ଭେଳିକି ସାଜିଲା ଯାଜପୁରର ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା: ସାମିଲ ହେଲେ ନାହିଁ ୧୦ରୁ ଅଧିକ ବଡ଼ ଶିଳ୍ପ ସଂସ୍ଥା

ଯାଜପୁର: ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା । ନିଯୁକ୍ତି ମେଳାରେ ଛୋଟ ଛୋଟ ସଂସ୍ଥାକୁ ଡାକି ଆଶାୟୀଙ୍କୁ ନିରାଶ କରିଦିଆଯାଉଛି । ଯାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଯାଜପୁରରେ ଆୟୋଜିତ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାରେ । କଳିଙ୍ଗନଗରରେ ଥିବା ୧୦ରୁ ଅଧିକ ବଡ଼ ଶିଳ୍ପ ସଂସ୍ଥାନିଯୁକ୍ତି ମେଳାରେ ସାମିଲ ହୋଇନାହାନ୍ତି । ଯାହାକୁ ନେଇ ଆଶାୟୀ ନିରାଶ ହୋଇଛନ୍ତି ।
ଶିଳ୍ପ ପ୍ରତିଷ୍ଠା ହେଲେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସ୍ଥାନୀୟ ଅଞ୍ଚଳରେ ବେକାରୀ ସମସ୍ୟା ଦୂର ହେବ । ଏଭଳି କିଛି ଭେଳିକି ଦେଖାଇ ଯାଜପୁର ଜିଲ୍ଲାରେ ୧୦ରୁ ଊର୍ଦ୍ଧ୍ଵ ଶିଳ୍ପ ସଂସ୍ଥା ପ୍ରତିଷ୍ଠା ହୋଇଛି । ହେଲେ, ନିଯୁକ୍ତି ବେଳକୁ ସେହି କମ୍ପାନୀଙ୍କ ଦେଖାନାହିଁ । ଏନ୍.ସି. କଲେଜ୍ କ୍ୟାମ୍ପସରେ ଆୟୋଜିତ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳାରେ କେବଳ ସିକ୍ଯୁରିଟି ସଂସ୍ଥା ଓ ଅନ୍ଯାନ୍ଯ ଛୋଟ ଛୋଟ ଅନାମଧେୟ କମ୍ପାନୀ ଯୋଗଦେଇଛନ୍ତି । ଏହି କମ୍ପାନୀ କେତେ ସ୍ଥାନୀୟ ଯୁବକ, ଯୁବତୀଙ୍କୁ ନିଯୁକ୍ତି ଦେବେ ତାକୁ ନେଇ ସନ୍ଦେହ ଦେଖାଦେଇଛି । ଏଥିସହ ବଡ କମ୍ପାନୀରେ ଚାକିରି ପାଇବା ଆଶାରେ ଆସିଥିବା ଆଶାୟୀ ନିରାଶ ହୋଇ ଫେରିଛନ୍ତି ।
ପ୍ରତିବର୍ଷ ଜିଲ୍ଲା ପ୍ରଶାସନ ଏଭଳି ନିଯୁକ୍ତି ମେଳା ଆୟୋଜନ କରୁଛି । କିନ୍ତୁ କଳିଙ୍ଗନଗରରେ ଥିବା ଶିଳ୍ପ ସଂସ୍ଥାମାନେ ଜିଲ୍ଲା ପ୍ରଶାସନକୁ ଅବଜ୍ଞା କରି ଏହି ନିଯୁକ୍ତି ମେଳାକୁ ଆସୁନାହାନ୍ତି । କେବଳ ନିଯୁକ୍ତି ମେଳା ନାଁରେ ସ୍ଥାନୀୟ ଯୁବତୀ, ଯୁବକଙ୍କୁ ଭଣ୍ଡାଇବା ପାଇଁ ବିଭିନ୍ନ ଛୋଟ ଛୋଟ କମ୍ପାନୀଙ୍କୁ ଡାକି ଆଶାୟୀଙ୍କ ଡାଟା ସଂଗ୍ରହ କରାଯାଉଛି । କିଛି ଆଶାୟୀଙ୍କୁ କେବଳ ତାଲିମ ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ଦିଆଯାଉଛି । ଏଭଳି ନାଟକ ପ୍ରତିବର୍ଷ ଆୟୋଜନ କରି ବେକାରୀମାନଙ୍କୁ ଉପହାସ କରାଯାଉଥିବା ଅଭିଯୋଗ ହୋଇଛି । ଅନ୍ଯପଟେ ବିଭିନ୍ନ କମ୍ପାନୀଙ୍କୁ ନିମନ୍ତ୍ରଣ ଦିଆଯାଇଥିଲା କିନ୍ତୁ ସେମାନେ ଆସିଲେ ନାହିଁ ବୋଲି କହିଛନ୍ତି ଜିଲ୍ଲା ନିୟୋଜନ ଅଧିକାରୀ ।