ଆସୁଛି ମୌସୁମୀ, ଚିନ୍ତାରେ କଟକର ସହରତଳି ଅଞ୍ଚଳବାସୀ

କଟକ : ଏଥରକ ସଅଳ ଆସୁଛି ମୌସୁମୀ । ଚାଷୀ ମନ ଖୁସ । କିନ୍ତୁ କଟକ ସହରତଳି ଅଞ୍ଚଳର ଲୋକଙ୍କ ମନରେ ଛନକା । ପୁଣି ଜମିବ ପାଣି । ଦାଉ ସାଜିବ ଡ୍ରେନ ସମସ୍ୟା । ଦେଖନ୍ତୁ ଏହି ଦୃଶ୍ୟକୁ । ଡ୍ରେନରେ ଜମା ହୋଇ ରହିଛି କୁଢ କୁଢ ଅଳିଆ । ପାଣି ଯିବାକୁ ରାସ୍ତା ନାହିଁ । ଏବେ ତ କେରଳ ଛୁଇଁଲାଣି ମୌସୁମୀ । ଆଉ କିଛି ଦିନ ପରେ ଓଡ଼ିଶାରେ ଆରମ୍ଭ ହୋଇଯିବ ବର୍ଷା । ହେଲେ କଟକରେ ନାଳ ସଫେଇ ସରି ନଥିବାରୁ ଚିନ୍ତାରେ ଲୋକେ । ବର୍ଷାହେଲେ ପୁଣି ନର୍ଦ୍ଦମା ପାଣିରେ ଘାଣ୍ଟିହେବେ ତଳିଆ ଅଞ୍ଚଳବାସୀ । ବିଶେଷକରି ସାମନ୍ତ ସାହି, ରାଜବାଗିଚା, ମଙ୍ଗଳାବାଗ, ପାଟପୋଲ, ଗହାଣ୍ଡିଆ, ତୁଳସୀପୁର, ଫ୍ରେଣ୍ଡସ କଲୋନୀ, ପିଠାପୁର, ଝାଞ୍ଜିରିମଙ୍ଗଳାରେ ଲୋକେ ଏବେଠାରୁ ପ୍ରମାଦ ଗଣିଲେଣି । ଖୁବଶୀଘ୍ର ନାଳରୁ ପଙ୍କଉଦ୍ଧାର କରା ନଗଲେ ଘରେ ପାଣି ପଶିବା ସହ ଜଳବନ୍ଦୀ ଜୀବନ ବିତାଇବା ନେଇ ଆଶଂକା କରିଛନ୍ତି ଲୋକେ ।
ସିଏମସି କାଉନସିଲ ବୈଠକରେ ମଧ୍ଯ ଏହାକୁ ନେଇ କର୍ପୋରେଟରମାନେ ଅଭିଯୋଗ ଆଣିଛନ୍ତି । କେଉଁଠି କେତେ କାମ ସରିଲାଣି ତାର ହିସାବ ଦେବାକୁ ଦାବି କରି ହଙ୍ଗାମା କରିଛନ୍ତି । ତେବେ ସହରରେ ବର୍ତ୍ତମାନ ସୁଦ୍ଧା ୯୦ ପ୍ରତିଶତ ନାଳ ସଫେଇ କାମ ସରିଛି । ୱାଟକୋ ମଧ୍ୟ ଡ୍ରେନ କାମ ଚଳିତ ମାସ ଶେଷ ସୁଦ୍ଧା ସାରିବାକୁ ପ୍ରତିଶ୍ରୁତି ଦେଇଥିବା ସୂଚନା ଦେଇଛନ୍ତି ମେୟର ।