ଏକଜିଟ ପୋଲ ନାଁରେ ଜାତୀୟ ସ୍ତରରେ ଚାଲିଛି ଫାର୍ସ

1 min read

ଭୁବନେଶ୍ବର: ଏକଜିଟ ପୋଲ ନାମରେ ଜାତୀୟ ସ୍ତରରେ ଫାର୍ସ । ପଛରେ ବି ପଡିନାହାନ୍ତି ଆଞ୍ଚଳିକ ଚ୍ୟାନେଲ । ସର୍ଭେ ନାମରେ ନିର୍ଦ୍ଦିଷ୍ଟ ଦଳକୁ ପଲିଟିକାଲ ମାଇଲେଜ ଦେବାକୁ ଚାଲିଛି ଅପଚେଷ୍ଟା । ଖାମଖିଆଲି ଏକଜିଟ ପୋଲ ପ୍ରମାଣ କରୁଛି କିପରି ଚ୍ୟାନେଲ ହରାଉଛନ୍ତି ବିଶ୍ବସନୀୟତା । ସାମୟିକ ସ୍ବାର୍ଥ ଲାଗି ଗଣମାଧ୍ଯମର ଅପବ୍ଯବହାରକୁ ବିଭିନ୍ନ ସ୍ତରରେ କରାଯାଇଛି ସମାଲୋଚନା ।

ତଥ୍ଯ ନ ଜାଣି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ଯମ । ଏକଜିଟ ପୋଲ ନାମରେ ଚାଲିଛି କି ସଟ୍ଟା ବଜାର ? ଏସି ରୁମରେ ବସି ମନଗଢ଼ା ଭାବେ ହେଉଛି ତଥ୍ଯ ଆକଳନ । ଜାଣୁନାହାନ୍ତି ରାଜ୍ଯର ଆସନ ସଂଖ୍ଯା । ସର୍ଭେ ନାମରେ ନିର୍ଦ୍ଦିଷ୍ଟ ଦଳକୁ ପଲିଟିକାଲ ମାଇଲେଜ ଦେବାକୁ ଚାଲିଛି ଅପଚେଷ୍ଟା । ଏକଥା ଆମେ କହୁନୁ, ଆଉ ଏଥିରେ ସାମିଲ ଅଛନ୍ତି ଜାତୀୟ ସ୍ତରରେ ପ୍ରତିଷ୍ଠିତ ଗଣମାଧ୍ଯମ । ଜନଗଣଙ୍କୁ ବିଭ୍ରାନ୍ତ କରିବାକୁ ବିଫଳ ପ୍ରୟାସ । ସଠିକ୍ ତଥ୍ଯ ନଜାଣି କାହିଁକି ଏପରି କରାଯାଉଛି ହୀନ ଉଦ୍ଯମ ।

ଜୁନ ୧ର ନିର୍ବାଚନ ଫଳକୁ ନେଇ ସନ୍ଧ୍ଯାରେ ଆସିଥିଲା ଏକଜିଟ ପୋଲ । ସାରା ଦେଶବାସୀଙ୍କ ନଜର ରହିଥିଲା ଟିଭି ସ୍କ୍ରିନ ଉପରେ । ଗୋଟିଏ ନିର୍ଦ୍ଦିଷ୍ଟ ଦଳ ସପକ୍ଷରେ ଜନମତ ଦେଖାଇବାକୁ ଲାଗିଥିଲା ପ୍ରତିଯୋଗିତା । ରାଜ୍ଯର ଆସନ ସଂଖ୍ଯା ନେଇ ତାଳମେଳ ରଖିନାହାଁନ୍ତି ଜାତୀୟ ସ୍ତରର ଚ୍ୟାନେଲ । ରାଜସ୍ଥାନରେ ଲୋକସଭା ଆସନ ସଂଖ୍ଯା ୨୫ । ହେଲେ ନ୍ଯୁଜ-24 ଦର୍ଶାଇଲା ରାଜ୍ଯରେ ବିଜେପି ଜିତିବ ୩୩ ଆସନ । ହିମାଚଳ ପ୍ରଦେଶର ଆସନ ସଂଖ୍ୟା ୪ । ଜି-ନ୍ୟୁଜ କହିଲା ଏନଡିଏ ଲାଭ କରିବ ୪ରୁ ୬ ଆସନ । ହରିଆଣାରେ ୧୦ଟି ଲୋକସଭା ଆସନ ଥିବାବେଳେ କୁହାଗଲା ଏନଡିଏ ପାଇବ ୧୬ରୁ ୧୯ ଆସନ । ବିହାରରେ ଲୋକ ଜନଶକ୍ତି ପାର୍ଟି ଲଢୁଛି ୫ଟି ଆସନରେ । ମାତ୍ର ଆକ୍ସିସ ମାଇଁ ଇଣ୍ଡିଆ ସର୍ଭେ ଅନୁସାରେ ଏଲଜେପି ପାଇବ ୪ରୁ ୬ ଆସନ ।

