ଖୋଲୁଛି ପାର୍ଟ ପ୍ଲଟ ପଞ୍ଜୀକରଣ କେଳେଙ୍କାରୀ; ବେଆଇନ ରେଜିଷ୍ଟ୍ରେସନ କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ

ନନ୍ଦିଘୋଷ ବ୍ୟୁରୋ: ଖୋଲୁଛି ପାର୍ଟ ପ୍ଲଟ ପଞ୍ଜୀକରଣ କେଳେଙ୍କାରୀ । ବେଆଇନ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ କରିଥିବା ଅଧିକାରୀଙ୍କ ବିରୋଧରେ ଆରମ୍ଭ ହୋଇଛି ବିଭାଗୀୟ କାର୍ଯ୍ୟାନୁଷ୍ଠାନ । ୧୦୦ରୁ ଅଧିକ ବେଆଇନ ପାର୍ଟ ପ୍ଲଟ ପଞ୍ଜୀକୃତ କରିଥିବା ୩୦୦ ଅଧିକାରୀଙ୍କ ବିରୋଧରେ ବିଭାଗ ଡ୍ରାଫ୍ଟ ଚାର୍ଜ ଜାରି କରିଛି । ହେଲେ ୧୦୦ରୁ ଅଧିକ ଭୁଲ୍ କାମ ପାଇଁ ବିଭାଗ କାର୍ଯ୍ୟାନୁଷ୍ଠାନ ନେବାକୁ ବସିଥିବା ବେଳେ ୧୦୦ରୁ କମ୍ ଭୁଲ କରିଥିବା ଅଧିକାରୀଙ୍କୁ ମାଫ୍ କରିଛି । ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି । ରାଜସ୍ବ ବିଭାଗର ଏଭଳି ବ୍ୟବସ୍ଥା ଆସିଲା କେଉଁଠୁ ? କାହାକୁ ବଞ୍ଚାଇବାକୁ ଏପରି ମାନଦଣ୍ଡ ବୋଲି ପ୍ରଶ୍ନ କରିଛି ଓଡ଼ିଶା ବିକାଶ ଅଭିଯାନ ।
ଡେଭଲପମେଣ୍ଟ ଅଥରିଟିଙ୍କ ବିନା ଅନୁମୋଦନରେ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ କରିବା ବେଆଇନ । ହେଲେ ସବ-ରେଜିଷ୍ଟ୍ରାରମାନେ ଏହି ଆଇନକୁ ଉଲ୍ଲଙ୍ଘନ କରି ଶହ ଶହ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ କରିଥିବା ଜଣାପଡ଼ିଛି । ନିଜ କାର୍ଯ୍ୟକାଳ ଭିତରେ ୧୦୦ରୁ ଅଧିକ ବେଆଇନ ପାର୍ଟ ପ୍ଲଟ ପଞ୍ଜୀକରଣ କରିଥିବା ଏପରି ଅଧିକାରୀଙ୍କ ସଂଖ୍ୟା ୩ ଶହ । ଏଭଳି ଭୁଲ କାମ କରିଥିବା ୩ ଶହ ଅଧିକାରୀଙ୍କ ବିରୋଧରେ ଆରମ୍ଭ ହୋଇଛି ବିଭାଗୀୟ କାର୍ଯ୍ୟାନୁଷ୍ଠାନ । ୩ ଶହ ଅଧିକାରୀଙ୍କୁ ବିଭାଗ ଜାରି କରିଛି ଡ୍ରାଫ୍ଟ ଚାର୍ଜ । ଜମି କିଣାବିକା ଜଣେ ଲୋକର ମୌଳିକ ଅଧିକାର ହୋଇଥିବାରୁ ଏବେ ବିଭାଗର ସ୍ପଷ୍ଟୀକରଣ ପରେ ପାର୍ଟ ପ୍ଲଟ ପଞ୍ଜୀକରଣ ଚାଲିଛି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।
୧୦୦ ଭୁଲ୍ ହେଲେ ଦଣ୍ଡ, ୧୦୦ରୁ କମ୍ ଭୁଲ୍ କଲେ ମାଫ । ବିଭାଗର ଏଭଳି ନୀତିକୁ ନେଇ ପ୍ରଶ୍ନ ଉଠିଛି । କାହାକୁ ବଞ୍ଚାଇବାକୁ ରାଜସ୍ବ ବିଭାଗ ଏଭଳି ନିଷ୍ପତ୍ତି ନେଇଛି ? ୧୦୦ ଭୁଲ୍ ସୀମା କେଉଁ ଆଇନ ଆଧାରିତ ? ଗୋଟିଏ ଭୁଲ୍ ଯାହା, ୧୦୦ ଭୂଲ୍ ତାହା । ଜଣେ ଗୋଟିଏ ବି ବେଆଇନ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ କରିଥିଲେ, ସେମାନଙ୍କ ପାଇଁ ବିଭାଗର ଅହେତୁକ ଦୟା କାହିଁକି ବୋଲି ପ୍ରଶ୍ନ କରିଛି ଓଡ଼ିଶା ବିକାଶ ଅଭିଯାନ । ବିଭାଗର ସ୍ପଷ୍ଟୀକରଣ ପରେ ଯଦିଓ ସମସ୍ୟାର କିଛିଟା ସମାଧାନ ହୋଇଛି, ହେଲେ ଏହା ପର୍ଯ୍ୟାପ୍ତ ନୁହେଁ । ବେଆଇନ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ ତାଲିକାରେ ଭୁବନେଶ୍ବରର ତତ୍କାଳୀନ ସବ-ରେଜିଷ୍ଟ୍ରାର ଜ୍ଞାନ ରଞ୍ଜନ ସାହୁ ସର୍ବାଧିକ ୫ ହଜାର ୪୮୯ଟି ଦଲିଲ ପଞ୍ଜୀକରଣ କରିଥିବା ବେଳେ ସରକାର କେବଳ ତାଙ୍କୁ ବଦଳି କରି ଦେଇ କାମ ସାରିଦେଇଛନ୍ତି ।
ଡେଭଲପମେଣ୍ଟ ଅଥରିଟିଙ୍କ ବିନା ଲେ-ଆଉଟ ଅନୁମୋଦନରେ ପାର୍ଟ ପ୍ଲଟ ପଞ୍ଜୀକୃତ କରିବା ଓଡ଼ିଆ ଆକ୍ଟ ୧୯୮୨ର ଧାରା ୧୫ ଏବଂ ୧୬ ଅନୁସାରେ ବେଆଇନ ଓ ଅବୈଧ । ହେଲେ ୧୦୦ରୁ ଅଧିକ ଭୁଲ୍ ପାଇଁ ଦଣ୍ଡର ମାପକାଠିକୁ ନେଇ ରାଜସ୍ବ ବିଭାଗ ଅଡ଼ୁଆରେ ପଡ଼ିଛି ।