ଲୋକଙ୍କୁ ପିଇବା ପାଣି ମୁନ୍ଦେ ଦେଇ ପାରୁନି ଡବଲ ଇଞ୍ଜିନ ସରକାର, ‘ହର ଘର ଜଲ୍’ ସ୍ଲୋଗାନ କେଉଁ କାମକୁ

ତାଳଚେର: ଫସର ଫାଟିଛି ସରକାରଙ୍କ ‘ହର ଘର ଜଲ୍’ ସ୍ଲୋଗାନ । ରାଜ୍ୟ ଓ କେନ୍ଦ୍ରରେ ବିଜେପିର ଡବଲ ଇଞ୍ଜିନ ସରକାର ଥାଇ ମଧ୍ୟ ଏବେ ବି ଲୋକେ ସୁଦ୍ଧ ପିଇବା ପାଣି ମୁନ୍ଦେ ପାଇବାରୁ ହେଉଛନ୍ତି ବଞ୍ଚିତ । ଯାହାର ଜ୍ଵଳନ୍ତ ଉଦାହରଣ ହେଲା ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ୍ ଗୁରୁଜାଙ୍ଗ ପଞ୍ଚାୟତ ଅନ୍ତର୍ଗତ ବୋଇଦାମୁଣ୍ଡା ଗାଁରେ । ପାଣି ପାଇଁ ଦିନେ ୫୦ ପରିବାର ବସବାସ କରୁଥିବା ଗାଁ ଏବେ ଜନଶୂନ୍ୟ ହେବାକୁ ବସିଛି । ପିଇବା ପାଣି ସମସ୍ୟା ଭୋଗୁଥିବା ଲୋକେ ଗାଁ ଛାଡ଼ି ଅନ୍ୟତ୍ର ପକାଳ ଯାଉଥିବା ଅଭିଯୋଗ ହେଉଛି । ଗାଁରେ ଏବେ ବି ରହୁଥିବା ୨୫ ପରିବାରଙ୍କ ପାଖରେ ପିଇବା ପହଞ୍ଚାଇବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର ।

ବୋଇଦାମୁଣ୍ଡା ଗାଁ । ପାଣି ଟାଙ୍କି ଅଛି, ପାଇପ୍ ମଧ୍ୟ ସଂଯୋଗ ହୋଇଛି । ହେଲେ ଆସୁନି ଆବଶ୍ୟକ ମୁତାବକ ପାଣି । ପ୍ରଶାସନ ପକ୍ଷରୁ ୩ଟି ନଳକୂପ ସହିତ ଗୋଟିଏ କୂଅ ଖନନ କରାଯାଇଥିଲା । ରକ୍ଷଣାବେକ୍ଷଣ ଅଭାବରୁ ଖୋଲା କୂଅ ପାଣି ଦୂଷିତ ହୋଇଯାଇଛି । ନଲକୂଅରୁ ୨ରୁ ୩ ଗରା ପାଣି ବାହାରିବା ପରେ କାଦୁଅ ପାଣି ବାହାରୁଛି, ଯାହା ପିଇବା ଅନୁପଯୋଗୀ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଖଣି ଅଞ୍ଚଳରେ ଧୀରେ ଧୀରେ ଜଳସ୍ତର ହ୍ରାସ ପାଉଥିବାରୁ ପିଇବା ପାଣି ମୁନ୍ଦେ ପାଇବା କଷ୍ଟକର ହୋଇପଡ଼ିଛି । ଅଭିଯୋଗ କଲେ ମଧ୍ୟ ସରକାରଙ୍କ ତରଫରୁ ପାନୀୟ ଜଳ ଯୋଗାଇ ଦେବାକୁ କୌଣସି ବ୍ୟବସ୍ଥା କରାଯାଉନାହିଁ । ସେପଟେ ଏଲ ଆଣ୍ଡ ଟି କମ୍ପାନୀର ପାଣି ପାଇପ୍ ଗାଁ ନିକଟରେ ଯାଇଥିବା ବେଳେ ଏହି ପାଣି ଗାଁକୁ ଯୋଗାଇ ଦିଆଯାଉ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ସୂଚନାଯୋଗ୍ୟ, ବୋଇଦାମୁଣ୍ଡା ଗାଁରେ ଗତ କିଛିବର୍ଷ ପୂର୍ବେ ୪୦ରୁ ୫୦ ପରିବାର ବସବାସ କରୁଥିଲେ । ଦୀର୍ଘ ବର୍ଷ ଧରି ପିଇବା ପାଣି ସମସ୍ୟା ଦେଖା ଦେଇଥିବାରୁ ଲୋକମାନେ ଗାଁ ଛାଡ଼ି ଅନ୍ୟତ୍ର ଚାଲିଯାଉଛନ୍ତି । ୨୦୦୧ ରେ ଗ୍ରାମବାସୀ ଓ କିଛି ଲୋକଙ୍କ ସହାୟତାରେ ବୋରୱେଲ ସହିତ ସୋଲାର ପ୍ରକଳ୍ପ ବସାଇ ପାଣି ବ୍ୟବସ୍ଥା ହୋଇଥିଲା । ଉକ୍ତ ବୋରୱେଲ ପାଣି ଖାରିଆ, ଗୋଳିଆ ରହିବାରୁ ତାହା ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି ।

ଏନେଇ ଗୁରୁଜାଙ୍ଗ ସରପଞ୍ଚ ଅମ୍ବିକା ତ୍ରିପାଠୀଙ୍କୁ ପଚାରିବାରୁ କୌଣସି ଅଭିଯୋଗ ତାଙ୍କ ପାଖକୁ ଆସି ନଥିବା କହିଛନ୍ତି । ସେପଟେ ଅଭିଯୋଗ ମିଳିଛି ଶୀଘ୍ର ପାନୀୟ ଜଳ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ତାଳଚେର ବିଡ଼ିଓ ।