spot_img

Latest Posts

ସାହିତ୍ୟିକ ଗାୟତ୍ରୀବାଳା ପଣ୍ଡା ମହୁରି ସମ୍ମାନରେ ସମ୍ମାନିତ

ଭୁବନେଶ୍ୱର: ବିଶିଷ୍ଟ କବୟିତ୍ରୀ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଡକ୍ଟର ଗାୟତ୍ରୀବାଳା ପଣ୍ଡା ମହୁରି ସମ୍ମାନରେ ସମ୍ମାନିତ । ପଞ୍ଚଦଶ ମହୁରି ମହୋତ୍ସବରେ ଗାୟତ୍ରୀବାଳାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ୨୦୨୧ ମସିହା ପାଇଁ ଗାୟତ୍ରୀବାଳା ଏହି ସମ୍ମାନ ପାଇଥିବା ବେଳେ, ୨୦୨୨ ମସିହା ପାଇଁ ରଞ୍ଜନ କୁମାର ଦାସଙ୍କୁ ମହୁରି ସମ୍ମାନ ପ୍ରଦାନ କରାଯାଇଛି ।

ଷାଣ୍ମାସିକ ସାହିତ୍ୟ ପତ୍ରିକା ମହୁରିର ପଞ୍ଚଦଶ ପ୍ରତିଷ୍ଠା ଦିବସ ଅବସରରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ପ୍ରଖ୍ୟାତ କବିତା ସଂକଳନ ଦୟାନଦୀ ଲାଗି ଗାୟତ୍ରୀବାଳାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବା ନେଇ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇସାରିଛି । ଦୀର୍ଘ ତିନି ଦଶନ୍ଧି ଧରି ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ବଳିଷ୍ଠ ସାଧନା ଜାରିରଖିଛନ୍ତି ଗାୟତ୍ରୀବାଳା ।

ଓଡ଼ିଆରେ ୧୨ଟି କବିତା ସଂକଳନ, ୨ଟି ଗଳ୍ପ ସଂକଳନ, ୨ଟି ଉପନ୍ୟାସ, ଗୋଟିଏ ପ୍ରବନ୍ଧ ସଂକଳନ ପ୍ରକାଶ କରି ଓଡ଼ିଆ ସାହିତ୍ୟ ଜଗତକୁ କରିଛନ୍ତି ସମୃଦ୍ଧ । ଉଭୟ ହିନ୍ଦୀ ଓ ଇଂରାଜୀରେ ବି ପ୍ରକାଶିତ ହୋଇଛି କବିତା ଓ ଗଳ୍ପ ସଂକଳନ । ରାଜ୍ୟ ଯୁବ ପୁରସ୍କାର, ରାଜୀବ ଗାନ୍ଧୀ ସଦ୍ଭାବନା ପୁରସ୍କାର, ଉତ୍କଳ ସାହିତ୍ୟ ସମାଜ ଯୁବ ସାହିତ୍ୟିକ ସମ୍ମାନ, ଶାରଳା କାବ୍ୟ ସମ୍ମାନ, କାଦମ୍ବିନୀ କବିତା ସମ୍ମାନ, ଫକିର ମୋହନ ସାହିତ୍ୟ ସମ୍ମାନ, ବସନ୍ତ ମୁଦୁଲି କବିତା ସମ୍ମାନ ଆଦି ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଗାୟତ୍ରୀବାଳା ।

Latest Posts

Don't Miss