ପୁରୀରେ ରକ୍ତର ହୋଲି, ଗୋଟିଏ ଦିନରେ ୨ଟି ହତ୍ୟାକାଣ୍ଡ

ପୁରୀ: ଶ୍ରୀକ୍ଷେତ୍ରରେ ପଡ଼ିଲା ରକ୍ତର ଛିଟା । ଆଜି ଗୋଟିଏ ଦିନରେ ପୁରୀରେ ହୋଇଛି ଦୁଇଟି ହତ୍ୟାକାଣ୍ଡ। ପ୍ରଥମ ହତ୍ୟାକାଣ୍ଡ ପୁରୀ ବାଲିଘାଟ ସୁଭଦ୍ରା ନଗରରେ ହୋଇଥିବାବେଳେ ଦ୍ୱିତୀୟ ହତ୍ୟାକାଣ୍ଡ ପୁରୀ ଟାଉନ ଥାନା ଅଞ୍ଚଳର ବାରବାଟୀ ଜାଗା ନିକଟରେ ହୋଇଛି । ପୁରୀ ବାଲିଘାଟ ସୁଭଦ୍ରା ନଗରରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ବଡ଼ ପୁଅର ଆକ୍ରମଣରେ ମା’ର ମୃତ୍ୟୁ ହୋଇଛି । ପୁଅର ଆକ୍ରମଣରେ ମା’ର ମୃତ୍ୟୁ ହୋଇଥିବାବେଳେ ପରିବାରର ୩ ଜଣ ଏବେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଲୋନ୍ ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା ପରିବାର ଲୋକ କହିଛନ୍ତି । ଅଧିକ ଲୋନ୍ କାରଣରୁ ସେ ଚିନ୍ତାଗ୍ରସ୍ତ ଥିଲେ ତେଣୁ ସେ ହଠାତ ଆକ୍ରମଣ କରିଥିଲେ । ଏହି ହତ୍ୟାକାଣ୍ଡ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ତେବେ ପାରିବାରିକ ବିବାଦକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ପୁଅର ଆକ୍ରମଣରେ ବାପା ଓ ଭାଉଜ ଗୁରୁତର ଥିବା ସାନ ଭାଇ କହିଛନ୍ତି । ଘଟଣାସ୍ଥଳରେ ଅତିରିକ୍ତ ଏସ୍‌ପି ଓ ଅନ୍ୟାନ୍ୟ ଅଧିକାରୀ ମୁତୟନ ହୋଇଛନ୍ତି ।

ପୁରୀ ବାଲିଘାଟ ସୁଭଦ୍ରା ନଗରରେ ହତ୍ୟାକାଣ୍ଡ ପରେ ପୁରୀ ଟାଉନ ଥାନା ନିକଟରେ ଆଉ ଏକ ବିଭିତ୍ସ ହତ୍ୟାକାଣ୍ଡ ହୋଇଛି । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ସେବାୟତଙ୍କ ମୃତ୍ୟୁ ହୋଇଛି । ଏହି ଗୁଳି ମାଡ଼ରେ ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ମୃତ୍ୟୁ ହୋଇଛି । ତେବେ ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଏହି ହତ୍ୟାକାଣ୍ଡ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ ଆଜି ଟାଉନ ଥାନା ଅଞ୍ଚଳରେ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରାଯାଇଥିଲା । ତାଙ୍କ ଘର ନିକଟରେ କୃଷ୍ଣଚନ୍ଦ୍ରଙ୍କୁ ଗୁଳି କରାଯାଇଛି । ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଳି କରି ଫେରାର ହୋଇଯାଇଥିବା ସୂଚନା ମିଳିଛି । ତେବେ ଗୁଳିକାଣ୍ଡ ପରେ ସେ ଗୁରୁତର ହୋଇପଡ଼ିଥିଲେ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କ ପୁରୀ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତେବେ ଏହି ଗୁଳିକାଣ୍ଡ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛନ୍ତି ପୁରୀ ଜିଲ୍ଲାପାଳ । ତେବେ କେଉଁ କାରଣରୁ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ହତ୍ୟା କରାଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୂର୍ବ ଶତ୍ରୁତା କିମ୍ବା ଅନ୍ୟ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ହୋଇଛି ତାହା ତଦନ୍ତ ପରେ ଖୁଲାସା ହେବ ।