ବିଶିଷ୍ଟ ମାନସିକରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଗୋପାଳ କରଙ୍କର ପରଲୋକ

1 min read

କଟକ  : ପ୍ରଫେସର ଡାକ୍ତର ଗୋପାଳ ଚନ୍ଦ୍ର କରଙ୍କର ରବିବାର ସକାଳ ୧୦ ଘଟିକାରେ ପୁରୀଘାଟସ୍ଥିତ ବାସଭବନରେ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୦ବର୍ଷ ହୋଇଥିଲା  । ଡାକ୍ତର କର ଓଡ଼ିଶା ସରକାରଙ୍କ ଅଧୀନରେ ସ୍ଵାସ୍ଥ୍ୟ ଓ ତାଲିମ ନିର୍ଦ୍ଦେଶକ (ଡିଏମଇଟି) ଭାବେ କାର୍ଯ୍ୟ କରିଥିଲେ  । ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ପ୍ରିନ୍ସପାଲ ଓ ମାନସିକରୋଗ ବିଭାଗର ଏଚଓଡି ଭାବେ ରହି ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରିଥିଲେ  । ସେ ଜଣେ ଭାରତର ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଓ ଏକାଧାରରେ ସୁଲେଖକ, ଆଇନଜୀବୀ, ସୁବକ୍ତା, ରାଜନୀତିଜ୍ଞ, ବିଶିଷ୍ଟ ରୋଟାରିଆନ, କଟକ କ୍ଲବର ଆଜୀବନ ସଦସ୍ୟ ଥିଲେ । ପ୍ରଫେସର ଡାକ୍ତର କରଙ୍କ ଜନ୍ମ ୧୮ ଜାନୁଆରୀ ୧୯୪୬ ମସିହା । ରେଭେନ୍‌ସା କଲିଜିଏଟ୍ ସ୍କୁଲରୁ ୧୯୬୨ ମସିହାରେ ପାସ୍ କରିଥିଲେ । ପରେ ରେଭେନ୍ସା ମହାବିଦ୍ୟାଳୟ, ଶ୍ରୀରାମଚନ୍ଦ୍ର ଭଞ୍ଜ ଚିକିତ୍ସା ମହାବିଦ୍ୟାଳୟ(୧୯୬୮)ରୁ ମେଡିକାଲ ଡିଗ୍ରୀ ହାସଲ କରିବା ପରେ ପାଟନାର ପ୍ରିନ୍ସ ଅଫ୍ ୱାଲ୍‌ସ ଚିକିତ୍ସା ମହାବିଦ୍ୟାଳୟରୁ ମାନସିକ ରୋଗ, ସ୍ନାତକୋତ୍ତରରେ ପ୍ରଥମ ସ୍ଥାନ ପାଇ ସାରିବା ପରେ ମଧୁସୂଦନ ଲ କଲେଜରେ ଡିଗ୍ରୀ ହାସଲ କରିଛନ୍ତି । ପ୍ରଥମ ଓଡ଼ିଆ ଭାବେ ଭାରତୀୟ ଚିକିତ୍ସକ ସଂଘର ସଭାପତି କାର୍ଯ୍ୟ ତୁଲାଇ ପାରିଛନ୍ତି । ସମାଜକଲ୍ୟାଣ ଓ ବିଭିନ୍ନ ସେବାପାଇଁ ସେ ବହୁ ପୁରସ୍କାର ପାଇଛନ୍ତି । ୧୯୯୮ ମସିହାରେ ସେ ସମାଜସେବା ପାଇଁ ଡକ୍ଟର ହରେକୃଷ୍ଣ ମହତାବ ବିଷୁବ ପୁରସ୍କାରରେ ପୁରସ୍କୃତ । ଚିକିତ୍ସା କ୍ଷେତ୍ରରେ ଭାରତର ସର୍ବୋଚ୍ଚ ସମ୍ମାନ ଡିଏଲଏନ ମୂର୍ତ୍ତିରାଓ ଆଓ୍ବାର୍ଡ ଓ ଏ.ପି. ବର୍ମା ଆରେସନ ଆଓ୍ବାର୍ଡ ଅନ୍ୟତମ । ବିଦେଶରେ ବହୁ ପୁରସ୍କାର ପାଇବା ସହ ରୋଟାରୀ ଗଭର୍ଣ୍ଣର ଥିବା ସମୟରେ ଓଡ଼ିଶାର ପୁରପଲ୍ଲୀର ପାନୀୟ ଜଳ ପାଇଁ ୫୦୦ଟି ନଳକୂପ ବସାଇ ଖ୍ୟାତି ଅର୍ଜନ କରିପାରିଛନ୍ତି । ତାଙ୍କର ସମାଜ ସେବା ପ୍ରତି ଏକ ମହାନ୍ ଅବଦାନର ଦୃଷ୍ଟାନ୍ତ କହିଲେ ଅତ୍ୟୁକ୍ତି ହେବନାହିଁ । ତାଙ୍କ ମୃତ୍ୟୁରେ ଶୋକର ଛାୟା ଯାଇଛି । ମୃତ୍ୟୁ ବେଳକୁ ପାଖରେ ସହଧର୍ମିଣୀ ଡକ୍ଟର ଗାୟତ୍ରୀ ଦେବୀ, ପୁତ୍ର- ଇଂ. ସୌମେନ୍ଦ୍ର କର, ଆଡଭୋକେଟ ସମ୍ବିତ କର, ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ସମ୍ରାଟ କର, ପୁତ୍ରବଧୂ-ନୀତି କର, ଶୈଳବାଳା କର, ଡାକ୍ତର ଶୁଭଶ୍ରୀ ମିଶ୍ର ଓ ନାତି ନାତୁଣୀ, ଆତ୍ମୀୟ ସ୍ୱଜନ ପ୍ରମୁଖ ଉପସ୍ଥିତ ଥିଲେ ।