ଡ୍ରାଇଭର୍‌ ଟପ୍ପୋକୁ ଗିରଫ୍‌ କରିବା ପରେ ରୋଚକ ମୋଡ଼ରେ ପହଞ୍ଚିଛି ତଦନ୍ତ

କଳ୍ପନା ଓ ବବ୍‌ଲି ମର୍ଡର ମାମଲା । ଝାରସୁଗୁଡ଼ାରେ କଳ୍ପନାଙ୍କ ପୈତୃକ ଘରେ ତଦନ୍ତ କରିବା ସହ ଭାଉଜଙ୍କୁ ଚକ୍ରଧରନଗର ଥାନାରେ ହାଜର ପାଇଁ ନୋଟିସ କରିଛି ଛତିଶଗଡ଼ ପୋଲିସ । ଏହାସହ ଅନୁପଙ୍କ ପୁତୁରା ସଂଗ୍ରାମ ସାଏଙ୍କୁ ଆଜି ଥାନାରେ ହାଜର ପାଇଁ ନୋଟିସ ହୋଇଛି । ସେହିପରି ବୋଲେରୋ ଓ ଇନୋଭା ଗାଡ଼ିକୁ ଥାନାରେ ଜିମା ଦେବାକୁ କହିଛି ପୋଲିସ । ଅନୁପ୍‌ ସାଏ ଓ ଡ୍ରାଇଭର୍‌ ବର୍ଦ୍ଧନ ଟପ୍ପୋକୁ ଗିରଫ୍‌ କରିବା ପରେ ଚାରି ଜଣିଆ , ସ୍ୱତନ୍ତ୍ର ଟିମ୍‌ ଆରମ୍ଭ କରିଛନ୍ତି ଛାନବିନ୍‌ ।

ବ୍ରଜରାଜନଗର ସ୍ଥିତ ବଘରାଚକା ଘର, ଷ୍ଟେଟ୍‌ବ୍ୟାଙ୍କ ଓ ଫାଣ୍ଡିରେ ପହଞ୍ଚି ପଚରାଉଚୁରା କରିଛି ପୋଲିସ । ହତ୍ୟାଦିନ ନରହନ୍ତା ନେତାଙ୍କ ସହ କିଏ କିଏ ଥିଲେ? କେଉଁ ଗାଡ଼ି ବ୍ୟବହାର କରିଥିଲେ ଅନୁପ ସାଏ? ବୋଲେରୋ ନା ଇନୋଭା ? ଏ ପ୍ରଶ୍ନର ଉତ୍ତର ଖୋଜୁଛି ଛତିଶଗଡ଼ ପୋଲିସ୍‌। ଡ୍ରାଇଭର୍‌ ଟପ୍ପୋକୁ ଗିରଫ୍‌ କରିବା ପରେ ରୋଚକ ମୋଡ଼ରେ ପହଞ୍ଚିଛି ତଦନ୍ତ। କାରଣ ବର୍ଦ୍ଧନ କହୁନି କେଉଁ ଗାଡ଼ିରେ କଳ୍ପନା ଓ ଝିଅ ବବ୍‌ଲିକୁ ଆଣିଥିଲେ ଅନୁପ। ଏଭଳି ସ୍ଥିତିରେ ଗାଡ଼ିକୁ ନେଇ କନଫ୍ୟୁଜନ୍‌ ତିଆରି ହୋଇଛି। ସୂଚନା ମୁତାବକ ୨୦୧୪ ନିର୍ବାଚନୀ ସତ୍ୟପାଠରେ ଯାନବାହାନର ତଥ୍ୟ ଦେଇ ଅନୁପ କହିଥିଲେ, ତାଙ୍କ ପାଖରେ ଅଛି ବୋଲେରୋ, ଜିପ୍‌ ଓ ଏକ ସ୍କୁଟର୍‌। ୨୦୧୫ରେ ସେ କିଣିଥିଲେ ଇନୋଭା । ଆଉ ସେହିବର୍ଷ ବୋଲେରୋକୁ ବିକ୍ରି କରି ଦେଇଥିଲେ ଗୁଜୁରାଟର ଜଣେ ବ୍ୟବସାୟୀଙ୍କୁ। ତେଣୁ ୨୦୧୬ ମସିହାରେ ସଂଗଠିତ ଏହି ଡବଲ୍‌ମର୍ଡରରେ କେଉଁ ଗାଡ଼ି ବ୍ୟବହାର ହୋଇଛି, ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

Leave a Reply