ବେଶି ଦିନ ରହିବନି ସୁନା ଦର ହ୍ରାସର ଟ୍ରେଣ୍ଡ !

ନନ୍ଦିଘୋଷ ବ୍ୟୁରୋ: ସୁନା ଦର କମୁଛି । ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ୫୫ ହଜାର ଛୁଇଁ ପାରେ । ଏଭଳି ହ୍ରାସ ନେଇ ସୁନା ବ୍ୟବସାୟୀ ଓ ବିଶେଷଜ୍ଞ ଦ୍ବନ୍ଦ୍ବରେ । ବିଶେଷଜ୍ଞଙ୍କ ଆକଳନ ସୁନା ଦର ହ୍ରାସ ଏକ ସାମୟିକ ସ୍ଥିତି । ଏବେ ବିଶ୍ବର ସବୁ କେନ୍ଦ୍ରୀୟ ବ୍ୟାଙ୍କ ପାଖରେ ୨ ଲକ୍ଷ ୧୬ ହଜାର ଟନ୍ ସୁନା ମହଜୁଦ ରହିଛି । ଟ୍ରମ୍ପଙ୍କ ଟାରିଫ ରାଜ୍ ଆରମ୍ଭ ହେବା ପରେ ବିଶ୍ବ ବଜାରର ସବୁ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହୋଇଛି । ଭାରତରେ ସୁନା ଦର କମିବା ଆଶା ସେତେଟା ଦୀର୍ଘ ସ୍ଥାୟୀ ହେବନି ବୋଲି ସୁନା ବ୍ୟବସାୟୀ ମତ ରଖିଛନ୍ତି । ସେପଟ ବିଶେଷଜ୍ଞଙ୍କ ଆକଳନ ସୋଭେରିନ୍ ଗୋଲ୍ଡ ବଣ୍ଡ ବନ୍ଦ ହେବା ପରେ ବାସ୍ତବ ସୁନାରେ ପୁଞ୍ଜିନିବେଶ କରିବା ପାଇଁ ନିବେଶକ ଚାହିଁ ବସିଛନ୍ତି । ଯଦି କେନ୍ଦ୍ରୀୟ ବ୍ୟାଙ୍କ ଷ୍ଟକ୍ ବଜାରକୁ ଛାଡ଼ିବେ ତା’ହେଲେ ସୁନା ଦର କମିବ । କିନ୍ତୁ ସେଭଳି ସମ୍ଭାବନା ଆଗାମୀ ଦିନରେ ଦେଖାଯାଉନି ।
ସୁନା ଦର ହୁ ହୁ ହୋଇ ବଢୁଥିଲା । ଏବେ ହଠାତ୍ ବ୍ରେକ୍ ଲାଗିଛି । ବଢିବା ପରିବର୍ତ୍ତେ କାହିଁକି କମୁଛି ? ଏ ନେଇ ଦ୍ବନ୍ଦ୍ବରେ ବ୍ୟବସାୟୀ ଓ ଗ୍ରାହକ । ଆଜି ୨୨ କ୍ୟାରେଟ୍ ସୁନା ଦର ଭୁବନେଶ୍ବରରେ ୮୨ ହଜାର ୮୫୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୯୦ ହଜାର ୮୦୦ ଟଙ୍କା ରହିଛି । ଏହା ଅସ୍ଥାୟୀ ଅବସ୍ଥା । ଦୀର୍ଘ ଦିନ ପାଇଁ ଏହି ଦର ହ୍ରାସ ନ ରହିପାରେ । ଭାରତ ସରକାର ସୋଭେରିନ୍ ଗୋଲ୍ଡ ବଣ୍ଡ ବନ୍ଦ କଲା ପରେ ବାସ୍ତବ ସୁନାରେ ନିବେଶକ ପୁଞ୍ଜି ଲଗାଉଥିଲେ । କିନ୍ତୁ ଏବେ ସେଥିରେ ବ୍ରେକ୍ ଲାଗିଛି । ଦର କମିବା ଆଶାରେ ନିବେଶକ । ଟ୍ରମ୍ପଙ୍କ ଟାରିଫ ଶୁଳ୍କ ପ୍ରଭାବ ଅନ୍ତରାଷ୍ଟ୍ରୀୟ ସୁନା ବେପାର ଉପରେ ପଡ଼ିଛି । ଅଳଙ୍କାର ବ୍ୟବସାୟୀଙ୍କ କାରବାର ବି ମାନ୍ଦା ଚାଲିଛି । ଗତ ସପ୍ତାହକ ଭିତରେ ସୁନାରେ ୩ ହଜାର ଟଙ୍କାରୁ ୨ ହଜାର ଟଙ୍କା ହ୍ରାସ ହୋଇଥିବାରୁ ଆହୁରି କମିବା ନେଇ ଆଶାରେ ଗ୍ରାହକ । ସେପଟେ କେତେକ ବ୍ୟବସାୟୀଙ୍କ ମତ ଏହା ଆମେରିକା ରାଷ୍ଟ୍ରପତିଙ୍କ ଟାରିଫ ଯୁଦ୍ଧର ପ୍ରଭାବ । ଏହା ବେଶୀ ଦିନ ରହିବନି ।
ବଜାର ବିଶେଷଜ୍ଞ ଆକଳନ, ଅଷ୍ଟ୍ରେଲିଆ ସୁନା ଉତ୍ପାଦନ ବୃଦ୍ଧି କରିଛି । ଏହାସହିତ ସବୁ ରାଷ୍ଟ୍ରର ସେଣ୍ଟ୍ରାଲ ବ୍ୟାଙ୍କ ୨ ଲକ୍ଷ ୧୬ ହଜାର ଟନ୍ ସୁନା ମହଜୁଦ ରଖିଛନ୍ତି । ଆଉ ବିଶ୍ବର ବଡ଼ ବ୍ୟାଙ୍କ ସୁନା କିଣୁ ନାହାନ୍ତି । ଏଭିଳି ସ୍ଥିତିରେ ଚାହିଦା ତୁଳନାରେ ସୁନା ଯୋଗାଣ ଅଧିକ ରହିଛି । ଯଦି ସେଣ୍ଟ୍ରାଲ ବ୍ୟାଙ୍କ ସେମାନଙ୍କ ସୁନା ଷ୍ଟକ୍ କମାଇବାକୁ ଚାହିଁ ଖୋଲା ବଜାରରେ ସୁନା ବିକିବେ ତା’ହେଲେ ସୁନାର ହ୍ରାସ ହେବ । ଏପରି ହେଲେ ବି ଦର ୧ ହଜାର ଟଙ୍କାରୁ ଅତିବେଶୀରେ ୨ ହଜାର ଟଙ୍କା ପର୍ଯ୍ୟନ୍ତ କମିବ, କିନ୍ତୁ ବେଶୀ ନୁହେଁ । ସେପଟେ ଭାରତ ସରକାର ସୋଭେରିନ୍ ଗୋଲ୍ଡ ବଣ୍ଡ ବନ୍ଦ କରିଥିବାରୁ ସୁନା ବିସ୍କୁଟ କିଣାରେ ପୁଞ୍ଜି ନିବେଶ କରିବାକୁ ନିବେଶକ ଆଗ୍ରହୀ ଅଛନ୍ତି । କାରଣ ବାସ୍ତବ ସୁନା ସେମାନଙ୍କୁ ଅଧିକ ରିଟର୍ଣ୍ଣ ଦେଉଛି । ସୁନା ଦର ବଢିଲେ ନିବେଶକଙ୍କ ପାଇଁ ଶୁଭ ସୂଚନା । କିନ୍ତୁ ହ୍ରାସ ହେଲେ ସେମାନେ ନିରୁତ୍ସାହିତ ହେବେ । ଏସବୁ ନିର୍ଭର କରେ କେନ୍ଦ୍ରୀୟ ବ୍ୟାଙ୍କ କେତେ ସୁନା ବଜାରକୁ ଛାଡ଼ିବେ ।
ଭାରତରେ ସୁନାର ଚାହିଦା ସବୁବେଳେ ଗ୍ରାହକଙ୍କ ପାଖରେ ରହିଛି । ଦର ଉଚ୍ଚା ରହିଲେ ଅଳଙ୍କାର ବ୍ୟବସାୟୀ ମେକିଂ ଚାର୍ଜରେ ରିହାତି ଘୋଷଣା କରି ଗ୍ରାହକଙ୍କୁ ଆକୃଷ୍ଟ କରୁଛନ୍ତି । କିନ୍ତୁ ମୂଳ ସୁନା ଦରରେ ଅସ୍ଥିରତା ଏବେ ଉଭୟ ଗ୍ରାହକ ଓ ନିବେଶକଙ୍କୁ ଦ୍ବନ୍ଦ୍ବରେ ପକାଇଛି ।