାନତା ଦେଖି ସୋସିଆଲ ମିଡିଆରେ ବଢିଯାଇଥିଲା ଫ୍ରଶଂସକଙ୍କ ସଂଖ୍ୟା  । ପଲ୍ଲୀରୁ ଦିଲ୍ଲୀ ଏବେ ସବୁଠି ମୁର୍ମୁ ମ୍ୟାଡାମଙ୍କ ଫ୍ୟାନ୍‌  । ଜୁଲାଇ ୨୫ରେ ଦେଶର ନୂତନ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ମୟୂରଭଞ୍ଜ ଝିଅ ଦ୍ରୌପଦୀ ମୁର୍ମୁ  ।