ଏବେ ଓଡ଼ିଶା ଉପରେ ନଜର ପକାନ୍ତୁ । ୨୦୧୯ ଲୋକସଭା କ୍ଷେତ୍ରରେ ଇଣ୍ଡିଆ ଟୁଡେ- ଆକ୍ସିସ ମାଇଁ ଇଣ୍ଡିଆ କହିଥିଲା ବିଜେପି ପାଇବ ୧୫ରୁ ୧୯ ଆସନ । ବିଜେଡିକୁ ମିଳିବ ୨ରୁ ୬ । କଂଗ୍ରେସକୁ ମିଳିବ ୦ରୁ ଗୋଟିଏ ଆସନ । ହେଲେ ବାସ୍ତବ ନିର୍ବାଚନ ଫଳାଫଳ ଏସବୁ ଆକଳନକୁ ଭୁଲ ପ୍ରମାଣିତ କରିଥିଲା । ସେହିପରି ରିପବ୍ଲକି-ସି ଭୋଟର କହିଥିଲା ବିଜେପିକୁ ୧୦, ବିଜେଡିକୁ ୧୧ ଓ କଂଗ୍ରେସକୁ କିଛି ଆସନ ମିଳିବ ନାହିଁ । ଟାଇମସ ନାଓ ଭିଏମଆର କହିଥିଲା-ବିଜେପିକୁ ୧୨, ବିଜେଡିକୁ ୮ ଓ କଂଗ୍ରେସକୁ କିଛି ଆସନ ମିଳିବ ନାହିଁ । ଟୁଡେଜ ଚାଣକ୍ଯ ନ୍ୟୁଜ ୨୪ କହିଥିଲା ବିଜେପିକୁ ୧୪, ବିଜେଡିକୁ ୭ ଓ କଗ୍ରେସକୁ କିଛି ଆସନ ମିଳିବ ନାହିଁ । ମାତ୍ର ସମସ୍ତ ତଥ୍ଯ ଭୁଲ୍ ପ୍ରମାଣିତ ହେଲା ।

ସେହିପରି ବିଧାନସଭା କ୍ଷେତ୍ରରେ ବି ୨୦୧୯ରେ ଏକଜିଟ ପୋଲ କରିଥିବା ସଂସ୍ଥା ହରାଇଲେ ବିଶ୍ବସନୀୟତା । କନକ ନ୍ଯୁଜ-ସମ୍ବାଦ ପ୍ରକାଶ କରିଥିଲା- ବିଜେପି ୨୫ରୁ ୩୪, ବିଜେଡିକୁ ୮୫ରୁ ୯୫ ଓ କଂଗ୍ରେସକୁ ୧୨ରୁ ୧୫ ଆସନ ମିଳିବ । ଇଣ୍ଡିଆ ଟୁଡେ ଆକ୍ସିସର ଆକଳନ ଥିଲା ବିଜେପିକୁ ୨୯ରୁ ୪୩, ବିଜେଡିକୁ ୮୯ରୁ ୧୦୫ ଓ କଂଗ୍ରେସକୁ ୮ରୁ ୧୨ ଆସନ ମିଳିବ । ହେଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଆଗରେ ଏସବୁ ଭୁଲ ପ୍ରମାଣିତ ହେଲା ।