ମୌସୁମୀ ଆସୁଛି, ବାଲେଶ୍ୱର ଡରୁଛି..

ଭୁବନେଶ୍ୱର: ଆସୁଛି ମୌସୁମୀ । ଆଗକୁ ବର୍ଷା । ଲଗାଣ ବର୍ଷାରେ ବାଲେଶ୍ବର ସହରରେ ପ୍ରତିବର୍ଷ ଦେଖାଯାଉଛି କୃତିମ ବନ୍ୟା ପରିସ୍ଥିତି । ବର୍ଷାଦିନ ପୂର୍ବରୁ ମହାନାଳ ଓ ଉପନାଳ ସଫା କରାଯାଉ ନଥିବାରୁ ଏଭଳି ସ୍ଥିତି ଉପୁଜୁଥିବା ଲୋକେ ଅଭିଯୋଗ କରିଛନ୍ତି । ଫଳରେ ନାଳ ଦେଉ ଉପର ମଥାରୁ ଆସୁଥିବା ପାଣି ନିସ୍କାସନ ହୋଇନପାରି କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି କରୁଛି । ଏ କେବଳ ଦିନକର କଥା ନୁହେଁ । ବର୍ଷ ବର୍ଷ ଧରି ଏଭଳି ସମସ୍ୟାରେ ଛନ୍ଦି ହୋଇଛନ୍ତି ବାଲେଶ୍ବର ସହରବାସୀ ।

ନାଳକୁ ନିୟମିତ ସଫା କରିବା ସହିତ ଜବରଦଖଲ ଉଚ୍ଛେଦ କରିବାକୁ ଲୋକେ ଦାବି କରିଛନ୍ତି । ସେପଟେ ବିଭାଗ କହୁଛି ସଫାକାମ ନିୟମିତ ଚାଲିବା ସହିତ ଜବରଦଖଲ ଉଚ୍ଛେଦ ନେଇ ପଦକ୍ଷେପ ଗ୍ରହଣ କରାଯିବ । ବାଲେଶ୍ବର ମ୍ୟୁନିସିପାଲିଟି ଅଧୀନରେ ରହିଛି 35 କିଲୋମିଟର ମହାନାଳ । ଏଥିସହିତ ବିଭିନ୍ନ ଓ୍ବାର୍ଡ଼ ଓ ବସ୍ତିରୁ ବାହାରି 450 କିଲୋମିଟରରୁ ଅଧିକ ଉପନାଳ ସଂଯୋଗ କରିଛି । ଷ୍ଟେସନଛକ, ଚିଡ଼ିଆପୋଲରେ ଥିବା ମହାନଳକୁ ମେସିନ୍‌ ଲଗାଇ ସଫା କରିବା ଆରମ୍ଭ ହୋଇଛି । ଚଳିତବର୍ଷ ଏହି ସମସ୍ୟାର ପୁନରାବୃତ୍ତି ହେବନାହିଁ ବୋଲି କହିଛନ୍ତି ଅଧ୍ୟକ୍ଷା ।